• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସମସ୍ତ ନାଗରିକଙ୍କ ମାତୃଭାଷାରେ ଲେଖିବା ଓ ପଢ଼ିବାର ସାମ୍ବିଧାନିକ ଅଧିକାର ରହିଛି ।

  • ହେଲେ ଝାଡ଼ଖଣ୍ଡ ଏହାର ବିପରୀତ ଦିଗରେ ଚାଲୁଛନ୍ତି ।

  • କମ୍ ଲୋକ ସଂଖ୍ୟାରେ ଉର୍ଦ୍ଦୁ ଭାଷା ପଢ଼ା ଯାଇପାରୁଛି ତେବେ ଓଡ଼ିଆରେ କାହିଁକି ନୁହେଁ ।

ଭୁବନେଶ୍ୱର: ଭାରତର ସମସ୍ତ ନାଗରିକ ନିଜ ମାତୃଭାଷାରେ ଲେଖିବା ଓ ପଢ଼ିବାର ସାମ୍ବିଧାନିକ ଅଧିକାର ରହିଛି । ହେଲେ ଝାଡ଼ଖଣ୍ଡ ଏହାର ବିପରୀତ ଦିଗରେ ଚାଲୁଛନ୍ତି । ସରକାରଙ୍କ ଏଭଳି ନିଷ୍ପତ୍ତି ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଯଦି, ଝାଡ଼ଖଣ୍ଡରେ କମ୍ ଲୋକସଂଖ୍ୟାରେ ଉର୍ଦ୍ଦୁ ଭାଷା ପଢ଼ା ଯାଇପାରୁଛି ତେବେ ଓଡ଼ିଆରେ କାହିଁକି ନୁହେଁ । ଏନେଇ ଝାଡ଼ଖଣ୍ଡ ସରକାର ସହ ଓଡ଼ିଶା ସରକାର ଆଲୋଚନା କରନ୍ତୁ ବୋଲି ପ୍ରଦୀପ୍ତ ଟ୍ୱିଟ୍ କରି ଦାବି କରିଛନ୍ତି ।

୨୦୧୧ ସେପ୍ଟେମ୍ବର ୧ରେ ଝାଡଖଣ୍ଡ ସରକାର ଓଡ଼ିଆ ଭାଷାକୁ ଦ୍ୱିତୀୟ ରାଜ୍ୟ ଭାଷାର ମାନ୍ୟତା ଦେଇଥିଲେ ହେଲେ ବିଡମ୍ବନା ହେଉଛି ଯେ, ୨୦୨୧-୨୨ ଶିକ୍ଷାବର୍ଷରୁ ସେହି ମାନ୍ୟତା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି । ଝାଡଖଣ୍ଡର କୌଣସି ସ୍କୁଲରେ ଆଉ କେହି ଚାହିଁଲେ ବି ଓଡ଼ିଆ ଭାଷାରେ ପଢିପାରିବେ ନାହିଁ । ଏହାକୁ ନେଇ ଗତକାଲି ଷଡେଇକଳାରେ ରହୁଥିବା ଓଡ଼ିଆଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଯାଇଥିଲା ।

ଓଡ଼ିଶାର ବିଚ୍ଛିନ୍ନାଂଚଳରେ ଓଡିଆ ଭାଷା ପାଇଁ ଗତକାଲି ଆନ୍ଦୋଳନ, ପ୍ରତିବାଦ, ଧାରଣା ଆଉ ବିକ୍ଷୋଭ ଦେଖାଯାଇଥିଲା । ବର୍ଷ ବର୍ଷ ଧରି ଅବହେଳିତ ଓଡ଼ିଆ ଭାଷାକୁ ଉଚିତ୍ ଅଧିକାର ଦେବାକୁ ସେମାନେ ଦାବି କରିଥିଲେ । ଝାଡଖଣ୍ଡର ଷଢେଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲା କୋଲହାନ ଓଡ଼ିଆ ସମାଜ । ଯେଉଁଥିରେ ସାମିଲ ହୋଇଥିଲେ ଝାଡଖଣ୍ଡରେ ରହୁଥିବା ଶହ ଶହ ଓଡ଼ିଆ । ସେମାନେ ଅଭିଯୋଗ କରିଥିଲେ ଯେ, ସ୍କୁଲରେ ନା ଓଡ଼ିଆ ପୁସ୍ତକ ମିଳୁଛି ନା ନିଯୁକ୍ତ କରାଯାଉଛି ଓଡ଼ିଆ ଶିକ୍ଷକ-ଶିକ୍ଷୟିତ୍ରୀ । ଝାଡଖଣ୍ଡ ସରକାର ଓଡ଼ିଆ ଭାଷାଭାଷୀଙ୍କ ପ୍ରତି ପକ୍ଷପାତିତା କରୁଥିବା ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଥିଲା ଓଡ଼ିଆ ସମାଜ ।

ସେପଟେ ଓଡିଶା-ଆନ୍ଧ୍ର ସୀମାନ୍ତ କୋଟିଆରେ ବିବାଦ ଥମିବାର ନାଁ ନେଉନି । ସୋମବାର ଓଡିଶା ଗାଁରେ ଆନ୍ଧ୍ର ଲଗାଇଛି ତେଲୁଗୁ ଫଳକ । କୋଟିଆ ପଂଚାୟତର ଫାଟୁସେନେରୀ, ସଲପଗୁଡା, ଡୋଳିଆମ୍ବ ଓ କୋଟିଆରେ ତେଲୁଗୁ ଭାଷାରେ ବୋର୍ଡ ମରାଯାଇଛି । ଏପରିକି ଆଗକୁ କୋଟିଆର ବିଭିନ୍ନ ଗାଁରେ ତେଲୁଗୁ ଭାଷାରେ ସୂଚନା ଫଳକ ଲଗାଇବା ସହ ଏକାଧିକ କାର୍ଯ୍ୟକ୍ରମ କରିବାକୁ ପଡୋଶୀ ରାଜ୍ୟ ଅଂଟା ଭିଡିଛି । ଓଡ଼ିଶା ସରକାର ଯେତେ ମୁହଁ ଟାଣ କଲେ ମଧ୍ୟ ପଛକୁ ହଟିବାର ନାଁ ନେଉନି ପଡୋଶୀ ରାଜ୍ୟ ।