• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପ୍ରାୟ ଦୁଇ ବର୍ଷ ପରେ ବିଜେଡିର ପ୍ରତିବାଦ ପଲିଟିକ୍ସ ।

  • କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ତକୁ ଓହ୍ଲାଇଲା ଦଳ ।

  • ଏଫ୍‌ସିଆଇ ଦପ୍ତର ଓ ଗୋଦାମ ଆଗରେ ବିଜେଡି ଧାରଣା ।

ଭୁବନେଶ୍ୱର: ପ୍ରାୟ ଦୁଇ ବର୍ଷ ପରେ ବିଜେଡିର ପ୍ରତିବାଦ ପଲିଟିକ୍ସ । କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ତକୁ ଓହ୍ଲାଇଲା ଦଳ । ଆଜି ରାଜ୍ୟତମାମ ଏଫ୍‌ସିଆଇ ଦପ୍ତର ଓ ଗୋଦାମ ଆଗରେ ବିଜେଡି ଧାରଣା ଦେବା ସହ ଦିଲ୍ଲୀରେ ମଧ୍ୟ ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ବିଜେଡିର ଏହି ଧାରଣାକୁ ବିଜେପି କଡ଼ା ସମାଲୋଚନା କରି, ଚାଷୀ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ବିଜେଡିର ଏହା ଏକ ନାଟକ ବୋଲି ପାଲଟା ଅଭିଯୋଗ କରିଛି ।

ବାସ୍ତବରେ ଚାଷୀ କାର୍ଡକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି । କିଛି ଦିନ ତଳେ ମଣ୍ଡି ଅବ୍ୟବସ୍ଥାକୁ ନେଇ ଧାରଣା ଦେଇଥିଲା ବିଜେପି । ଆଜି ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ପ୍ରାୟ ଦୁଇବର୍ଷ ପରେ ଦେଖିବାକୁ ମିଳିଛି ବିଜେଡିର ଏଭଳି କେନ୍ଦ୍ର ବିରୋଧୀ ଆଭିମୁଖ୍ୟ । ଜିଲ୍ଲାସ୍ତରରୁ ରାଜଧାନୀ ଭୁବନେଶ୍ୱର ଯାଏଁ ସବୁଠି ଏଫ୍‌ସିଆଇର ଦପ୍ତର ଓ ଗୋଦମ ଆଗରେ ପ୍ରତିବାଦ କରିଥିଲେ ବିଜେଡି ମନ୍ତ୍ରୀ, ବିଧାୟକ ଓ ନେତା । ପ୍ରତିବାଦକୁ କେବଳ ରାଜ୍ୟ ଭିତରେ ସୀମିତ ନରଖି ଦିଲ୍ଲୀରେ କେନ୍ଦ୍ର ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟି ଦାବିପତ୍ର ଦେଇଥିଲେ ବିଜେଡି ସାଂସଦ । ଧାନ ସବ୍‌ସିଡି ବାବଦରେ ବାକିଆ ପଡିଥିବା ୬,୭୫୦ କୋଟି ତୁରନ୍ତ ପ୍ରଦାନ, ପଡି ରହିଥିବା ୭ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠାଇବା ଓ ଖରିଫ୍ ଧାନ ସଂଗ୍ରହ ସମୟ ସୀମାକୁ ସେପ୍ଟେମ୍ବର ୩୦ ଯାଏଁ ବୃଦ୍ଧି କରିବାକୁ ଦଳ ଦାବି କରିଛି ।

ସେପଟେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ ଏସବୁ ଅଭିଯୋଗ ଉପରେ ଜବାବ୍ ରଖିବା ସହ ଧାନ କିଣା ଅବ୍ୟବସ୍ଥା ନେଇ ଓଲଟା ବିଜେଡି ସରକାର ଉପରେ ଦୋଷ ଲଦିଛି । ମଣ୍ଡି ଅବ୍ୟବସ୍ଥା, ଟୋକନ୍ ଲାପ୍‌ସ, ଧାନର କଟ୍‌ନୀ ଛଟନୀ ଓ ଅଭାବୀ ବିକ୍ରି ପ୍ରସଙ୍ଗ ଉଠାଇ ବିଜେଡିକୁ କଡା ସମାଲୋଚନା କରିଛି ଦଳ । ଭୁଲ୍ ତଥ୍ୟ ଦେଇ ବିଜେଡି ଚାଷୀମାନଙ୍କୁ ବିଭ୍ରାନ୍ତ କରୁଛି ବୋଲି ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି ।

୧୯ ନିର୍ବାଚନ ପରେ ପରେ ବିଜେପି-ବିଜେଡି ଭିତରେ ମଧୁର ସଂପର୍କ ଥିବା ଚର୍ଚ୍ଚା ହୋଇଆସୁଥିଲା । ଏବେ କିନ୍ତୁ ରାଜ୍ୟରେ ମୁହାଁମୁହିଁ ସ୍ଥିତିରେ ଦୁଇଦଳ କିଛିଦିନ ତଳେ କୋଭିଡ୍ ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଲଗାଇ କେବଳ ନବୀନଙ୍କ ଫଟୋ ଲଗାଯିବା ନେଇ ଉଭୟ ଦଳ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଥିଲା । ତାପରେ ମଣ୍ଡି ଅବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତା, ବର୍ଦ୍ଧିତ ବିଜୁଳି ଦର ପ୍ରତ୍ୟାହାର ଓ ମୋ ସାଇକେଲ୍ ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଥିଲା ବିଜେପି । ତେବେ ପେଟ୍ରୋଲ-ଡିଜେଲ୍ ଓ ରନ୍ଧନ ଗ୍ୟାସ ଦର ଅହେତୁକ ଭାବେ ବୃଦ୍ଧି ପାଇଥିଲେ ମଧ୍ୟ ବିଜେଡି ଆନ୍ଦୋଳନକୁ ଓହ୍ଲାଇନଥିଲା ।

୧୯ ନିର୍ବାଚନ ପୂର୍ବରୁ କିନ୍ତୁ ସାମାନ୍ୟ ଦର ବୃଦ୍ଧି ହେଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରୁଥିଲା । ଏବେ ଚାଷୀ ପ୍ରସଙ୍ଗରେ ବିଜେପି ଆନ୍ଦୋଳନ କରିବା ପରେ କାଳେ ଦଳ ମାଇଲେଜ୍ ପାଇଯିବ, ସେଥିଲାଗି ବିଜେଡିର ଏଭଳି କାଉଣ୍ଟର ଧାରଣା ବୋଲି କୁହଯାଉଛି । ରାଜନୈତିକ ସମୀକ୍ଷକଙ୍କ ମତରେ ଆଗକୁ ପୌର ଓ ପଂଚାୟତ ନିର୍ବାଚନ ଥିବାରୁ ପ୍ରତିବାଦ ପଲିଟିକସ୍ ଆରମ୍ଭ ହୋଇଛି ।