• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଓ୍ୱାସିଂଟନରେ ମୋଦି-ବାଇଡେନ୍ ଭେଟ । ହ୍ୱାଇଟ୍ ହାଉସ୍‌ରେ ଉଭୟଙ୍କ ମଧ୍ୟରେ ଆଲୋଚନା । ସୂଚନା ଅନୁସାରେ ଭାରତ-ଆମେରିକା ସଂପର୍କକୁ ଆଉ ପାଦେ ଆଗେଇ ନେବା ପାଇଁ ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେଉଛି । ଆଫଗାନିସ୍ତାନ ଓ ଆତଙ୍କବାଦ ବିଷୟ ମଧ୍ୟ ଆଲୋଚନାରେ ସ୍ଥାନ ପାଇଥାଇପାରେ ବୋଲି ଅନୁମାନ କରାଯାଉଛି ।

ବୈଠକ ଆଗରୁ ବାଇଡେନ ଟ୍ୱିଟ୍‌ କରି କହିଥିଲେ ଯେ, ଉଭୟ ଦେଶର ସଂପର୍କ ଦୃଢ଼ କରିବା ନେଇ ସେ ଆଶାବାଦୀ । ମୁକ୍ତ ଓ ଖୋଲା ଇଣ୍ଡୋ-ପ୍ୟାସିଫିକ୍ ଅଞ୍ଚଳ ପାଇଁ ମିଳିମିଶି କାମ କରିବା ସହିତ କୋଭିଡଠାରୁ ଆରମ୍ଭ କରି ଜଳବାୟୁ ପରିବର୍ତ୍ତନ ଯାଏ ଭାରତ-ଆମେରିକା ଏକାଠି କାମ କରିବେ । ବାଇଡେନ୍‌ଙ୍କ ଏଭଳି ବୟାନ୍‌ ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ ବୋଲି ବିଭିନ୍ନ ମହଲରେ କୁହାଯାଉଛି ।

ଦୁଇ ନେତାଙ୍କ ସାକ୍ଷାତ ଓ ଆଲୋଚନା ପରେ ରାତି ପ୍ରାୟ ସାଢ଼େ ୧୧ଟାରେ ରହିଛି କ୍ୱାଡ୍ ସମ୍ମିଳନୀ । ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ବ୍ୟକ୍ତିଗତ ଉପସ୍ଥିତିରେ ଏହି ବୈଠକ ହେଉଛି । ଚୀନ ଦାଦାଗିରି ଏବଂ ଇଣ୍ଡୋ-ପ୍ୟାସିଫିକ ରିଜିଅନ୍‌ର ବିଭିନ୍ନ ପ୍ରସଙ୍ଗ ଫୋକସ୍‌ରେ ରହିପାରେ । ଆଜି ପ୍ରଧାନମନ୍ତ୍ରୀ ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କୁ ଭେଟି ଆଫଗାନିସ୍ତାନ, ପାକିସ୍ତାନ, ଆତଙ୍କବାଦ, କରୋନା ମହାମାରୀ ଆଦି ସଂପର୍କରେ ଆଲୋଚନା କରିଥିଲେ ।

ତେବେ ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା ଚାଲିଥିବା ବେଳେ ହଠାତ୍‌ କମଳା ହ୍ୟାରିସ ନିଜ ଆଡ଼ୁ ପାକିସ୍ତାନର ଆତଙ୍କବାଦ ପ୍ରୀତି କଥା ଉଠାଇଛନ୍ତି । ପାକିସ୍ତାନରେ ଆତଙ୍କୀ ଗ୍ରୁପ୍‌ ବେଧଡ଼କ କାର୍ଯ୍ୟ କରୁଥିବା ସେ କହିବା ସହ ଇସଲାମାବାଦକୁ ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ପାକିସ୍ତାନ ସହ ତାଲିବାନଙ୍କ ସମ୍ପର୍କ କଥା ମଧ୍ୟ ଏହି ବୈଠକରେ ଉଠିଛି ।