• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: କେବେ ହେବ ଆନ୍ଧ୍ର ଓଡ଼ିଶା ସୀମା ବିବାଦର ସମାଧାନ ? ଆପୋଷ ଆଲୋଚନା ଫିଟାଇ ପାରିବ କି ସମାଧାନର ବାଟ ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଆନ୍ଧ୍ର ପ୍ରତିପକ୍ଷ ଜଗନମୋହନ ରେଡ୍ଡୀଙ୍କ ମଧ୍ୟରେ ହୋଇଥିବା ବୈଠକର ନିଷ୍ପତ୍ତି ଅନୁଯାୟୀ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଉନ୍ନୟନ କମିଶନର, ଗୃହ, ରାଜସ୍ୱ, ଜଳସଂପଦ, ଶକ୍ତି, ବିଦ୍ୟାଳୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ରହିଛନ୍ତି । ବିବାଦର ସମାଧାନ ପାଇଁ ଓଡ଼ିଶା ଆଗକୁ ବଢୁଥିବା ବେଳେ ଆନ୍ଧ୍ର କିନ୍ତୁ ଆପଣାଉଛି ଦୋମୁହାଁ ନୀତି । ଆନ୍ଧ୍ରର ସରକାରୀ ଅଧିକାରୀ ବାରମ୍ବାର ସୀମାବର୍ତ୍ତୀ ଅଞ୍ଚଳକୁ ଆସି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି । ଏମିତିକି ନବୀନ-ଜଗନ ଆଲୋଚନା ଦିନ ହିଁ ଆନ୍ଧ୍ର ସରକାରଙ୍କ ପକ୍ଷରୁ କୋଟିଆ ଧୂଳିପଦରଠାରେ ପଲ୍ଲୀସଭା କରାଯିବା ସହ ଜମି ପଟ୍ଟା ବଣ୍ଟନ କରାଯାଇଥିଲା ।

ଗତ ୨୦ ତାରିଖରେ ଆନ୍ଧ୍ର ପୋଲିସ କୋଟିଆକୁ ଆସିଥିବା ବେଳେ ୨୧ରେ ପ୍ରଶାସନିକ ଅଧିକାରୀ ଦେଓମାଳି ଅଞ୍ଚଳ ଗସ୍ତ କରିଥିଲେ । ଗଞ୍ଜାମର ଗୁଡିଖଳା ଓ ଗୁଡ଼ିଖୁଡି ଏବଂ ମାଣିକପାଟଣାକୁ ଆସି ଆନ୍ଧ୍ର ପ୍ରଶାସନିକ ଅଧିକାରୀମାନେ ସରକାରୀ କାର୍ଯ୍ୟକ୍ରମର ପୋଷ୍ଟର ବି ମାରିଥିଲେ । ଆନ୍ଧ୍ରର ଏଭଳି ଚାଲାକି ଭିତରେ ଜିଲ୍ଲାପାଳ, ସ୍ଥାନୀୟ ସରପଞ୍ଚ ଓ ଗାଁ କମିଟି ମୁଖ୍ୟକୁ କମିଟିରେ ସାମିଲ କରି ଆଲୋଚନା ଉପରେ ଗୁରୁତ୍ୱ ଦେଇଛନ୍ତି ଆମ କୋଟିଆ ସଂଗଠନର ଆବାହକ ।

କେବଳ ସୀମା ବିବାଦ ନୁହେଁ, ଉଭୟ ରାଜ୍ୟ ମଧ୍ୟରେ ଥିବା ଜଳ ବଣ୍ଟନ ବିବାଦ ଓ ମାଓବାଦୀ ସମସ୍ୟାକୁ ନେଇ ବି ଆଲୋଚନା କରିବ ଉଚ୍ଚସ୍ତରୀୟ କମିଟି । କିନ୍ତୁ କମିଟି ବିବାଦର ସମାଧାନରେ କେତେ ସଫଳ ହେବ, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ସେପଟେ ଦୁଇ ରାଜ୍ୟର କମିଟି ମଧ୍ୟରେ ବୈଠକ ପୂର୍ବରୁ ପ୍ରଥମେ ଆନ୍ଧ୍ରର ଅନୁପ୍ରବେଶ ରୋକାଯାଉ ବୋଲି ବିରୋଧୀ ଦାବି କରିଛନ୍ତି । ତେବେ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା ସମାଧାନର ବାଟ ବାହାରିବ ବୋଲି ବିଜେଡି ଆଶା ରଖିଛି ।

ନବୀନ-ଜଗନଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଓଡ଼ିଶା ସରକାର କମିଟି ଗଠନ କରିସାରିଛନ୍ତି । ତେବେ ଆନ୍ଧ୍ର ଏଦିଗରେ କିଛି ପଦକ୍ଷେପ ନେଇଛି ନା ନାହିଁ ତାହା ସ୍ପଷ୍ଟ ହୋଇନି ।