• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୋଲକାତା: ତ୍ରିପୁରାରେ ତୃଣମୁଳ କଂଗ୍ରେସ ନେତା ତଥା ଅଭିନେତ୍ରୀ ସୟୋନୀ ଘୋଷଙ୍କୁ ଗିରଫ କଲା ପୋଲିସ । ତେବେ ଟିଏମସି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବିଜେପିର ଗୁଣ୍ଡାମାନେ ସୟୋନୀ ଘୋଷ, ସୁବଲ ଭୌମିକ, ସୁସ୍ମିତା ଦେବ ଏବଂ କୃଣାଲ ଘୋଷଙ୍କୁ ଆକ୍ରମଣ କରିଛନ୍ତି । ଏହି ଘଟଣା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ନେତା ଅଭିଷେକ ବାନାର୍ଜୀ ତ୍ରିପୁରା ଗସ୍ତରେ ଯିବେ ବୋଲି ନିଷ୍ପତି ନେଇଛନ୍ତି । ଏହି ଗସ୍ତ ସମୟରେ ଦଳୀୟ କର୍ମୀଙ୍କୁ ନେଇ ସେ ଶକ୍ତି ପ୍ରଦର୍ଶନ କରିବେ । ଅଭିଷେକ ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ଶାସନର ଗୁଣ୍ଡାରାଜ ଚାଲିଛି ।

ଅନ୍ୟପଟେ ବିଜେପି ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି । ବିଜେପି ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଶନିବାର ରାତିରେ ତ୍ରିପୁରାରେ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କର ଏକ କାର୍ଯ୍ୟକ୍ରମରେ ବିଶୃଙ୍ଖଳା କରିବାକୁ ଚେଷ୍ଟା କରିଥିଲେ ସୟୋନୀ ଘୋଷ । ତେଣୁ ତାଙ୍କୁ ଅଗରତାଲା ମହିଳା ପୋଲିସ ଷ୍ଟେସନରେ ଆଗୁଆ ଗିରଫ କରି ରଖାଯାଇଥିଲା । ଦଳ ପକ୍ଷରୁ କୁହାଯାଇଛି ଯେ, ଏହି ହିଂସା କାଣ୍ଡରେ ତୃଣମୁଳ କଂଗ୍ରେସର ୬ ଜଣ କର୍ମୀ ଆହତ ହୋଇଛନ୍ତି । ପୋଲିସ ପକ୍ଷରୁ କୁହାଯାଇଛି ଯେ କିଛି ଲୋକ, ପୋଲିସ ଷ୍ଟେସନ ନିକଟରେ ଏକତ୍ରିତ ହୋଇଥିଲେ ଏବେ ସେଠାକାର ଲୋକଙ୍କୁ ଆକ୍ରମଣ କରିଥିଲେ । ତେବେ ଏହି ସମୟରେ କେହି ଆହତ ହୋଇନଥିଲେ ।

ସେହି ସମାନ ଥାନାରେ ସୟୋନୀ ଘୋଷଙ୍କୁ ପଚରା ଉଚରା କରାଯାଉଥିଲା । ଅପରାହ୍ନରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ଲୋକଙ୍କ ମଧ୍ୟରେ ଘୃଣା ଓ ହିଂସା ସୃଷ୍ଟି କରୁଥିବା ଅଭିଯୋଗ ରହିଛି । ଏଗୁଡିକ ଜାମିନବିହୀନ ଦଫା କିନ୍ତୁ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇ ପାରିଲା ନାହିଁ । ତେବେ ଏହି ଘଟଣା ପରେ ଅଭିଷେକ ବାନାର୍ଜୀ ଟ୍ୱିଟ୍ କରିଛନ୍ତି ।

ନିକଟରେ ସୁପ୍ରିମକୋର୍ଟ ତ୍ରିପୁରା ପୋଲିସକୁ ସ୍ପଷ୍ଟ କରିଛନ୍ତି ଯେ, କୌଣସି ରାଜନୈତିକ ଦଳ ଯେପରି ସେମାନଙ୍କ ଅଧିକାରରୁ ବଞ୍ଚିତ ହେବେ ନାହିଁ ସେଥିପ୍ରତି ଧ୍ୟାନ ଦେବା ଜରୁରୀ । ନିକଟରେ ତୃଣମୂଳ କଂଗ୍ରେସ ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷର ଅନେକ ଘଟଣା ସାମ୍ନାକୁ ଆସିଛି । ଟିଏମସି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବିଜେପିର ଗୁଣ୍ଡାମାନେ ସେମାନଙ୍କୁ ଆକ୍ରମଣ କରୁଛନ୍ତି । ଜାଣିଶୁଣି ବିଜେପି ପକ୍ଷରୁ ଟିଏମ୍‌ସି କର୍ମୀଙ୍କୁ ହଇରାଣ କରାଯାଉଛି ।