• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • କ୍ରାଇମବ୍ରାଞ୍ଚ୍ ନିକଟରେ ହାଜର ହେବାକୁ ଆଶିଷ ମିଶ୍ରାଙ୍କୁ ନିର୍ଦ୍ଦେଶ

  • ଆଜି ଦିନ ୧୧ଟା ବେଳେ ହାଜର ହେବେ ଆଶିଷ ମିଶ୍ରା

ଲକ୍ଷ୍ନୌ: କ୍ରାଇମବ୍ରାଞ୍ଚ୍ ନିକଟରେ ହାଜର ହେବାକୁ ଆଶିଷ ମିଶ୍ରାଙ୍କୁ ନିର୍ଦ୍ଦେଶ । ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ ଆଜି ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ୍ ନିକଟରେ ହାଜର ହେବେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା । ଆଜି ଦିନ ୧୧ଟା ବେଳେ ସେ ପୋଲିସ ନିକଟରେ ହାଜର ହେବେ ବୋଲି ସୂଚନା ମିଳିଛି । ତଦନ୍ତରେ ସହଯୋଗ ଲାଗି ଗତକାଲି କ୍ରାଇମବ୍ରାଞ୍ଚ ଅଫିସରେ ହାଜର ହେବାକୁ ଆଶିଷ ମିଶ୍ରାଙ୍କୁ ନୋଟିସ ଦିଆଯାଇଥିଲା । ହେଲେ ସେ ଗତକାଲି ହାଜର ହୋଇନଥିଲେ ଯାହାକୁ ନେଇ ୟୁପି ପୋଲିସ୍‌ ତାଙ୍କ ଘରେ ପୁଣି ଏକ ନୋଟିସ୍ ଲଗାଇଛନ୍ତି । ଯେଉଁଥିରେ ତାଙ୍କୁ ଆଜି ଦିନ ୧୧ ଟାରେ କ୍ରାଇମବ୍ରାଞ୍ଚ୍ ନିକଟରେ ହାଜର ହେବାର ନିର୍ଦ୍ଦେଶ ଦିଆଯାଇଛି ।  

ଅସୁସ୍ଥତା କାରଣରୁ ଆଶିଷ କ୍ରାଇମବ୍ରାଞ୍ଚ୍ ନିକଟରେ ହାଜର ହୋଇପାରିନଥିଲେ ବୋଲି ତାଙ୍କ ବାପା କହିଛନ୍ତି । ସେହିପରି ଗତକାଲି ଏହି ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ଯାହାକୁ ନେଇ ସୁପ୍ରିମ୍‌କୋର୍ଟ କହିଥିଲେ, ‘ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଯଥେଷ୍ଟ ନୁହେଁ । ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇନି ବୋଲି ସବୋର୍ଚ୍ଚ କୋର୍ଟ ପ୍ରଶ୍ନ ଉଠାଇଥିଲେ । ଏହାସହ ଘଟଣାର ତଦନ୍ତ ସନ୍ତୋଷଜନକ ନୁହେଁ ବୋଲି ମଧ୍ୟ କହିଥିଲେ ସୁପ୍ରିମ୍‌କୋର୍ଟ । ତେଣୁ ଅନ୍ୟ କୌଣସି ସଂସ୍ଥାକୁ ତଦନ୍ତ ଦାୟିତ୍ୱ ଦିଆଯାଉ ବୋଲି ମାମଲାର ଶୁଣାଣି କରିବାବେଳେ ସୁପ୍ରିମ୍‌ କୋର୍ଟ ପକ୍ଷରୁ କୁହାଯାଇଥିଲା । ଯେଉଁ ପର୍ଯ୍ୟନ୍ତ ଅନ୍ୟ କୌଣସି ସଂସ୍ଥା ତଦନ୍ତର ଦାୟିତ୍ୱ ନ ନେଇଛି ସେ ପର୍ଯ୍ୟନ୍ତ ସମସ୍ତ ସାକ୍ଷ୍ୟ, ପ୍ରମାଣ ସହ ଦସ୍ତାବିଜକୁ ସଂରକ୍ଷଣ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆଶିଷ ମିଶ୍ରା ଫେରାର ରହିଥିବା ଘଟଣାରେ ତାଙ୍କ ଭାଇ ଅମିତ୍‌ ମିଶ୍ରା ଗତକାଲି ଏକ ବୟାନ୍‌ ଦେଇଥିଲେ । ଯେଉଁଥିରେ ସେ କହିଥିଲେ ଯେ, ତାଙ୍କ ଭାଇ ଖୁବ୍‌ ଶୀଘ୍ର ତଦନ୍ତ ପାଇଁ ଉପସ୍ଥିତ ହେବେ । ଏଥିରେ ଲୁଚିବାର କୌଣସି କାରଣ ନାହିଁ ତେଣୁ ଆଶିଷ ଖୁବ୍‌ ଶୀଘ୍ର ହିଁ ଏସ୍‌ଆଇଟି ନିକଟରେ ଉପସ୍ଥିତ ହେବ । ତେଣୁ ଆଶିଷ ବିଷୟରେ କୁହାଯାଉଥିବା କଥା ସବୁ ବୃଥା ଏବଂ ସେ ଜଣେ ଅପରାଧୀ ନୁହେଁ ଯିଏ ଲୁଚିକି ପଳାଇଥିବ । ଆଶିଷ ଯେଉଁ ପ୍ରମାଣ ଦେଇଥାନ୍ତେ ତାହା ସେ ପୂର୍ବରୁ ଦେଇସାରିଛନ୍ତି । ପୋଲିସ୍ ପକ୍ଷରୁ ସମନ ଜାରି କରାଯାଇଛି । ସେଥିରୁ ଆମର କୌଣସି ସମ୍ପର୍କ ନାହିଁ ହେଲେ ଆଶିଷ୍‌ ନିଶ୍ଚିତ ରୂପେ ଏସ୍‌ଆଇଟି ନିକଟରେ ଉପସ୍ଥିତ ହେବ ବୋଲି  ଗତକାଲି କହିଥିଲେ ଆଶିଷଙ୍କ ଭାଇ । ହେଲେ ଆଶିଷ୍ ଗତକାଲି କ୍ରାଇମବ୍ରାଞ୍ଚ୍ ନିକଟରେ ହାଜର ହୋଇନଥିଲେ । ତେଣୁ ଆଜି ଦିନ ୧୧ ଟାରେ କ୍ରାଇମବ୍ରାଞ୍ଚ୍ ନିକଟରେ ହାଜର ହେବା ପାଇଁ ଆଶିଷ୍‌ ମିଶ୍ରାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।