• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ନାଗାଲାଣ୍ଡରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୪ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା । ଏହି ଘଟଣାକୁ ନେଇ ଲୋକସଭା ଭବନରେ ବିବୃତି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ ଏହି ଘଟଣାକୁ ନେଇ ସେ ଅତ୍ୟନ୍ତ ମର୍ମାହତ । ଏହା ଏକ ଦୁଃଖଦାୟକ ଘଟଣା ବୋଲି କହିଛନ୍ତି ଅମିତ ଶାହ । ଏହାସହ ଗୃହରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଅମିତ ଶାହ । ଭୁଲ ବୁଝାମଣାରୁ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଥିବା କହିଛନ୍ତି ଗୃହମନ୍ତ୍ରୀ ।

ଶାହା ଆହୁରି କହିଛନ୍ତି ଯେ, ଘଟଣାସ୍ଥଳରେ ଉଗ୍ରବାଦୀଙ୍କ ଉପସ୍ଥିତି ନେଇ ଭାରତୀୟ ସେନା ବାହିନୀ ପାଖରେ ଖବର ପହଞ୍ଚିଥିଲା । ତେଣୁ ସେନା ବାହିନୀ ପକ୍ଷରୁ ଅପରେସନ୍‌ ଆରମ୍ଭ ହୋଇଥିଲା । ଏହି ଯାଞ୍ଚ ସମୟରେ ଦ୍ରୁତଗତିରେ ଯାଉଥିବା ଏକ ଗାଡ଼ିକୁ ଭାରତୀୟ ଯବାନମାନେ ଅଟକାଇଥିଲା । ହେଲେ ସେହି ଗାଡ଼ିଟି ଅଟକିନଥିଲା । ଓଲଟି ସ୍ପିଡ୍ ବଢ଼ାଇବା ସହ ଆଗକୁ ମାଡ଼ି ଆସିଥିଲା । ଗାଡ଼ିଟି ନ ଅଟକିବାରୁ ସେନା ବାହିନୀ ପକ୍ଷରୁ ଗାଡ଼ି ଉପରକୁ ଗୁଳି ମାଡ଼ କରାଯାଇଥିଲା ।

ଏହାପରେ ଉତ୍‌କ୍ଷିପ୍ତ ହୋଇ ଗ୍ରାମବାସୀ ସେନାବାହିନୀର ଗାଡ଼ିକୁ ଭଙ୍ଗାରୁଜା କରିବା ସହ ସେଥିରେ ନିଆଁ ଲଗାଇ ଦେଇଥିଲେ । ଏହି ପୁରା ଘଟଣାର ତଦନ୍ତ ପାଇଁ ଏକ ଏସଆଇଟି ଟିମ୍ ଗଠନ କରାଯାଇଥିବା କହିଛନ୍ତି ଗ୍ୟହମନ୍ତ୍ରୀ । ଖାଲି ସେତିକି ନୁହେଁ ମାସକ ମଧ୍ୟରେ ତଦନ୍ତ ଶେଷ କରି ରିପୋର୍ଟ ଦେବାକୁ ମଧ୍ୟ ଏସ୍‌ଆଇଟିକୁ ନିର୍ଦେଶ ରହିଛି ।

ତେବେ ଏହି ଦୁଃଖଦ ଘଟଣା ଘଟିଛି ଭାରତର ପୂର୍ବୋତ୍ତର ରାଜ୍ୟ ନାଗାଲାଣ୍ଡରେ । ଶନିବାର ସନ୍ଧ୍ୟାରେ ନାଗାଲାଣ୍ଡର ମୋନା ଜିଲ୍ଲାର ଓଟିଙ୍ଗ ଅଞ୍ଚଳରେ ଏଭଳି ଅଘଟଣ ଘଟିଛି । ନାଗାଲାଣ୍ଡରେ ସୁରକ୍ଷା ବାହିନୀ ଦ୍ୱାରା ଆତଙ୍କବାଦୀ ବିରୋଧୀ ଅପରେସନ ଚାଲିଥିଲା । କିନ୍ତୁ ଭୁଲ ତଥ୍ୟ ଯୋଗୁଁ ଏହି ଅପରେସନ୍‌ରେ ଅନେକ ସ୍ଥାନୀୟ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ସୁରକ୍ଷାକର୍ମୀଙ୍କ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି । ଅନେକ ଲୋକେ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ,  ଆତଙ୍କବାଦୀ ଲୁଚି ରହିଥିବା ନେଇ ଏକ ଗୁପ୍ତ ସୂଚନା ପାଇଥିଲେ ସୁରକ୍ଷା ବାହିନୀ । ତିରୁ-ଓଟିଙ୍ଗ ରାସ୍ତାରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ ସୁରକ୍ଷା ବାହିନୀ । ଏତିକି ବେଳେ ସେହି ରାସ୍ତାଦେଇ କିଛି ଗ୍ରାମବାସୀ ମିନି ପିକ୍‌ ଅପ୍‌ କୋଇଲା ବୋଝେଇ ଟ୍ରକ୍‌ରେ ଘରକୁ ଫେରୁଥିଲେ । କିନ୍ତୁ ଭୁଲରେ ଗ୍ରାମବାସୀଙ୍କୁ ଆତଙ୍କୀ ବୋଲି ଭାବି ନେଇଥିଲା ସେନା । ଏହାପରେ ତାଙ୍କ ଉପରେ ଗୁଳିମାଡ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା ।

ଯେତେବେଳେ ଏହି ଲୋକମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ, ଗାଁର ସ୍ୱେଚ୍ଛାସେବୀମାନେ ସେମାନଙ୍କୁ ଖୋଜିବାକୁ ବାହାରିଥିଲେ । ତା’ପରେ ସେମାନେ ରାସ୍ତା ଉପରେ ସେମାନଙ୍କର ମୃତଦେହ ପଡିଥିବା ପାଇଥିଲେ । ଏହି ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗ୍ରାମବାସୀମାନେ ସୁରକ୍ଷାକର୍ମୀଙ୍କ ଗାଡିରେ ନିଆଁ ଲଗାଇ ଦେଇଥିଲେ । ଏବେବି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ସେପଟେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫିଓ ରିଓ ଶାନ୍ତି ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି, ‘ମୋନ ଜିଲ୍ଲାର ଓଟିଙ୍ଗରେ ସାଧାରଣ ନାଗରିକଙ୍କ ହତ୍ୟା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା ଅତ୍ୟନ୍ତ ନିନ୍ଦନୀୟ । ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ସମବେଦନା ଜଣାଉଛି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି । ଦେଶର ଆଇନ ଅନୁଯାୟୀ ନ୍ୟାୟ କରାଯିବ, ମୁଁ ଶାନ୍ତି ପାଇଁ ସମାଜର ସମସ୍ତ ବିଭାଗକୁ ନିବେଦନ କରୁଛି।’