• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ଗୁରୁ ନାନକ ଦେବଙ୍କ ଜନ୍ମବାର୍ଷିକୀ ଅର୍ଥାତ୍ ଗୁରୁ ପରବ୍ ଅବସରରେ ମୋଦିଙ୍କ ଚମକାଇବା ଭଳି ଘୋଷଣା । ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ବର୍ଷେ ବ୍ୟାପୀ ଚାଲିଥିବା ଅଶାନ୍ତିରେ ଅନ୍ତ ଘଟାଇବା ଲାଗି କେନ୍ଦ୍ର ପକ୍ଷରୁ ଏଭଳି ଅପ୍ରତ୍ୟାଶିତ ନିଷ୍ପତ୍ତି ନିଆଯାଇଛି । ନୂଆ କୃଷି ଆଇନରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସ୍ୱାର୍ଥ ରକ୍ଷାର ବ୍ୟବସ୍ଥା ଥିଲେ ମଧ୍ୟ ସରକାର ସବୁ ଚାଷୀଙ୍କୁ ବୁଝାଇ ପାରିନଥିବାରୁ ମୋଦି କ୍ଷୋଭ ପ୍ରକାଶ କରିଛନ୍ତି । ପଛକଥା ଭୁଲି ନିଜ ନିଜ କ୍ଷେତକୁ ଫେରିଯିବା ଲାଗି ସେ ଚାଷୀଙ୍କୁ ଆହ୍ୱାନ ଦେଇଛନ୍ତି ମୋଦି । ସେପଟେ ଆସନ୍ତାକାଲି କଂଗ୍ରେସ ବିଜୟ ଦିବସ ପାଳିବାକୁ ଘୋଷଣା କରାଯାଇଛି ।

ବର୍ଷାଧିକ କାଳ ବାଦ ବିବାଦ, ଆନ୍ଦୋଳନ, ଉତ୍ତେଜନା ଓ ବାରମ୍ବାର ଆଲୋଚନାର ଶେଷରେ ନୂଆ କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର । ଆଜି ଦେଶକୁ ସମ୍ବୋଧନ କରି ୩ ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ନୂଆ କୃଷି ଆଇନକୁ ସେ ସମର୍ଥନ କରିବା ସହ ଓ ନାମମାତ୍ର ଚାଷୀଙ୍କ ସ୍ୱାର୍ଥ ରକ୍ଷା ଲାଗି କୃଷି କ୍ଷେତ୍ରରେ ସଂସ୍କାର ଜରୁରୀ ଥିଲା ବୋଲି କହିଛନ୍ତି । ତେବେ ସରକାର ସବୁ ଚାଷୀଙ୍କୁ ବିଶ୍ୱାସକୁ ନେଇପାରିଲେ ନାହିଁ । ବିରୋଧ ପ୍ରଦର୍ଶନ କରୁଥିବା ଚାଷୀଙ୍କୁ ସରକାର ବୁଝାଇବାକୁ ସବୁ ପ୍ରକାର ଚେଷ୍ଟା କରି ବିଫଳ ହୋଇଥିଲେ । ଏହା ଦୁଃଖଦାୟକ ବୋଲି କହିବା ସହ ବୋଧହୁଏ ସରକାରଙ୍କର କିଛି ଦୋଷତ୍ରୁଟି ରହିଗଲା, ଯାହା ଫଳରେ ପ୍ରକୃତ ସତ କଣ, ତାହା ପାଖରେ ପହଞ୍ଚିପାରିଲା ନାହିଁ ବୋଲି ମୋଦି କହିଛନ୍ତି । ତେବେ ସେ ଯାହା କରୁଛନ୍ତି ତାହା କୃଷକମାନଙ୍କ ପାଇଁ ଓ ଦେଶ ପାଇଁ ବୋଲି ଭରସା ଦେଇଛନ୍ତି। ଏଥିସହ ଆନ୍ଦୋଳନ ଛାଡ଼ି ନିଜ ନିଜ କ୍ଷେତକୁ ଫେରିଯିବାକୁ ଏବଂ ଗୁରୁନାନକ ଦେବଙ୍କ ଜନ୍ମୋତ୍ସବ ବା ଗୁରୁ ପରବ୍ ଅବସରରେ ଏକ ନୂଆ ଆରମ୍ଭ କରିବା ଲାଗି ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ଆହ୍ୱାନ ଦେଇଛନ୍ତି ।

ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ପାର୍ଲାମେଣ୍ଟ ଶୀତ ଅଧିବେଶନ କାଳରେ ୩ କୃଷି ଆଇନକୁ ପ୍ରତ୍ୟାହାର ନେଇ ଆବଶ୍ୟକ ପ୍ରକ୍ରିୟା ପୂରା କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ମୋଦିଙ୍କ ଏଭଳି ଆକସ୍ମିକ ଘୋଷଣା ବିରୋଧୀ ଶିବିରରେ ଶିହରଣ ଖେଳାଇ ଦେଇଛି । କୃଷି ଆଇନକୁ ପାର୍ଲାମେଣ୍ଟରେ ଓ ଆଗାମୀ ପଞ୍ଜାବ ଓ ଉତ୍ତରପ୍ରଦେଶ ନିର୍ବାଚନରେ ମୁଖ୍ୟ ଆୟୁଧ କରିବାକୁ ଯୋଜନା କରିଥିଲେ କଂଗ୍ରେସ ସମାଜବାଦୀ ପାର୍ଟି ସମେତ ଅନ୍ୟାନ୍ୟ ଦଳ । ମାତ୍ର ମୋଦିଙ୍କ ମାଷ୍ଟର୍ଷ୍ଟ୍ରୋକ୍ ସେମାନଙ୍କ ଯୋଜନାକୁ ଭଣ୍ଡୁର କରିଦେଇଛି। ବିରୋଧୀଙ୍କ ପରବର୍ତ୍ତୀ ରଣନୀତି ନେଇ ଚିନ୍ତା କରିନଥିବା ବେଳେ, ଚାଷୀଙ୍କ ଆନ୍ଦୋଳନ ସରକାରଙ୍କ ଗର୍ବ ଚୁନା କରିଥିବା କହିବା ସହ ଚାଷୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେପଟେ ଆଇନ ପ୍ରତ୍ୟାହାର ପ୍ରକ୍ରିୟା ଚୁଡାନ୍ତ ହେବା ପରେ ହିଁ ଚାଷୀ ଘରକୁ ଫେରିବେ ବୋଲି କହିଛନ୍ତି କୃଷକ ନେତା ରାକେଶ ସିଂ ଟିକାୟତ । ଅନ୍ୟପକ୍ଷରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତେମାର କହିଛନ୍ତି ଯେ, ୨୦୧୪ରେ କ୍ଷମତାକୁ ଆସିବା ପରଠୁ ମୋଦି ସରକାର କୃଷକଙ୍କ ଉନ୍ନତିକୁ ପ୍ରାଥମିକତା ଦେଇଛନ୍ତି ।

 

ଆଜି ପ୍ରଧାନମନ୍ତ୍ରୀ ୩ଟି କୃଷି ଆଇନ ପ୍ରତ୍ୟାହାର ହେବ ବୋଲି ଘୋଷଣା କରିବା ସହ, MSPକୁ ଆହୁରି ପ୍ରଭାବୀ ସ୍ୱଚ୍ଛ କରିବା ପାଇଁ ସ୍ବତନ୍ତ୍ର କମିଟି ଗଠନ କରାଯିବ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିଙ୍କୁ ସ୍ୱାଗତ ଜଣାଇଛନ୍ତି ।