• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋଲକାତା : ପଶ୍ଚିମବଙ୍ଗ ଭବାନୀପୁରରେ ଆଜି ସମ୍ମାନର ଲଢ଼େଇ । ଗତ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରୁ ପରାଜୟ ପରେ ଭବାନୀପୁରରୁ ପୁଣି ଥରେ ଲଢ଼ୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଜେପି ଯୁବ ଚେହେରା ପ୍ରୀୟଙ୍କା ଟିବରେୱାଲ ତାଙ୍କୁ କଡା ଟକ୍କର ଦେଉଛନ୍ତି । ଏହି ସିଟ୍ ପାଇଁ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ବୁଥ୍ । ଭବାନୀପୁର ହାଇପ୍ରୋଫାଇଲ୍ ସିଟ୍ ହୋଇଥିବାରୁ ଏ ଦିଗରେ ବିଶେଷ ନଜର ରଖିଛନ୍ତି ନିର୍ବାଚନ କମିଶନ । ଦୁଇ ଦିନ ତଳେ ହିଂସାକାଣ୍ଡ ପରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଷମତାର ଅପବ୍ୟବହାର କରୁଥିବା ବିଜେପି ଅଭିଯୋଗ କରିଥିଲା । ଫଳରେ ଭବାନୀପୁର ସମେତ ଅନ୍ୟ ଦୁଇଟି ଆସନରେ ଇଭିଏମର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଗାଡି ମଧ୍ୟ ନିୟୋଜିତ କରାଯାଇଛି ଏବଂ ବୁଥର ସୁରକ୍ଷା ପୋଲିସ ହାତରେ ଦିଆଯାଇଛି । ଯେପରି କୌଣସି ଅପ୍ରୀତିକର ସ୍ଥିତି ଉପୁଜିବନି ସେ ନେଇ ବି ସତର୍କତା ଅବଲମ୍ବନ କରାଯାଇଛି । ସମ୍ବେଦନଶୀଳ ବୁଥରେ ପାରା ମିଲିଟାରୀ ଫୋର୍ସ ମୁତୟନ ହୋଇଛନ୍ତି ।

ତେବେ ଭୋଟିଂ ଆରମ୍ଭରୁ ହିଁ ଭବାନୀପୁରରୁ ପ୍ରତିଦ୍ୱନ୍ଦିତା କରୁଥିବା ବିଜେପିର ପ୍ରିୟଙ୍କା ଟିବରେୱାଲ ଟିଏମସି ଉପରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ବିଧାୟକ ମଦନ ମିତ୍ର ଭୋଟିଂ ମେସିନକୁ ଜବରଦସ୍ତ ବନ୍ଦ କରିଦେଇଛନ୍ତି, ବୁଥ କ୍ୟାପଚର୍ କରିବାକୁ ପାଇଁ ଉଦ୍ୟମ କରାଯାଉଛି । କାରଣ ଲୋକମାନେ ଭୋଟ୍ ଦେଲେ, ସେମାନଙ୍କ ଇଚ୍ଛା ଅନୁସାରେ ଫଳାଫଳ ମିଳିବ ନାହିଁ ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୦୧୧ ଓ ୨୦୧୬ ମସିହାରେ ଭବାନୀପୁରରୁ ନିର୍ବାଚିତ ହୋଇଥିଲେ । ଭବାନୀପୁର ଛଡ଼ା ପଶ୍ଚିମବଙ୍ଗର ଜାଙ୍ଗିପୁର ଓ ସମଶେରଗଞ୍ଜ ନିର୍ବାଚନ ମଣ୍ଡଳୀରେ ବି ଭୋଟ୍ ଗ୍ରହଣ ହେଉଛି । ଭୋଟିଂ ହେଉଥିବା ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି। ଅତୀତରେ ହୋଇଥିବା ନିର୍ବାଚନୀ ହିଂସାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଅକ୍ଟୋବର ୩ରେ ଉପ-ନିର୍ବାଚନର ଫଳାଫଳ ଘୋଷଣା କରାଯିବ ।