• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଖପ୍ପା ହୋଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉପବାସରେ ବସିବାକୁ ଘୋଷଣା

ଆମେଥି : ’ଲୋକଙ୍କ କାମ କରାଇ ପାରିଲିନି, ମୁଁ କି ନେତା’ । ସଡ଼କ ତିଆରି ହୋଇ ପାରିଲାନି ବୋଲି ଇସ୍ତଫା ଦେଲେ ବିଧାୟକ । ଲୋକଙ୍କ ସେବା ପାଇଁ ନିର୍ବାଚିତ ହୋଇଥିବା ବେଳେ ଲୋକଙ୍କ କାମରେ ନଲାଗିବାରୁ ଏପରି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ୟୁପି ଆମେଥିର ଗୌରିଗଞ୍ଜ ଆସନରୁ ସପା ବିଧାୟ କରାକେଶ ପ୍ରତାପ ସିଂ ଇସ୍ତଫା ଦେଇଛନ୍ତି । ସେ ରବିବାର ଦିନ ବାଚସ୍ପତି ହୃଦୟ ନାରାୟଣ ଦୀକ୍ଷିତଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି । ଏହା ସହିତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉପବାସରେ ବସିବାକୁ ଘୋଷଣା ମଧ୍ୟ କରିଛନ୍ତି । ମୁଁ ଯଦି ଲୋକଙ୍କ ସମସ୍ୟାର ସମାଧାନ କରିପାରୁ ନାହିଁ, ତେବେ ମୋର ବିଧାୟକ ଭାବରେ କାର୍ଯ୍ୟ କରିବାର କୌଣସି ଲାଭ ନାହିଁ ବୋଲି ଇସ୍ତଫା ପତ୍ରରେ ଲେଖିଛନ୍ତି ।

ବିଧାୟକ ରାକେଶ ପ୍ରତାପ ସିଂ ଦୀର୍ଘ ଦିନ ଧରି ଦୁଇଟି ରାସ୍ତାର ପୁନଃନିର୍ମାଣ ପାଇଁ ଦାବି କରି ଆସୁଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ନିର୍ମିତ ଦୁଇଟି ରାସ୍ତା କାଦୁନାଲା ଠାରୁ ଥୋରୀ ମାର୍ଗ ଏବଂ ମୁସାଫିରଖାନା ଠାରୁ ପାରା ମାର୍ଗ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶୋଚନୀୟ ହୋଇପଡ଼ିଥିଲା । ଆଉ ଏହି ଦୁଇ ରାସ୍ତା ତିଆରି ହୋଇ ନପାରିବାରୁ ସେ ଇସ୍ତଫା ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ।

ଗତ ତିନି ବର୍ଷ ଧରି ବିଧାନସଭାରେ ଏହି ଦୁଇଟି ରାସ୍ତାର ପୁନଃନିର୍ମାଣ ପାଇଁ ଦାବି ଉଠାଉ ଆସୁଥିବା ସେ ଦାବି କରିଛନ୍ତି । ଚଳିତ ବର୍ଷ ଫେବୃଆରୀରେ ଏହି ରାସ୍ତାଗୁଡ଼ିକର ପୁନଃନିର୍ମାଣ କାର୍ଯ୍ୟ ତିନି ମାସ ମଧ୍ୟରେ ଶେଷ ହେବ ବୋଲି ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା । ଆଉ ଏଥିପାଇଁ ଅକ୍ଟୋବର ୨ରେ ସେ ଆମେଥିଙ୍କ କଲେକ୍ଟରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ଅକ୍ଟୋବର ୩୧ସୁଦ୍ଧା ରାସ୍ତା ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ ନହେଲେ, ଇସ୍ତଫା ଦେବେ ଏବଂ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଉପବାସ କରିବେ ବୋଲି କହିଥିଲେ । ଏହି କ୍ରମରେ ଆଜି ତାଙ୍କ କଥା ନରହିବାରୁ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ବିଧାନସଭାର ବାଚସ୍ପତିଙ୍କ ନିକଟରେ ଇସ୍ତଫା ଦେବାବେଳେ ରାକେଶ ସିଂ କହିଛନ୍ତି ରାସ୍ତାର ପୁନଃନିର୍ମାଣ କାର୍ଯ୍ୟ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଆରମ୍ଭ ନହେବାରୁ ଏପରି ନିଷ୍ପତ୍ତି ନେବାକୁ ପଡ଼ିଲା ।

ଅନ୍ୟପଟେ ରାକେଶ ପ୍ରତାପ ସିଂଙ୍କ ସପା ଛାଡି ଖୁବ ଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନା ଜଳ୍ପନା କରାଯାଉଛି । ରାକେଶ ପ୍ରତାପ ସିଂ ଦୀର୍ଘ ଦିନ ଧରି ବିଜେପିର ନିକଟତର ହୋଇଥିବା କୁହାଯାଉଛି । ବର୍ତ୍ତମାନ ନିର୍ବାଚନ ପୂର୍ବରୁ ସେ ସପା ଛାଡି ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଆକଳନ କରାଯାଉଛି ।