• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ବାଦଲଫଟା ବର୍ଷାରେ ବେହାଲ ଦେବଭୂମି ଉତ୍ତରାଖଣ୍ଡ ।

  • ୪୬କୁ ବଢ଼ିଲା ମୃତ୍ୟୁ ସଂଖ୍ୟା, ବ୍ୟାପକ ଅଞ୍ଚଳରେ କ୍ଷୟକ୍ଷତି ।

  • ନୈନିତାଲ୍ ଓ ରାଣୀକ୍ଷେତ୍ ବାହ୍ୟଜଗତରୁ ବିଚ୍ଛିନ୍ନ ।

ପୁଣି ଦେବଭୂମି ଉତ୍ତରାଖଣ୍ଡର ସ୍ଥିତି ବିଗାଡ଼ିଛି ବାଦଲଫଟା ବର୍ଷା । ୨୦ରୁ ୨୫ ଘର ଧୋଇଯାଇଥିବା ବେଳେ, ୪୬ ଜଣଙ୍କ ଜୀବନ ଯାଇଛି ଏବଂ ପ୍ରାୟ ୧୦ ଜଣ ଏବେବି ନିଖୋଜ ଅଛନ୍ତି । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଥିବା ବେଳେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉତ୍ତରାଖଣ୍ଡ ଗସ୍ତ କରିବେ । ତେବେ ଏହି ଦୁର୍ବିପାକ ପାଇଁ ନାହିଁ ନଥିବା ଅସୁବିଧାର ସାମ୍ନା କରିଛନ୍ତି ପର୍ଯ୍ୟଟକ । 

କେଉଁଠି ଘର ଭିତରୁ, କେଉଁଠି ପାଣି ଘେରରୁ, ତ ଆଉ କେଉଁଠି ପାହାଡ଼ ଉପରୁ । ଗଲା ୨ ଦିନର ବାଦଲ ଫଟା ବର୍ଷା ପୁଣି ଥରେ ଉତ୍ତରାଖଣ୍ଡର ଚିତ୍ର ବିଗାଡ଼ିବା ପରେ, କିଛି ଏଭଳି ଥିଲା NDRFର ଏକାଧିକ ଦୁଃସାଧ୍ୟ ରେସ୍‌କ୍ୟୁ ଅପରେସନ୍‌ । ପ୍ରଖର ପାହାଡ଼ି ବନ୍ୟା ଓ ବିଭିନ୍ନ ସ୍ଥାନରେ ଭୟଙ୍କର ଭୂସ୍ଖଳନ ଯୋଗୁଁ ପୋଲ, ରାସ୍ତା ଓ ରେଳଲାଇନ କ୍ଷତିଗ୍ରସ୍ତ ହେବା ସହ ୨୦ରୁ ଅଧିକ ଘର ବି ଭାସିଯାଇଛି ।

୪୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ, ପ୍ରାୟ ୧୦ ଜଣ ଏବେବି ନିଖୋଜ ଅଛନ୍ତି । ନୈନିତାଲ୍, ଆଲ୍‌ମୋରା, ଚମ୍ପାଓ୍ୱତ୍ ଓ ଉଦ୍ଧମ ସିଂ ନଗର ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି । ରାଣୀଖେତ୍ ଓ ଆଲ୍‌ମୋରା ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ରେସ୍‌କ୍ୟୁ ଓ ରିଲିଫ୍ କାଯ୍ୟର୍ଯ୍ୟରେ NDRFର ୧୭ଟି ଟିମ୍, ବାୟୁସେନାର ୩ଟି ଧ୍ରୁବ ହେଲିକପ୍ଟର ଓ ସ୍ଥଳସେନା ନିୟୋଜିତ ହୋଇଛନ୍ତି । ବନ ବିଭାଗ ବି ଟ୍ରେକିଂରେ ଯାଇଥିବା ବହୁ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛି ।

ନୈନିତାଲ୍ ବାହାରେ ଶତାଧିକ ଯାନବାହାନ ଅଟକି ଥିବା ବେଳେ, ସହର ଭିତରେ ଫସିଛନ୍ତି ଶତାଧିକ ପର୍ଯ୍ୟଟକ । ବଲ୍ଲିଆ ନାଳ ଉପରେ ନବନିର୍ମିତ ପୋଲ ନିକଟରେ ଏବଂ ନୈନିତାଲ୍-କାଲାଢୁଙ୍ଗି ରାସ୍ତା ଉପରେ ବିରାଟ ଭୂସ୍ଖଳନ ହୋଇଥିବାରୁ ଜେସିବିରେ ମାଟି ଓ ପଥର ହଟାଯାଇଛି । ଏପଟେ ନୈନିତାଲ୍‌ର ମେନ୍ ମାର୍କେଟ୍‌ରେ ପାଣି ଜମି ରହିଛି । ନୈନିତାଲ୍ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ପରେ ଗତକାଲିଠାରୁ ନାହିଁ ନଥିବା ଅସୁବିଧାର ସାମ୍ନା କରୁଥିବା ପର୍ଯ୍ୟଟକ, ଆଜି ସ୍ଥିତି ସାମାନ୍ୟ ସୁଧାରିବାରୁ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଛନ୍ତି ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଟ୍ରାକ୍‌ଟରରେ ବସି ଖଟିମା ବନ୍ୟାଞ୍ଚଳ ସ୍ଥିତି ଅନୁଧ୍ୟାନ କରିବା ସହ ବିପନ୍ନଙ୍କୁ ଭେଟିଛନ୍ତି । ଏଥିସହ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଓ ବାସଗୃହ ହରାଇଥିବା ପରିବାର ପାଇଁ ୧ଲକ୍ଷ ୯୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଆଜି ଉତ୍ତରାଖଣ୍ଡ ଗସ୍ତ କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିବା ବେଳେ, ଆସନ୍ତାକାଲି ଆକାଶମାର୍ଗରୁ ପ୍ରଭାବିତ ଅଞ୍ଚଳ ନିରୀକ୍ଷଣ କରିବାର କାର୍ଯ୍ୟକ୍ରମ ରହିଛି । ଉତ୍ତରାଖଣ୍ଡରେ ଆଜି ବର୍ଷା କମିଥିବା ବେଳେ, ଆସନ୍ତା ସପ୍ତାହ ଶୁଖିଲା ରହିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।