• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

କୋଏମ୍ବାଟୁର: ତାମିଲନାଡୁରେ ନିପା ଭାଇରସ୍‌ ଆକ୍ରାନ୍ତ ରୋଗୀ ଖବର ଗୁଜବ। କେରଳ ପରେ ତାମିଲନାଡୁରେ ନିପା ଭାଇରସ ଆତଙ୍କ ନେଇ ହୋଇଥିବା ଚର୍ଚ୍ଚା ଉପରେ ସ୍ପଷ୍ଟୀକରଣ ରଖିଛି ଜିଲ୍ଲା ପ୍ରଶାସନ। କୋଏମ୍ବାଟୁରର ଜିଲ୍ଲାପାଳ ଜିଏସ୍‌ ସମିରନ୍‌ ଏହାକୁ ଭୁଲ ତଥ୍ୟ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହା ଏକ ଭୁଲ ତଥ୍ୟ। ଗୋଟିଏ ନିପା କେସ୍‌ କେରଳର କଲିକଟରୁ ଚିହ୍ନଟ ହୋଇଥିଲା। ଏହାପରେ  କୋଏମ୍ବାଟୁର ସୀମାରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଏନେଇ କୌଣସି ଆତଙ୍କିତ ହେବାର ଆବଶ୍ୟକ ନାହିଁ।

କରୋନା ପରେ ଏବେ ନିପା ଭାଇରସ ସଂକ୍ରମଣ ଭୟକୁ ଦ୍ନିଗୁଣିତ କରିଛି। ରବିବାର କେରଳରେ ନିପା ଭାଇରସ ମାମଲା ଆସିଥିଲା। କେରଳରେ ଏହି ଭାଇରସ ଦ୍ୱାରା ୧୨ ବର୍ଷର ଏକ ପିଲାର ମୃତ୍ୟୁ ଘଟିବା ସହ ୨ ରୋଗୀ ଚିକିତ୍ସାଧିନ ଅଛନ୍ତି। ପରେ ତାମିଲନାଡୁର କୋଏମ୍ବାଟୁର ଠାରେ ଆଉ ଏକ ରୋଗୀ ଚିହ୍ନଟ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା। କୋଏମ୍ବାଟୁରରେ ନିପା ଭାଇରସର ଚିହ୍ନଟ ଚର୍ଚ୍ଚା ପରେ ଜିଲ୍ଲା ମାଜିଷ୍ଟ୍ରେଟ ଡକ୍ଟର ଜିଏସ ସମୀରନ କହିଥିଲେ ଯେ ବର୍ତ୍ତମାନ୍ ସୁଦ୍ଧା କୌଣସି ବି ମାମଲା ଚିହ୍ନଟ ହୋଇନାହିଁ। ଭୂତାଣୁ ବିସ୍ତାର ନହେବା ପାଇଁ ଆମେ ସମସ୍ତ ସତର୍କତା ଅବଲମ୍ବନ କରୁଛୁ। ଜିଲ୍ଲା ଡାକ୍ତରଖାନାକୁ ଆସୁଥିବା ଜ୍ୱରରେ ପୀଡିତ ରୋଗୀଙ୍କୁ ସଠିକ୍ ଯାଞ୍ଚ କରାଯିବା ପାଇଁ ସୂଚନା ଦେଇଛନ୍ତି।

ନିପା ଭୂତାଣୁ ସାଧାରଣତଃ ପଶୁମାନଙ୍କଠାରୁ ସଂକ୍ରମିତ ହୋଇଥାଏ ଏବଂ ଭୂତାଣୁ ମଣିଷଠାରୁ ମଣିଷକୁ ମଧ୍ୟ ସଂକ୍ରମିତ ହୋଇଥାଏ | ଏହି ଭାଇରସର ପ୍ରଥମ ମାମଲା କେରଳରେ ଚିହ୍ନଟ ହୋଇଥିଲା, ଏହା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି। କେରଳରେ ବର୍ତ୍ତମାନ ସଂକ୍ରମଣ ବଢିବାରେ ଲାଗିଛି। ରାଜ୍ୟ ପୂର୍ବରୁ କରୋନା ବିପର୍ଯ୍ୟୟର ମୁକାବିଲା କରୁଥିବା ବେଳେ ଏବେ ନିପା ଭାଇରସ ଆଉ ଏକ ସଙ୍କଟ ସୃଷ୍ଟି କରିଛି। ନିପା ଭାଇରସ ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ଏକ ଅନୁସନ୍ଧାନକାରୀ ଟିମ୍ କେରଳକୁ ପଠାଇଛନ୍ତି। କେରଳରେ ପହଞ୍ଚିବା ପରେ ଏହି ଟିମ୍ ଭାଇରସରେ ମୃତ୍ୟୁବରଣ କରିଥିବା ବାଳକଙ୍କ ଘରେ ପହଞ୍ଚି ଯାଞ୍ଚ କରିଥିଲା। ସୂଚନା ଅନୁଯାୟୀ ରାମ୍ବୁଟାନ ଫଳ ଖାଇବା ପରେ ହିଁ ବାଳକଟି ସଂକ୍ରମିତ ହୋଇଥିଲା, ତେଣୁ ଅନୁସନ୍ଧାନକାରୀ ଟିମ୍ ନିକଟବର୍ତ୍ତୀ ଅଞ୍ଚଳରୁ ଏହି ଫଳର ନମୁନା ମଧ୍ୟ ସଂଗ୍ରହ କରିଥିଲେ।

କେରଳ ସରକାରଙ୍କ ସୂଚନା ଅନୁଯାୟୀ ପ୍ରାୟ ୨୫୧ ଜଣ ଲୋକ ବାଳକ ସହିତ ସଂସ୍ପର୍ଶରେ ଆସିଥିଲେ। ଏହି ସମସ୍ତ ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି ଏବଂ ସଂକ୍ରମିତ ବାଳକର ଆଖପାଖ ଅଞ୍ଚଳକୁ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ସମ୍ପୃକ୍ତ ପିଲାଟି ଘରର ତିନି କିଲୋମିଟର ପରିଧି ଭିତରକୁ ପ୍ରବେଶ ନିଷେଧ କରାଯାଇଛି। କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ କହିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗର ପ୍ରାଥମିକତା ହେଉଛି  କଣ୍ଟାକ୍ଟ ଟ୍ରେସିଂକୁ ଦୃଢ କରିବା ଏବଂ ସଂକ୍ରମଣର ଉତ୍ସକୁ ଚିହ୍ନିବା। କାରଣ ନିପାରେ ମୃତ୍ୟୁବରଣ କରିଥିବା ୧୨ ବର୍ଷର ବାଳକ ବହୁ ସଂଖ୍ୟକ ଲୋକଙ୍କ ସହିତ ସଂସ୍ପର୍ଶରେ ଆସିଥିବାର ସମ୍ଭାବନା ରହିଛି।

ଏହି ଭାଇରସ ଚିହ୍ନଟ ହେବା ପରେ ସମସ୍ତ ରାଜ୍ୟଙ୍କୁ ଏନେଇ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛି କେନ୍ଦ୍ର। ଏହା ସହ ଟେଷ୍ଟିଂ ବଢାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।