• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଲ୍ୟାଣ ସିଂଙ୍କ ସମ୍ମାନରେ ଉତ୍ତରପ୍ରଦେଶ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଅଯୋଧ୍ୟାରେ ରାମ ଜନ୍ମଭୂମି ପରିସର ପର୍ଯ୍ୟନ୍ତ ଯାଉଥିବା ରାସ୍ତାକୁ “କଲ୍ୟାଣ ସିଂ ମାର୍ଗ” ନାମ ଦିଆଯିବ ବୋଲି ସୂଚନା ଦେଇଛନ୍ତି ୟୁପିର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ । ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଶେଷକୃତ୍ୟ ପୂର୍ବରୁ ଏପରି ନିଷ୍ପତ୍ତି ନିଆଯାଇଛି । ତେବେ ଏହାର କାଗଜପତ୍ର କାମ ଶେଷ କରିବାକୁ ପିଡବ୍ଲୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଯୋଧ୍ୟା ବ୍ୟତୀତ ଲକ୍ଷ୍ନୌ, ପ୍ରୟାଗରାଜ, ଅଲିଗଢ଼, ଏଟା, ବୁଲନ୍ଦଶରରେ ମଧ୍ୟ ଗୋଟିଏ ଗୋଟିଏ ରାସ୍ତାକୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାମରେ ନାମିତ କରାଯିବ । କଲ୍ୟାଣ ସିଂ ଅଲିଗଢ଼ରେ ଜନ୍ମ ନେଇଥିବାରୁ ଅଲିଗଢ଼ ବିମାନବନ୍ଦରକୁ ତାଙ୍କ ନାମରେ ନାମିତ କରିବାକୁ ମଧ୍ୟ ଯୋଜନା ଚାଲିଛି । ଏହି ପ୍ରସଙ୍ଗରେ କ୍ୟାବିନେଟରେ ଖୁବ ଶୀଘ୍ର ନିଷ୍ପତ୍ତି ହୋଇପାରେ ।

ଉତ୍ତର ପ୍ରଦେଶ ବିଜେପିର ଜଣେ ଟାଣୁଆ ନେତା ଥିଲେ କଲ୍ୟାଣ ସିଂହ । ବିଶେଷ କରି ପଛୁଆ ବର୍ଗରେ ନେତା ଭାବେ ତାଙ୍କର ବେଶ୍ ପ୍ରଭାବ ଥିଲା । ୫ ଜାନୁୟାରୀ ୧୯୩୨ରେ କଲ୍ୟାଣ ସିଂଙ୍କ ଜନ୍ମ । ତାଙ୍କ ବାପାମା’ଙ୍କ ତେଜପାଲ ସିଂ ଲୋଧି ଓ ସୀତା ଦେବୀ । କଲ୍ୟାଣ ସିଂ ବିଏ ଏବଂ ଏଲଏଲବି ଅଧ୍ୟୟନ କରିଥିଲେ । ସେ ଦୁଇଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ଏଥି ସହିତ କେନ୍ଦ୍ରରେ ମୋଦି ସରକାର ଗଠନ ପରେ ତାଙ୍କୁ ରାଜସ୍ଥାନ ଏବଂ ହିମାଚଳ ପ୍ରଦେଶର ରାଜ୍ୟପାଳ ମଧ୍ୟ କରାଯାଇଥିଲା ।

ରାମ ମନ୍ଦିର ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କଲ୍ୟାଣ ସିଂ ୬ ଡିସେମ୍ବର ୧୯୯୨ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହି ଦିନ ଅଯୋଧ୍ୟାରେ ବାବ୍ରି ମସଜିଦ ଧ୍ୱସ୍ତ ହୋଇଥିଲା । ଆଉ ତା’ ପରଦିନ କେନ୍ଦ୍ର ସରକାର ମଧ୍ୟ ୟୁପିର କଲ୍ୟାଣ ସିଂ ସରକାରଙ୍କୁ ବରଖାସ୍ତ କରିଥିଲେ । ଏହା ପରେ ସେପ୍ଟେମ୍ବର ୧୯୯୭ ରୁ ନଭେମ୍ବର ୧୯୯୯ ପର୍ଯ୍ୟନ୍ତ କଲ୍ୟାଣ ସିଂ ପୁଣି ଥରେ ୟୁପିର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ସେପଟେ ଆଜି ସମ୍ପନ୍ନ ହେବ କଲ୍ୟାଣ ସିଂହଙ୍କ ଶେଷକୃତ୍ୟ । କଲ୍ୟାଣ ସିଂହଙ୍କ ପରଲୋକରେ ୟୁପିରେ ୩ ଦିନିଆ ଶୋକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେପସିସ୍ ଓ ମଲ୍ଟି ଅର୍ଗାନ ଫେଲିୟର ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହେଉଥିଲା ।