• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • କ’ଣ ପାଇଁ ନିଲାମ ହେଲା ଏୟାର ଇଣ୍ତିଆ?

  • ୬୮ ବର୍ଷ ପରେ ଟାଟା ସନ୍ସ ହାତକୁ ଫେରିଲା ଏୟାର ଇଣ୍ତିଆ

ନୂଆଦିଲ୍ଲୀ : ଟାଟା ଗ୍ରୁପ୍ସରେ ପୁଣି ଥରେ ଏୟାର୍ ଇଣ୍ଡିଆର ଘରବାହୁଡ଼ା । ଦୀର୍ଘ ୬୮ ବର୍ଷ ପରେ ପୁଣି ଟାଟା ହାତକୁ ଫେରିଛି ଏୟାର୍ ଇଣ୍ଡିଆ । କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆକୁ ବିକିବା ଲାଗି ୨୦୧୭ ମସିହାରେ ସରକାର ପକ୍ଷରୁ ନିଲାମ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ୨୦୨୦ ଡିସେମ୍ବର ସୁଦ୍ଧା ସରକାର ୭ଟି ଏକ୍ସପ୍ରେସନ ଅଫ୍ ଇଣ୍ଟରେଷ୍ଟ ପାଇଥିଲେ । ତେବେ ଟାଟା ସନ୍ସ ଓ ଅଜୟ ସିଂହଙ୍କ ସ୍ପାଇସ ଜେଟ୍ ପକ୍ଷରୁ ବିଡ୍ ଦାଖଲ କରାଯାଇଥିଲା । ସ୍ପାଇସ୍ ଜେଟ୍ ୧୫ ହଜାର ଶହେ କୋଟି ଟଙ୍କାରେ ବିଡ୍ ଦାଖଲ କରିଥିବା ବେଳେ ଟାଟ୍ ସନ୍ସ ପକ୍ଷରୁ ୧୮ ହଜାର କୋଟିର ବିଡିଂ କରାଯାଇଥିଲା । ଫଳରେ ଟାଟା ସନ୍ସ ହାତକୁ ଗଲା ଏୟାର ଇଣ୍ତିଆ ।

ଟାଟା ସନ୍ସ ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ଶତ ପ୍ରତିଶତ ଅଂଶଧନ ହାସଲ କରିଥିବା ବେଳେ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କଂପାନି ଏୟାର-ଇଣ୍ଡିଆ ସ୍ୟାଟ୍ସର ୫୦ ପ୍ରତିଶତ ଅଂଶଧନର ମାଲିକାନ ପାଇଛି । ଏୟାର ଇଣ୍ଡିଆ ନାଁରେ ଥିବା ୧୪ହଜାର ୭୧୮ କୋଟି ମୂଲ୍ୟର ଜମି ଓ ବିଲଡିଂ ଏୟାର ଇଣ୍ଡିଆ ଆସେଟ୍ ହୋଲଡିଂ ଲିମିଟେଡ୍ (AIAHL) ନିକଟରେ ରହିବ । ଏହି ବିକ୍ରିରୁ ସରକାର ନଗଦ କ୍ୟାସ୍ ବାବଦକୁ ୨ହଜାର ୭ଶହ କୋଟି ଟଙ୍କା ପାଇବେ । ବାକି ଅର୍ଥ ଋଣ ବାବଦକୁ ଦିଆଯିବ । ଏୟାର ଇଣ୍ଡିଆକୁ ଦୈନିକ ୨୦ କୋଟି ଟଙ୍କା କ୍ଷତି ସହୁଥିବା ବେଳେ ଗତ ଅଗଷ୍ଟ ଶେଷ ସୁଦ୍ଧା ଏହାର ମୋଟ ଋଣ ପରିମାଣ ୬୧ ହଜାର ୫୬୨ କୋଟି ଟଙ୍କା ଥିବାର ସୂଚନା ମିଳିଛି । କେନ୍ଦ୍ର ପୁଞ୍ଜି ନିବେଶ ସଚିବ ତୁହିନକାନ୍ତ ପାଣ୍ଡେ କହିଛନ୍ତି ଆସନ୍ତା ଡିସେମ୍ବର ସୁଦ୍ଧା ଏୟାର ଇଣ୍ତିଆକୁ ଟାଟା ସନ୍ସ ହାତକୁ ହସ୍ତାନ୍ତର କରାଯିବ ।

