• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଖି ଢ଼ଳ ଢ଼ଳ । ମା’ କାନ୍ଦୁଛି, ଭଉଣୀ କାନ୍ଦୁଛି , ଗାଁ ଲୋକ କାନ୍ଦୁଛନ୍ତି । ସମସ୍ତଙ୍କ କାନ୍ଦ ଦେଖି, ସେ ବି କାନ୍ଦୁଛି । ସାଲ୍ୟୁଟ୍ ମାରି ଯବାନ୍ ବାପାଙ୍କୁ ଶେଷ ବିଦାୟ ଦେଉଛି କୁନି ପୁଅ । ବାପାଙ୍କୁ ମୁହଁରେ ମୁଖାଗ୍ନି ଦେଉଛି ସତ, ହେଲେ ବାପା କାଳର କୋଳରେ ଶୋଇଯାଇଥିବା ଜାଣିପାରୁନି । ବଡ଼ ଦିଦିଙ୍କୁ ପଚାରୁଛି, ବାପା କୁଆଡ଼େ ଗଲେ । କେବେ ଫେରିବେ ? ସେ ଜାଣିନି ଯେ ବାପା ଆଉ ଛୁଟିରେ ଘରକୁ ଫେରିବେନି କି ଚକୋଲେଟ୍, ଆଇସକ୍ରିମ୍ ଖାଇବାକୁ ଦେବେନି । ଅଝଟ ହେଲେ ବୁଲାଇବାକୁ ନେବେନି କି ଭଳି କି ଭଳି ଖେଳନା ଆଣିଦେବେନି ।

ଛତିଶଗଡର ସୁକମା ଠାରେ ସାଥୀଙ୍କ ଗୁଳିରେ ପ୍ରାଣ ହରାଇଥିବା CRPF ଯବାନ ଧର୍ମେନ୍ଦ୍ର ସିଂଙ୍କ ଅନ୍ତିମ ସଂସ୍କାର କରାଯାଇଛି । ବୁଧବାର ସକାଳ ୮ଟାରେ ଗରୁଡା ଗ୍ରାମରେ ସୈନ୍ୟ ସମ୍ମାନ ସହ ତାଙ୍କୁ ବିଦାୟ ଦିଆଯାଇଛି । ଚାରି ବର୍ଷର କୁନି ପୁଅ ସିତୁ କୁମାର ମୃତ ଯବାନଙ୍କୁ ମୁଖାଗ୍ନି ଦେବା ସମୟରେ, ସେଠାରେ ଉପସ୍ଥିତ ହଜାର ହଜାର ଲୋକଙ୍କ ଆଖିରୁ ଲୁହ ଝରିପଡ଼ୁଥିଲା । ଯବାନଙ୍କ ପତ୍ନୀ ସୁନୀତା ଦେବୀଙ୍କ ବୁକୁଫଟା କ୍ରନ୍ଦନ ଏବଂ ତିନି ନିରୀହ ପିଲାଙ୍କ ଲୁହକୁ କେହି ସହ୍ୟ କରିପାରୁନଥିଲେ ।

ଯବାନଙ୍କ ବୃଦ୍ଧ ବାପା ରାମ ବଚ୍ଚନ ସିଂଙ୍କ ଆଖିରୁ ଲୁହ ଥମୁନଥିଲା । ଯେଉଁ ବୟସରେ ପୁଅ କାନ୍ଧରେ ମଶାଣି ଯିବା କଥା ସେହି ବୟସରେ ପୁଅକୁ ଏପରି ଅବସ୍ଥାରେ ଦେଖିବାକୁ ପଡ଼ିଲା । ଆଉ ତିନି ପୁଅ ତାଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଥିଲେ, ହେଲେ ପୁଅକୁ ହରାଇ କୋହ ସମ୍ଭରଣ କରିପାରୁନଥିଲେ ବୁଢ଼ା ବାପା । ସେହିପରି ସ୍ୱର୍ଗତ ଧର୍ମେନ୍ଦ୍ର ସିଂଙ୍କ ଚାରି ବର୍ଷର ପୁଅ ସିତୁ କୁମାର ବାରମ୍ବାର ତାଙ୍କ ଭଉଣୀ ରୁବି (୧୦ ବର୍ଷ) ଏବଂ ରିୟା (୮ ବର୍ଷ)କୁ ପଚାରୁଥିଲା, ବାପା କେଉଁଆଡେ ଚାଲିଗଲେ । ସମସ୍ତେ ଶୁଣୁଥିଲେ, ହେଲେ କେହି କିଛି ଉତ୍ତର ଦେଇ ପାରୁନଥିଲେ ।

ଧର୍ମେନ୍ଦ୍ରଙ୍କ ଅନ୍ତିମ ସଂସ୍କାର ପୂର୍ବରୁ CRPF 47 ବାଟାଲିଅନର ବିଜେନ୍ଦ୍ର ସିଂ ଭାଟିଙ୍କ ନେତୃତ୍ୱରେ ଯବାନଙ୍କୁ ଅନ୍ତିମ ସଲାମୀ ଦିଆଯାଇଥିଲା । ତାପରେ ବାପାଙ୍କୁ ଶେଷ ସଲାମ ଦେଇଥିଲେ ତିନି ପିଲା । ଧର୍ମେନ୍ଦ୍ର ସିଂ ଅମର ରହିବେ, ଜବ୍ ତକ୍ ସୂରଜ୍ ଚାନ୍ଦ ରହେଗା, ଧର୍ମେନ୍ଦ୍ର ସିଂ କା ନାମ ରହେଗା, ଭାରତ ମାତା କି ଜୟ ସ୍ଲୋଗାନ ମଧ୍ୟରେ ତାଙ୍କୁ ଶେଷ ବିଦାୟ ଦିଆଯାଇଥିଲା ।

ରବିବାର ବିଳମ୍ବିତ ରାତିରେ ସୁକମାରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ଜଣେ ଯବାନ AK-47 ରେ ସାଥୀ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ଘଟଣାରେ ଚାରି ଜଣ ଯବାନଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରେ ରୋହତସ ଜିଲ୍ଲାର ସଞ୍ଜଲି ଥାନା ଅନ୍ତର୍ଗତ ଗରୁଡା ଗ୍ରାମ ନିବାସୀ ରାମ ବଚନ ସିଂଙ୍କ ପୁଅ ଧର୍ମେନ୍ଦ୍ର ସିଂ ଥିଲେ।