• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ରାଜରାସ୍ତାକୁ ଓହ୍ଲାଇବ ବିଜେଡି ।

  • ୧୪୭ ବିଧାନସଭା କ୍ଷେତ୍ରରେ କରିବ ଆନ୍ଦୋଳନ ।

ଭୁବନେଶ୍ୱର: ବିଜେପି ଓ କଂଗ୍ରେସ ପରେ ଏବେ ବିଜେଡି ଓହ୍ଳାଇବ ରାଜରାସ୍ତାକୁ । ଦର ବୃଦ୍ଧିକୁ ନେଇ ଆନ୍ଦୋଳନ କରିବ ବିଜେଡି । ଆଜି ସାମ୍ବାଦିକ ସମ୍ମିଳନୀ କରି ଦରଦାମ ବୃଦ୍ଧି ପ୍ରସଙ୍ଗରେ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛି । ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ ଓ ପ୍ରତାପ ଦେବ ଏକ ପ୍ରେସ୍‌ମିଟ୍ କରି ଏହି ସୂଚନା ଦେଇଛନ୍ତି ।

ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ଅର୍ଥାତ୍‌ ରବିବାର ରାଜଭବନ ଆଗରେ ବିଜେଡି ଧାରଣା ଦେବ । କିନ୍ତୁ ନଭେମ୍ବର ୧ରୁ ସମସ୍ତ ୧୪୭ ବିଧାନସଭା କ୍ଷେତ୍ରରେ ଦଳ ଆନ୍ଦୋଳନ କରିବ । ଏନେଇ ସମସ୍ତ ପ୍ରସ୍ତୁତି ସରିଥିବା ମଧ୍ୟ କହିଛନ୍ତି ପ୍ରତାପ ଦେବ ।

ସେହିପରି ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିବ ମହିଳା ବିଜେଡି । ୫ରୁ ୭ ଯାଏଁ ଯୁବ ଛାତ୍ର ସଂଗଠନ ପକ୍ଷରୁ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ବିଜେଡି ସୂଚନା ଦେଇଛି ।

ତେବେ ବିଜେଡିର ଏଭଳି ଆନ୍ଦୋଳନ ନିଷ୍ପତି ଓ ଦରଦାମ ପ୍ରସଙ୍ଗ ଉଠାଇବାକୁ ଡାଇଭର୍ଟ ପଲିସି ବୋଲି କହିଛନ୍ତି ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅନ୍ୟପଟେ ରାଜନୈତିକ ମହଲରେ ବି ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଗୋଟିଏ ପଟେ ମମିତା ମେହେର ହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ନିଆଁ ଜଳୁଥିବା ବେଳେ ବିଜେଡିର ଏଭଳି ନିଷ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଖାଲି ସେତିକି ନୁହେଁ ବିଜେଡି କିମ୍ବା ସରକାରଙ୍କ ପକ୍ଷରୁ ମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ । ହେଲେ ଏହାରି ଭିତରେ ବିଜେଡି ସାରା ରାଜ୍ୟରେ ଆନ୍ଦୋଳନ କରିବ ବୋଲି ନିଷ୍ପତି ନେଇଛି । ଯାହା କି କେବଳ ଓଡ଼ିଶାବାସୀଙ୍କ ମାଇଣ୍ଡ ଡାଇଭର୍ଟ କରିବା ପାଇଁ କରାଯାଉଥିବା କୁହାଯାଇଛି ।

ଉଭୟ ବିଜେପି ଓ କଂଗ୍ରେସ ପ୍ରତ୍ୟେକ ଦିନ ଆନ୍ଦୋଳନ କରୁଛନ୍ତି । ରାଜ୍ୟ ସରକାର ତଥା ମନ୍ତ୍ରୀଙ୍କୁ ଏହି ଘଟଣାରେ କାଠଗଡ଼ାକୁ ଟାଣିବା ଭଳି ପରିସ୍ଥିତି ଉପୁଜିଲାଣି । ତେଣୁ ବିଜେଡି ଏବେ ଦରଦାମ ବୃଦ୍ଧି କାର୍ଡ ଖେଳିବାକୁ ଚେଷ୍ଟା କରିଛି । ଯାହାକୁ କେବଳ ଅପରାଜିତା ଭାଷାରେ ଡାଇଭର୍ଟ ପଲିସି ବୋଲି କୁହାଯାଇପାରେ ବୋଲି କହିଛନ୍ତି ରାଜନୀତି ବିଶେଷଜ୍ଞ ।