• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ନ୍ୟାୟ ପାଇଁ ୨୦୦ କିମି ଚାଲିଲେ

  •   ଚାଲି ଚାଲି ସୁପ୍ରିମ କୋର୍ଟ ଆସିଲେ

ନୂଆଦିଲ୍ଲୀ: ମିଛ ମାମଲାରେ ଫସିଲେ। ବଦ୍‌ନାମ ହେଲେ। ପୋଲିସ ତଦନ୍ତ କରି ତାଙ୍କୁ ପରେ ଅବଶ୍ୟ କ୍ଲିନ ଚିଟ୍‌ ଦେଲା। ହେଲେ ତାଙ୍କ ସ୍ଥିତି ସୁଧୁରିଲା ନାହିଁ। ଶେଷରେ ନ୍ୟାୟ ପାଇବା ସୁପ୍ରିମ କୋର୍ଟକୁ ଯିବା ପାଇଁ ମନସ୍ଥ କଲେ। ଭାବୁଥିବେ, ନ୍ୟାୟ ଆଶାରେ ତ ସମସ୍ତେ ସୁପ୍ରିମ୍‌ କୋର୍ଟ ଆସନ୍ତି। ଏଥିରେ ନୂଆ କ’ଣ ଅଛି ? ନୂଆ ଏହା ଯେ, ନିଜର ଧର୍ମ କ’ଣ ପ୍ରମାଣିତ କରିବାକୁ ସେ ୨୦୦ କିଲୋ ମିଟର ଚାଲି ଚାଲି ସୁପ୍ରିମକୋର୍ଟ ଆସୁଛନ୍ତି। 

ବିଭିନ୍ନ ପ୍ରଲୋଭନ ଦେଖାଇ ଇସ୍‌ଲାମ ଧର୍ମ କବୁଲ କରିଥିବା ଅଭିଯୋଗରେ ଉତ୍ତରପ୍ରଦେଶ ଏଟିଏସ୍‌ କିଛି ଦିନ ତଳେ କେତେଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଏମାନଙ୍କ ପାଖରୁ ପୋଲିସ କିଛି ଲୋକଙ୍କୁ ଚିହ୍ନଟ କରିଥିଲା ଯେଉଁମାନେ ଧର୍ମ ପରିବର୍ତ୍ତନ କରିଥିଲେ । ଏହି ତାଲିକାରେ ଥିଲେ ମେରଠର ପ୍ରବୀଣ କୁମାର। ହେଲେ ପ୍ରବୀଣ କୁମାର ଏପରି ଧର୍ମ ପରିବର୍ତ୍ତନକୁ ଅସ୍ୱୀକାର କରିଥିଲେ। ସେ କହିଥିଲେ ତାଙ୍କ ନାମ ଭୁଲ ବଶତଃ ଉଲ୍ଲେଖ କରାଯାଇଛି । ତଦନ୍ତ ପରେ ୟୁପି ଏଟିଏସ ମଧ୍ୟ ତାଙ୍କୁ କ୍ଲିନ ଚିଟ୍‌ ଦେଇଥିଲା । ହେଲେ ଏହା ପରେ ବି ତାଙ୍କୁ ସାମାଜିକ ବାଚ୍ଛନ୍ଦ କରାଯାଇଛି। ଏଥିସହିତ ଅନ୍ୟ ସମସ୍ୟାକୁ ମଧ୍ୟ ସାମ୍ନା କରିବାକୁ ପଡ଼ୁଛି। ତେବେ କଥା ଏତିକିରେ ସରିନି। ପ୍ରବୀଣ କୁମାର ଏବେ ନିଜ ମର୍ଯ୍ୟାଦା, ସମ୍ମାନ ଫେରି ପାଇବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଏପରିକି ସେ ୨୦୦ କିମି ରାସ୍ତା ଚାଲି ଚାଲି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଆସୁଛନ୍ତି। 

ଟାଇମ୍ସ ଅଫ ଇଣ୍ଡିଆ ଅନୁସାରେ, ଚାଲିଚାଲି ସୁପ୍ରିମ କୋର୍ଟରେ ପହଞ୍ଚିବା ପରେ ନିଜ ସମ୍ମାନ ଫେରି ପାଇବା ପାଇଁ ଏକ ଯାଚିକା ଆଗତ କରିବ। ଏହି ଯାତ୍ରା ସମୟରେ ତାଙ୍କୁ ଭୀଷଣ ବର୍ଷା ସହ ବିଭିନ୍ନ ସମସ୍ୟାକୁ ସାମ୍ନା କରିବାକୁ ପଡୁଛି। ତଥାପି ତାଙ୍କର ଯାତ୍ରା ଅବ୍ୟାହତ ରହିଛି।  

