• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ୟେଦିୟୁରପ୍ପାଙ୍କ ଇସ୍ତଫା ଦେବା ପରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ

  • ଗତକାଲି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଇଥିଲେ ୟେଦୁରପ୍ପା

ବେଙ୍ଗାଲୁରୁ : କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦରୁ ବି.ଏସ୍. ୟେଦିୟୁରପ୍ପାଙ୍କ ଇସ୍ତଫା ଦେବା ପରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ, ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ମୁଖ୍ୟମନ୍ତ୍ରୀ ଦୌଡ଼ରେ ୫ରୁ ଅଧିକ ପ୍ରମୁଖ ଦାବିଦାର ରହିଥିବା ଜଣାପଡିଛି । ନୂତନ ମୁଖ୍ୟମନ୍ତ୍ରୀ ଦୌଡରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ବିଜେପିର ଜାତୀୟ ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ ଏବଂ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଡିଙ୍କ ନାମ ଆଗରେ ରହିଛି । ସେହିପରି ଖଣି ମନ୍ତ୍ରୀ ଥିବା ମୁରୁଗେଶ ନିରାନୀ, ବିଜେପି ସାଧାରଣ ସମ୍ପାଦକ ସି.ଟି ରବି, ରାଜ୍ୟ ଗୃହମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି ।

ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓ ରାଜ୍ୟ ନେତୃତ୍ୱ ମିଳିତ ଭାବେ ବୈଠକ କରି ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଛି ବିଜେପି ଶୀର୍ଷ ନେତୃତ୍ୱ । ଧର୍ମେନ୍ଦ୍ର ପ୍ରଧାନ ଓ କର୍ଣ୍ଣାଟକ ବିଜେପି ପ୍ରଭାରୀ ଅରୁଣ ସିଂହ ଖୁବଶୀଘ୍ର ବେଙ୍ଗଳୁରୁ ଯାଇ ରାଜ୍ୟରେ ରାଜନୈତିକ ଅସ୍ଥିରତା ଦୂର କରିବାକୁ ଉଦ୍ୟମ କରିବେ । ଗତକାଲି ରାଜ୍ୟପାଳ ଥାବର ଚାନ୍ଦ ଗେହଲୋଟଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ ୟେଦୁରପ୍ପା । ବିଧାନସଭା ଗୃହରେ ସେ ନିଜ ଇସ୍ତଫା ଘୋଷଣା କରି ସେ କାହା ଚାପରେ ଇସ୍ତଫା ଦେଉନଥିବା କହିଥିଲେ ।

ସେପଟେ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ରାଜଭବନରେ ହଲଚଲ୍ ଆରମ୍ଭ ହୋଇଥିଲା । ବି.ଏସ୍ ୟେଦ୍ୟୁରପ୍ପାଙ୍କ ବ୍ୟତୀତ ଅନେକ ନେତା ଓ ମନ୍ତ୍ରୀ ମଧ୍ୟ ରାଜଭବନରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିବା ପରେ ୟେଦ୍ୟୁରପ୍ପା କହିଥିଲେ, କର୍ଣ୍ଣାଟକର ଲୋକଙ୍କ ପାଇଁ ତାଙ୍କର ଅନେକ କିଛି କରିବାର ଅଛି । ସମସ୍ତେ ମିଳିମିଶି କଠିନ ପରିଶ୍ରମ କରିବା ଉଚିତ୍ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଇସ୍ତଫା ଘୋଷଣା କରିବା ପରେ ଭାବପ୍ରବଣ ହୋଇଯାଇଥିଲେ ୟେଦ୍ୟୁରପ୍ପା । ସବୁବେଳେ ଅଗ୍ନିପରୀକ୍ଷା ଦେଇ ଗତି କରିବାକୁ ପଡ଼ୁଛି ବୋଲି ମଧ୍ୟ ସେ କହିଥିଲେ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ପ୍ରଥମ ଦିନରୁ ତାଙ୍କୁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିଥିଲା । କିନ୍ତୁ ଲୋକ ତଥା ରାଜ୍ୟର ବିକାଶ ପାଇଁ ସେ କରିଥିବା କାମ ତାଙ୍କୁ ସନ୍ତୁଷ୍ଟ କରିଥିବା ନେଇ ଗଣମାଧ୍ୟମ ସାମ୍ନାରେ କହିଥିଲେ ।