• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲଖିମପୁର : ହିଂସା ସମୟର ହୃଦୟବିଦାରକ ଦୃଶ୍ୟ । ପୁଅ ସାମ୍ନାରେ ଗାଡ଼ି ଚଢ଼ାଇ ବାପାର ଜୀବନ ନେଇଗଲେ । ମୃତକ ଦଲଜିତଙ୍କ ସିଂଙ୍କ ପରିବାର ନ୍ୟାୟ ପାଇଁ ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି । ହିଂସାକାଣ୍ଡ ସମୟରେ ଦଲଜିତଙ୍କ ୧୫ ବର୍ଷର ପୁଅ ଘଟଣାସ୍ଥଳରେ ଥିଲା । ଆଉ ତା’ରି ଆଖି ସାମ୍ନାରେ ସବୁ କିଛି ଘଟିଗଲା । ବାପା କାର ତଳେ ଚାପି ହୋଇଯାଇଥିଲେ। ହେଲେ ଚାହିଁଲେ ବି ସେ କିଛି କରିପାରିଲାନି । ବାପାଙ୍କ ସେହି ଅସହାୟ ମୁହଁଟା ଏବେ ବି ଆଖି ସାମ୍ନାରେ ନାଚି ଉଠୁଛି କହି କହି କାନ୍ଦୁଛି ନାବାଳକ ପୁଅ ।

ମୃତକ ଦଲଜିତ ସିଂ ନାନପାରା କୋଟୱାଲିର କୃଷକ । ତାଙ୍କ ବାପା ହରି ସିଂ ଏବଂ ତାଙ୍କ ମାତାଙ୍କର ମୃତ୍ୟୁ ହୋଇସାରିଛି । ବଡ଼ ଭାଇ ଜଗଜିତ ସିଂ ଗୁରୁଦ୍ୱାରରେ ଜଣେ ଗ୍ରନ୍ଥୀ । ଦଲଜିତ ସିଂଙ୍କର ଦୁଇଟି ପିଲା । ଝିଅ ପରବୀର କୌର ଓ ୧୫ ବର୍ଷର ପୁଅ ରାଜଦୀପ ସିଂ । ତେବେ ଗତକାଲି ଘଟିଥିବା ହିଂସାକାଣ୍ଡ ସମ୍ପର୍କରେ ଗୋଟି ଗୋଟି କଥା କହିଛି ରାଜଦୀପ ।

ମୃତ ଦଲଜିତ ସିଂଙ୍କ ପୁଅ ରାଜଦୀପ ବାପାଙ୍କ ସହ ଗତକାଲି ଆନ୍ଦୋଳନରେ ଯୋଗ ଦେଇଥିଲେ । ନାନପାରା ଠାରୁ ୨୦-୩୦ ଜଣ ଲୋକ ମୋଟର ସାଇକେଲ ଯୋଗେ ଏହି ଆନ୍ଦୋଳନରେ ଯୋଗ ଦେବାକୁ ଯାଇଥିଲେ । କୃଷକମାନେ ଆନ୍ଦୋଳନରେ ଥିବା ବେଳେ ତିନିଟି ଗାଡି ଆସି ବାପାଙ୍କ ସମେତ ବହୁ କୃଷକଙ୍କ ଉପରେ ମଡ଼େଇ ଚାଲିଯାଇଥିଲା । ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିବା ପରେ ତୁରନ୍ତ ତାଙ୍କୁ ମେଡ଼ିକାଲ ନିଆଯାଉଥିଲା, କିନ୍ତୁ ବାଟରେ ତାଙ୍କ ସେ ଜୀବନ ହାରିଥିଲେ । ତେବେ ଖେରି ହିଂସା ଘଟଣାରେ ବହରାଇଚର ଦୁଇଜଣ ଚାଷୀଙ୍କ ମୃତ୍ୟୁ ପରେ ଶୋକର ଛାୟା ଖେଳିଯାଇଛି ।

ସୂଚନାଯୋଗ୍ୟ ଉତ୍ତରପ୍ରଦେଶର ଲଖିମପୁର ଖେରୀରେ ହୋଇଥିବା ହିଂସାରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି । ଜୀବନ ହାରିଥିବା ଲୋକଙ୍କ ମଧ୍ୟରେ ଚାରି ଜଣ କୃଷକ ଥିବାବେଳେ ତିନି ଜଣ ବିଜେପି କର୍ମୀ ଏବଂ ଜଣେ ସାମ୍ବାଦିକ ଅଛନ୍ତି । ଏହି ହିଂସାକୁ ନେଇ ଅନେକ ଥିଅରି ସାମ୍ନାକୁ ଆସୁଛି ।