• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଜୟପୁର: ରାଜସ୍ଥାନର ବାରମେର-ଯୋଧପୁର ଜାତୀୟ ରାଜପଥରେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ଦୁର୍ଘଟଣା ପରେ ଯାତ୍ରୀବାହୀ ବସଟି ହୁତୁହୁତୁ ହୋଇ ଜଳିଯାଇଥିଲା । ଫଳରେ ନିଆଁରେ ପୋଡ଼ି ହୋଇ ୮ ଜଣ ଲୋକ ପ୍ରାଣ ହରାଇଛନ୍ତି ।

ଏକ ଯାତ୍ରୀବାହୀ ବସ୍ ସହ ଟ୍ୟାଙ୍କରର ମୁହାଁମୁହିଁ ହେବାରୁ ଧକ୍କା ହୋଇଥିବାର ସୂଚନା ମିଳିଛି । ଦୁର୍ଘଟଣାର କିଛି ସମୟରେ ହିଁ ବସରେ ନିଆଁ ଲାଗି ଯାଇ ବସଟି ସମ୍ପୂର୍ଣ୍ଣ ଭାବରେ ଜଳିଯାଇଥିଲା । ସୂଚନା ଅନୁସାରେ, ବସରେ ମୋଟ ୨୫ ଜଣ ଯାତ୍ରୀ ଥିଲେ । ସେଥିମଧ୍ୟରୁ ୧୦ ଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବସରେ ଥିବା ଆଉ ୩ ଜଣଙ୍କର କୌଣସି ପତ୍ତା ମିଳିନାହିଁ ।

 

ଏହି ଯାତ୍ରୀବାହୀ ବସ ସକାଳ ପ୍ରାୟ ୧୦ଟାରେ ବାଲୋତ୍ରାରୁ ବାହାରିଥିଲା । ତେବେ ପଚପଦରା ନିକଟରେ ଏହା ବିପରୀତ ଦିଗରୁ ଆସୁଥିବା ଗୋଟିଏ ଟ୍ୟାଙ୍କରଙ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ହେବା କ୍ଷଣି ବସ ଜଳିବାକୁ ଆରମ୍ଭ କରିଥିଲା । ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ପୁଲିସ୍ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପୋଲିସ ସ୍ଥିତିକୁ ନିୟନ୍ତ୍ରଣ କରି ଘଟଣାର ଯାଞ୍ଚ ଆରମ୍ଭ କରିଛି । ସ୍ଥାନୀୟ ଏସପି ଦୀପକ ଭାର୍ଗବ କହିଛନ୍ତି ଯେ ବସଟି ଗୁଜୁରାଟର ଏକ ଘରୋଇ କମ୍ପାନୀର । ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରାଯିବ ବୋଲି ଏସପି କହିଛନ୍ତି ।

ଦୁର୍ଘଟଣାରେ ମର୍ମାହତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଦୁର୍ଘଟଣାରେ ଜୀବନ ହରାଇଥିବା ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ମୋଦି ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ।