• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସିଲଂ: ପୁଣି କଂଗ୍ରେସକୁ ଲାଗିଲା ଝଟ୍‌କା । ନିର୍ବାଚନ ଯେତେ ନିକଟତର ହେଉଛି ଦେଶରେ ରାଜନୀତି ସେତେ ଉଷ୍ମତା ଧରୁଛି । ତେବେ ଏହାରି ଭିତରେ ସବୁ ଦଳ ଏବେ ଆଗାମୀ ନିର୍ବାଚନ ପାଇଁ ଆକ୍ଟିଭ୍‌ ହେଲେଣି। ହେଲେ କଂଗ୍ରେସ କିନ୍ତୁ ଡିଆକ୍ଟିଭ୍‌ ଦେଖାଯାଉଛି । କାରଣ କଂଗ୍ରେସକୁ ଲାଗୁଛି ବ୍ୟାକ୍‌ ଟୁ ବ୍ୟାକ୍‌ ଝଟ୍‌କା ।

ପୂର୍ବୋତ୍ତର ରାଜ୍ୟ ମେଘାଳୟରେ କଂଗ୍ରେସକୁ ବଡ଼ ଧରଣର ଝଟ୍‌କା । ବିଧାନସଭାରେ ଥିବା କଂଗ୍ରେସର ୧୭ ଜଣ ବିଧାୟକଙ୍କ ଭିତରୁ ୧୨ ଜଣ ଦଳରୁ ଇସ୍ତଫା ଦେଇ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମାଙ୍କ ସହ ୧୧ ଜଣ ବିଧାୟକ ଦଳ ଛାଡ଼ିବା ପରେ କଂଗ୍ରେସ ବିରୋଧୀ ଦଳ ମାନ୍ୟତା ହରାଇଛି । ଏହାସହ ତୃଣମୂଳ କଂଗ୍ରେସ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ହୋଇଥିବା ଟିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ୧୨ ଜଣ ବିଧାୟକ ଦଳ ଛାଡ଼ିବା ନେଇ ଜଣାପଡ଼ିବା ପରେ ମେଘାଳୟ କଂଗ୍ରେସର ପ୍ରଭାରୀ ମନୀଷ ଛତରଥ ଗୁଜୁରାଟ ଗସ୍ତ ବାତିଲ କରି ଆଜି ସିଲଂ ଫେରି ଆସୁଛନ୍ତି । କଂଗ୍ରେସର ପୂର୍ବତନ ରଣନୀତିକାର ଅହମ୍ମଦ ପଟେଲଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେବାକୁ ସେ ଗୁଜୁରାଟ ଗସ୍ତରେ ଥିଲେ । ଏହାପରେ ସେ ସିଲଂରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ରିପୋର୍ଟ ପ୍ରଦାନ କରିବେ । ଏହା ପୂର୍ବରୁ ଗତ ୧୮ ତାରିଖରେ କଂଗ୍ରେସ ସାଧାରଣ ସଂପାଦକ କେ. ସି. ବେଣୁଗୋପାଳଙ୍କ ସହ ମନୀଷ, ବିରୋଧୀ ଦଳ ନେତା ମୁକୁଲ ସାଙ୍ଗମା, ମେଘାଳୟ ପିସିସି ସଭାପତି ଭିନସେଣ୍ଟ ପଲା ପ୍ରମୁଖ ଆଲୋଚନା କରିଥିଲେ । ହେଲେ ଗତକାଲି ମୁକୁଲ ସାଙ୍ଗମାଙ୍କ ନେତୃତ୍ୱରେ ୧୨ ବିଧାୟକ ଟିଏମ୍ସିରେ ସାମିଲ ହୋଇଥିବା କୁହାଯାଇଛି ।

କଂଗ୍ରେସ ପାଇଁ ଏଭଳି ଝଟ୍‌କା ନୂଆ ନୁହେଁ । ୨୦୧୯ ପରଠାରୁ ଏଭଳି ଘଟଣା କଂଗ୍ରେସର ଦେହ ସୁହା ହୋଇଗଲାଣି । ନିୟମିତ ବ୍ୟବଧାନରେ ଅନେକ ବଡ଼ ବଡ଼ ନେତା ଦଳ ଛାଡ଼ୁଛନ୍ତି । ଗୋଟିଏ ପଟେ ପ୍ରିୟଙ୍କା ଗାନ୍ଧି କଂଗ୍ରେସକୁ ମଜଭୁତ୍‌ କରିବା ନେଇ ନାନା ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ କଂଗ୍ରେସ ଗଡ଼ ଗୁଡ଼ିକ ଭୁଶୁଡ଼ିବାରେ ଲାଗିଛି ।