• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ‘ମୁମ୍ବାଇର ୪ ସ୍ଥାନରେ ହେବ ବୋମା ମାଡ଼’ ।

  • ଫୋନ୍‌ କଲ୍‌ ଆସିଥିଲା ମୁମ୍ବାଇ ପୋଲିସକୁ ।

  • ଚାରିଆଡ଼େ ଖେଳିଯାଇଥିଲା ଆତଙ୍କ । 

ମୁମ୍ବାଇ: ‘ମୁମ୍ବାଇର ୪ ସ୍ଥାନରେ ହେବ ବୋମା ମାଡ଼’ । ଏଭଳି ଏକ  ଫୋନ୍‌ କଲ୍‌ ଆସିଥିଲା ମୁମ୍ବାଇ ପୋଲିସକୁ । ଆଉ ତାପରେ ଚାରିଆଡ଼େ ଖେଳିଯାଇଥିଲା ଆତଙ୍କ । ଗତକାଲି ରାତିରେ ଏଭଳି ଏକ ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଥିଲା । 

ଏହି ଫୋନ କଲ ପାଇବା ପରେ ମୁମ୍ବାଇ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଛାନଭିନ୍‌ କରାଯିବା ସହ ଜନଗହଳି ପୂର୍ଣ୍ଣ ସ୍ଥାନଗୁଡ଼ିକୁ ଖାଲି କରାଯାଇଥିଲା । ପୋଲିସକୁ ଏଥିପାଇଁ ଅନେକ ନାକେଦମ୍‌ ହେବାକୁ ମଧ୍ୟ ପଡ଼ିଛି । କାରଣ ଯେଉଁ ଅଜଣା ବ୍ୟକ୍ତି ଏହି ଫୋନ କଲ କରିଥିଲେ, ସେ କଲ୍‌ବ୍ୟାକ୍‌ କରିବାକୁ ମୁମ୍ବାଇ ପୋଲିସକୁ ମନା କରିଥିଲେ । ପୋଲିସକୁ କଲ କରି ବୋମାମାଡ଼ ହେବାର ସୂଚନା ତ ଦେଇଥିଲେ କିନ୍ତୁ ବୋମା ଖଞ୍ଜା ଯାଇଥିବାର ସଠିକ୍‌ ସ୍ଥାନ କିଛି କହିନଥିଲେ । କେବଳ ଛତ୍ରପତି ଶିବାଜୀ ମହାରାଜା ଟର୍ମିନସ୍‌, ଦାଦର, ବାଇକୁଲା ରେଲେଓ୍ୱ ଷ୍ଟେସନ ଏବଂ ଅମିତାଭ ବଚ୍ଚନଙ୍କ ବାସଭବନରେ ବୋମା ଖଞ୍ଜା ଯାଇଥିବା ନେଇ ପୋଲିସକୁ କହିଥିଲେ ।

ଏହି ସୂଚନା ଦେବାର କିଛି ସମୟ ପରେ ସେହି ନମ୍ବର ମଧ୍ୟ ସ୍ୱିଚ୍‌ଅଫ୍‌ ହୋଇଯାଇଥିଲା । ତେଣୁ ନିର୍ଦ୍ଧିଷ୍ଠ ଭାବେ କେଉଁଠି ବୋମା ଖଞ୍ଜାଯାଇଛି ସେନେଇ ପୋଲିସ ସଠିକ୍‌ ତଥ୍ୟ ପାଇପାରି ନଥିଲା । ଏଥିପାଇଁ ମୁମ୍ବାଇ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ କରାଯାଇଥିଲା ଏବଂ ଅନେକ ନାକେଦମ ହେବାକୁ ପଡ଼ିଥିଲା । ବୋମା ଖଞ୍ଜାଯାଇଥିବା ଖବର ଆସିବା ପରେ ବୋମା ଓ ଡଗ୍ ସ୍କ୍ୱାର୍ଡକୁ ଆଲର୍ଟ କରାଯାଇଥିଲା । ଶେଷରେ ପୋଲିସ ନିରାଶ ହୋଇଥିଲା । ପରେ ଜଣାପଡ଼ିଥିଲା ଯେ, ଫୋନ୍‌ କଲ୍‌ଟି ଫେକ୍‌ ଥିଲା । ଜାଣିଶୁଣି କେହି ଦୁର୍ବୃତ୍ତ ପୋଲିସକୁ ଫୋନ୍‌ କରି ହଇରାଣ କରିବାକୁ ଚେଷ୍ଟା କରିଥିଲା । ପରବର୍ତ୍ତୀ ସମୟରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଏହାକୁ ଏକ ଗୁଜବ ବୋଲି କହିବା ସହ ଏହି ମାମଲାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।