୧୯୩୨ ମସିହାରେ JRD ଟାଟାଙ୍କ ଦ୍ୱାରା ଟାଟା ଏୟାର୍ଲାଇନସ୍ ପ୍ରତିଷ୍ଠା ହୋଇଥିଲା । ୧୯୪୬ରେ ଏହାର ନାମ ବଦଳାଇ ଏୟାର ଇଣ୍ଡିଆ ରଖାଯାଇଥିଲା । ୧୯୫୩ ମସିହାରେ ଏୟାର ଇଣ୍ଡିଆର ମାଲିକାନା ସରକାରଙ୍କ ନିୟନ୍ତ୍ରଣକୁ ଆସିଥିଲା । ତେବେ କମ୍ପାନୀ ପରିଚଳନା ଦାୟିତ୍ୱ ଜେ.ଆର.ଡି ଟାଟାଙ୍କ ପାଖରେ ରହିଥିଲା । ୧୯୭୭ ପଯର୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇଥିଲେ । ପରେ ଟାଟା ଗ୍ରୁପ ଦୀର୍ଘ ଦିନ ଧରି ବିମାନ ଚଳାଚଳ ବ୍ୟବସାୟ ଠାରୁ ଦୂରେଇ ରହିଥିଲା । ୧୯୯୫ରେ ପୁଣି ଥରେ ଟାଟା ଗ୍ରୁପ୍ ନୂଆ ବିମାନ କମ୍ପାନୀ ଆରମ୍ଭ କରିବା ଲାଗି ସରକାରଙ୍କ ଅନୁମତି ଲୋଡିଥିଲା, କିନ୍ତୁ ଏଥିରେ ବିଫଳ ହୋଇଥିଲା ।

ଟାଟା ସନ୍ସ ଆସନ୍ତା ବର୍ଷକ ଲାଗି ଏୟାର ଇଣ୍ଡିଆର ସମସ୍ତ କର୍ମଚାରୀଙ୍କୁ ଚାକିରୀରେ ରଖିବେ ବୋଲି ପ୍ରତିଶୃତି ଦେଇଛନ୍ତି । ତେବେ ଦ୍ୱିତୀୟ ବର୍ଷରେ ଭିଆରଏସ୍ ବ୍ୟବସ୍ଥା ଲାଗୁ କରାଯିବ । ସେହିପରି ଏୟାର-ଇଣ୍ଡିଆ କର୍ମଚାରୀଙ୍କୁ ସେମାନଙ୍କ ଗ୍ରାଚୁଇଟି ଓ ପିଏଫ୍ ବାବଦ ସମସ୍ତ ଅର୍ଥ ମିଳିବ ବୋଲି ଘୋଷଣା କରାଯାଇଛି । ଆଜିର ଘୋଷଣା ପରେ ରତନ ଟାଟା ଟୁଇଟ୍ କରି କହିଛନ୍ତି ଯେ ‘ୱେଲ୍ କମ୍ ବ୍ୟାକ୍ ଏୟାର୍ ଇଣ୍ଡିଆ’ । ଏୟାର ଇଣ୍ତିଆର ପୁନଃନିର୍ମାଣ ଦିଗରେ ଟାଟା ଗ୍ରୁପ୍ସ ପକ୍ଷରୁ ସମସ୍ତ ପ୍ରକାର ଚେଷ୍ଟା ଜାରି ରହିବ ବୋଲି ଟାଟା ଗ୍ରୁପ୍ସର ମୁଖ୍ୟ ରତନ୍ ଟାଟା କହିଛନ୍ତି ।