• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଚିକିତ୍ସା ସୁବିଧା ମଧ୍ୟ ଆରମ୍ଭ ହେଲା 

  • ଉପକୃତ ହେବେ ୭ ଟି ଗାଁର ଲୋକେ

ଛତିଶଗଡ : ସ୍ୱାଧୀନତାର ଏତେ ବର୍ଷ ପରେ ପ୍ରଥମ ଉପହାର । ନକ୍ସଲ ଗଡ଼ରେ ଖୋଲିଲା ରାସନ ଦୋକାନ । ଆଉ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ସହର ଯିବେ ନାହିଁ ଲୋକ । ଛତିଶଗଡ ବିଜାପୁର ଜିଲ୍ଲାର ଭେରମଗଡ ବ୍ଲକରେ ଥିବା ନକ୍ସଲ ଇଲାକା ବେଚାପାଲରେ ଏକ ରାସନ୍ ଦୋକାନ ଖୋଲିଛି । ଜିଲ୍ଲାପାଳା ଓ ଏସପିଙ୍କ ସହାୟତାରେ ଗାଁ ଲୋକମାନେ ଏକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଏକ ରାସନ ସାମଗ୍ରୀ ଦୋକାନର ଉଦ୍‌ଘାଟନ କରିଛନ୍ତି । ଫଳରେ ୭ଟି ଗାଁର ଲୋକ ଉପକୃତ ହେବେ । 

ନକ୍ସଲପ୍ରବଣ ଜିଲ୍ଲା ଭାବେ କୁଖ୍ୟାତ ଛତିଶଡର ବିଜାପୁର ଜିଲ୍ଲା । ଅନେକ ସମୟରେ ନକ୍ସଲ ଆକ୍ରମଣରେ ଯବାନଙ୍କ ମୃତ୍ୟୁ ହେବାପରି ଘଟଣା ଶୁଣିବାକୁ ମିଳେ । ହେଲେ ବର୍ତ୍ତମାନ ସମୟରେ ନକ୍ସଲ ଗଡ କୁହାଯାଉଥିବା ଏହି ଜିଲ୍ଲାର ରୂପରଙ୍ଗ ଧିରେ ଧିରେ ବଦଳିବାକୁ ଲାଗିଲାଣି । ବିଜାପୁର ଜିଲ୍ଲା କଲେକଟର ରିତେଶ ଅଗ୍ରୱାଲ ଏବଂ ଏସ୍‌ପି କମଲଲୋଚନ କଶ୍ୟପ ମିଳିତ ଭାବେ ବିଭିନ୍ନ ଗାଁକୁ ରାସନ ଯୋଜନା ପହଞ୍ଚାଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି । ଯାହା ଅନେକ ନକ୍ସଲ ପ୍ରବଣ ଗାଁ ଲୋକଙ୍କ ପାଇଁ ଏକ ନୃଆ ଆଶା ସୃଷ୍ଟି କରିଛି ।

ସ୍ୱାଧିନତା ପରେ ପ୍ରଥମ ଥର

ନକ୍ସଲ ପ୍ରଭାବିତ ଅଞ୍ଚଳ ବେଚାପାଲରେ ଲୋକମାନେ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହ ଉଚିତ ମୂଲ୍ୟରେ ଉପଲବ୍ଧ ହେଉଥିବା ରାସନ୍ ଦୋକାନ ଉଦ୍‌ଘାଟନ କରିଛନ୍ତି । ସ୍ୱାଧିନତା ପରେ ବେଚାପାଳରେ ପ୍ରଥମ ଥର ପାଇଁ ଉପ ସ୍ୱାସ୍ଥ୍ୟକେନ୍ଦ୍ର ସହ ରାସନ୍ ଦୋକାନ ଖୋଲିଛି । ଗାଁରେ ଏହି ସୁବିଧା ଉପଲବ୍ଧ ହେବା ଯୋଗୁଁ ଆଖପାଖ ୭ ଖଣ୍ଡ ଗାଁର ଲୋକେ ଉପକୃତ ହେବେ । ନକ୍ସଲ ପ୍ରବାବିତ ଅଞ୍ଚଳ ବେଚାପାଳରେ ଗତକାଲି କଲେକ୍ଟର ରିତେଶ ଅଗ୍ରୱାଲ ଏବଂ ଏସ୍‌ପି କମଲଲୋଚନ କଶ୍ୟପଙ୍କ ଉପସ୍ଥିତରେ ଗାଁ ଲୋକମାନେ ନୂଆ ସ୍ୱାସ୍ଥ୍ୟକେନ୍ଦ୍ର ଓ ରାସନ ଦୋକାନର ପୂଜାର୍ଚ୍ଚନା ପରେ ଫିତା କାଟିକି ଉଦ୍‌ଘାଟନ କରିଛନ୍ତି ।

ପ୍ରଥମ ଥର ପାଇଁ ବେଚାପାଲରେ ଉପ-ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଉଚିତ ମୂଲ୍ୟ ଦୋକାନ ଖୋଲିବାରେ ଖୁସି ବ୍ୟକ୍ତ କରିଛନ୍ତି ଗାଁ ଲୋକ । ନିକଟସ୍ଥ ୭ଟି ଗାଁର ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ସୁବିଧା ମିଳିବା ସହ ଅନ୍ୟାନ୍ୟ ଆବଶ୍ୟକୀୟ ରାସନ ସାମଗ୍ରୀ ମିଳିବ ବୋଲି କହିଛନ୍ତି ଗାଁ ଲୋକେ । ଫଳରେ ଲୋକଙ୍କୁ ଆଉ ୧୫ କିଲୋମିଟର ଦୂରକୁ ଯାଇ ରାସନ ସାମଗ୍ରୀ କିଣିବାକୁ ପଡ଼ିବ ନାହିଁ । ଯିବାଆସିବା ଖର୍ଚ୍ଚ ବଞ୍ଚିବା ସହ ଗାଁର ଲୋକମାନେ ସେହି ସମୟକୁ କୃଷି ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରିପାରିବେ ।

ବେଚାପାଲ ଗାଁ ଅତ୍ୟଧିକ ନକ୍ସଲ ପ୍ରଭାବିତ ଅଞ୍ଚଳ ଅଧିନରେ ପ୍ରାୟ ୨୦ ବର୍ଷ ରହିବା ପରେ ପ୍ରଶାସନର ପହଞ୍ଚିଛି, ଯାହା ଗ୍ରାମବାସୀଙ୍କ ପାଇଁ ଆଶାର କିରଣ ସାଜିଛି । ପୂର୍ବରୁ ନକ୍ସଲ ପ୍ରବଣ ଅଞ୍ଚଳର ଗାଁ ଗୁଡିକ ବିକାଶର ମୁଖ୍ୟସ୍ରୋତରୁ ବିଚ୍ଛିନ୍ନ ହୋଇ ରହିଥିଲା । ରାସ୍ତା, ବିଦ୍ୟୁତ୍, ପାନୀୟ ଜଳ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଭଳି ସୁବିଧାରୁ ବଞ୍ଚିତ ହେଉଥିଲେ ଲୋକେ । ହେଲେ ବର୍ତ୍ତମାନ ପ୍ରଶାସନର ପକ୍ଷରୁ ସେଠାରେ ରାସ୍ତା, ବ୍ରିଜ୍ ଏବଂ ପୋଲର ନିର୍ମାଣ କରାଯାଉଛି।