ପ୍ରବୀଣ କୁମାର ଜଣେ ପିଏଚଡି ସ୍କଲାର। ୟୁପି ପୋଲିସ ଗତ ମାସରେ ଧର୍ମାନ୍ତରୀକରଣ ମାମଲାରେ ତାଙ୍କୁ ନିଜ ଗାଁ ଶୀତଳା ଖେଡାରୁ ଜେରା ପାଇଁ ଉଠାଇ ଆଣିଥିଲା। ଏହା ପରେ ତାଙ୍କୁ ଗାଁରେ ତିରସ୍କାରର ସାମ୍ନା କରିବାକୁ ପଡ଼ିଥିଲା। ସେ ନିଜକୁ ହିନ୍ଦୁ ରାଷ୍ଟ୍ରବାଦୀ ବୋଲି କହନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ପୁସ୍ତକ ଲେଖିଛନ୍ତି। 

ପ୍ରବୀଣଙ୍କ କହିଛନ୍ତି, ‘ମୁଁ ଚାହେଁ, ଦେଶବାସୀ ଜାଣନ୍ତୁ ମୁଁ କିପରି ପରିସ୍ଥିତିର ସାମ୍ନା କରି ବଞ୍ଚିଛି।’  ନିଜର ସ୍ଥିତି ବିଷୟରେ ବର୍ଣ୍ଣନା କରିବାକୁ ଯାଇ ସେ କହିଛନ୍ତି,  ‘ଦିନେ ସେ ନିଦରୁ ଉଠିବା ପରେ ଦେଖିଲେ, ତାଙ୍କ ଘର ବାହାରେ ଲେଖା ଯାଇଛି ‘ଆତଙ୍କବାଦୀ’ ଏବଂ ‘ପାକିସ୍ତାନ ଯାଅ’।’

ପ୍ରବୀଣ କୁମାର ସ୍ଥାନୀୟ ଏକ ଆଖୁ ମିଲ୍‌ରେ ଅଧିକାରୀ ପଦରେ ଅଧିଷ୍ଠିତ। ପ୍ରବୀଣ ସୁପ୍ରିମ କୋର୍ଟଙ୍କୁ ତାଙ୍କର ଯାତ୍ର ମଙ୍ଗଳବାର ଆରମ୍ଭ କରିଥିଲେ। ତାଙ୍କର ଏହି ଯାତ୍ରା ୧୧ ଦିନ ମଧ୍ୟରେ ଶେଷ ହେବ ବୋଲି ସେ ଆଶା ରଖିଛନ୍ତି। 

ସେ କହିଛନ୍ତି, ‘ମୁଁ ଶୀର୍ଷ ଅଦାଲତରେ ମୋ ନାଁ ସ୍ପଷ୍ଟ କରିବାକୁ ଦାବି କରିବି। ମୋର ଆଶା ଅଛି ଏହା ପରେ ପରିସ୍ଥିତିରେ ସୁଧାର ଆସିବ।’ ୟୁପି ଏଟିଏସ ପ୍ରବୀଣଙ୍କ ଘରେ ଜୁନ୍‌ ୨୩ ତାରିଖରେ ଛାପା ମାରିଥିଲା। ଏଟିଏସ ଟିମ୍‌ ଅବ୍‌ଦୁଲ ସମଦ ନାମକ ଜଣେ ବ୍ୟକ୍ତିଙ୍କୁ ଖୋଜୁଥିଲା। ତାଙ୍କ ପାଖରେ ଏକ ତାଲିକା ଏବଂ ସାର୍ଟିଫିକେଟ ଥିଲା ଯେଉଁଥିରେ ଇସଲାମ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ସୂଚନା ରହିଥିଲା। ସାର୍ଟିଫିକେଟରେ ପ୍ରବୀଣ କୁମାରଙ୍କ ଫଟୋ ଲାଗିଥିଲା ଏବଂ ଏଥିରେ ତାଙ୍କ ନାଁ ଅବଦୁଲ ସମଦ୍‌ ଲେଖା ଯାଇଥିଲା।