• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆସନ୍ତା ବର୍ଷ ଗୋଆ ବିଧାନସଭା ର୍ନିବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟକା ।

  • ଲୁଇଜିନୋ ଫାଲେଇରୋ ତାଙ୍କ ସମର୍ଥକଙ୍କ ସହ ଟିଏମସିରେ ମିଶିଛନ୍ତି ।

  • କିଛି ଦିନ ତଳେ ସେ କଂଗ୍ରେସର ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । 

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଗୋଆ ବିଧାନସଭା ର୍ନିବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟକା । ଦଳର ବିଧାୟକ ତଥା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିନୋ ଫାଲେଇରୋ ତାଙ୍କ ସମର୍ଥକଙ୍କ ସହ ଟିଏମସିରେ ମିଶିଛନ୍ତି । କିଛି ଦିନ ତଳେ ସେ କଂଗ୍ରେସର ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ଆଜି ସେ ଟିଏମସିର ମହାସଚିବ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଦଳରେ ଯୋଗଦେଇଛନ୍ତି । ଅଭିଷେକ ତାଙ୍କୁ ଟିଏମସିର ପତାକା ଦେଇ ଦଳକୁ ସ୍ୱାଗତ କରିଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିନୋ ଟିଏମସିରେ ମିଶିବାକୁ ଥିବାରୁ ନିଜ ସମର୍ଥକମାନଙ୍କ ସହ ମଙ୍ଗଳବାର ଠାରୁ କୋଲକାତାରେ ରହିଥିଲେ । ଟିଏମସିରେ ମିଶିବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ପ୍ରଶଂସା କରିଥିଲେ । ଆଜି ମମତା ତାଙ୍କୁ ଟିଏମସି ପରିବାରକୁ ସ୍ୱାଗତ ଜଣାଇଛନ୍ତି । ଆଜିର ମିଶ୍ରଣ ପର୍ବରେ ଲୁଇଜିନୋଙ୍କ ସହ ଆଉ ୧୦ ଜଣ କଂଗ୍ରେସ ନେତା ମଧ୍ୟ ଟିଏମସିରେ ଯୋଗଦେଇଛନ୍ତି । ସୋମବାର ଲୁଇଜିନୋ ବିଧାୟକ ପଦ ଛାଡ଼ିଥିଲେ । ଲୁଇଜିନୋଙ୍କ ଇସ୍ତଫା ପରେ ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୪କୁ ହ୍ରାସ ପାଇଛି ।

ସେପଟେ ଦିନକୁ ଦିନ ପଞ୍ଜାବ କଂଗ୍ରେସ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ପଞ୍ଜାବରେ ଦେଖିବାକୁ ମିଳିଛି ହାଇପ୍ରୋଫାଇଲ ଡ୍ରାମା । ମାତ୍ର ୭୨ ଦିନ ପରେ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ । ଆଉ ଏହା ପରେ ସେ ପ୍ରତିକ୍ରିୟା ରଖିଛନ୍ତି ଯେ, ଗତ ୧୭ ବର୍ଷ ଧରି ସେ ରାଜନୀତି କରୁଛନ୍ତି । ପଞ୍ଜାବ ଲୋକଙ୍କ ଜୀବନ ସୁଧାରିବା ସହ ସେମାନଙ୍କ ପାଇଁ କାମ କରିଛନ୍ତି । ଏଥିପାଇଁ ସେ ଲଢ଼େଇ ଜାରି ରଖିବେ । ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ସେ କେବେ ବି ଅମାନ୍ୟ କରିନାହାନ୍ତି । ନା ଆଗାମୀ ଦିନରେ ଏଭଳି କିଛି ହେବ ବୋଲି ସେ ଦୋହରାଇଛନ୍ତି ।

ତାଙ୍କ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ସିଦ୍ଧୁ କହିଛନ୍ତି ଯେ, ମୁଁ କେବେ ଦଳୀୟ ଏଜେଣ୍ଡା ପାଇଁ ସଂଗ୍ରାମ କରି ନାହିଁ । ହାଇକମାଣ୍ଡଙ୍କୁ ମୁଁ କେବେ ବିଭ୍ରାନ୍ତି କରିନାହିଁ । ମୁଁ ଯେକୌଣସି ତ୍ୟାଗ ପାଇଁ ପ୍ରସ୍ତୁତ ଅଛି । ପଞ୍ଜାବ ସରକାରରେ ନୂତନ ନିଯୁକ୍ତି ସମ୍ପର୍କରେ ସିଦ୍ଧୁ କହିଛନ୍ତି ଯେ, କଳଙ୍କିତ ନେତା ଓ  କଳଙ୍କିତ ଅମଲାତନ୍ତ୍ରଙ୍କ ସହ ଆମେ ଏକ ନୂତନ ବ୍ୟବସ୍ଥା ଚଳାଇ ପାରିବୁ ନାହିଁ ବୋଲି ସେ କହିଛନ୍ତି ।

ଏପଟେ ସମର୍ଥକଙ୍କ ସହ ସିଦ୍ଧୁଙ୍କ ଭେଟଘାଟ ଜାରି ରହିଛି । ସିଦ୍ଧୁଙ୍କ ସମର୍ଥକ ପଞ୍ଜାବ ପିସିସିର କାର୍ଯ୍ୟକାରୀ ସଭାପତି ପବନ ଗୋଏଲଙ୍କ ସହ ବହୁ ନେତା ଆଜି ମଧ୍ୟ ଯାଇ ତାଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ପରବର୍ତ୍ତି ପିସିସି ସଭାପତି ନେଇ କଂଗ୍ରେସ ପ୍ଲାନ୍ ବି ଆପଣାଇଛି । କାରଣ ସିଦ୍ଧୁ ପଦ ଛାଡ଼ିବା ପରେ ଏବେ ନୂଆ ଚେହେରାକୁ ଦଳ ଆଣିବାକୁ ଯାଉଛି । ଏହି ରେସ୍‌ରେ ବିଧାୟକ କୁଲଜିତ୍ ସିଂହ ନାଗରା ଓ ସାଂସଦ ରବନୀତ ସିଂହ ବିଟ୍ଟୁ ରହିଛନ୍ତି । 

ଅନ୍ୟପଟେ, କଂଗ୍ରେସରେ କନ୍ଦଳ ଲାଗି ରହିଥିବା ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି, ବିବାଦର ସମାଧାନ କରିବାକୁ ପ୍ରୟାସ କରିଛନ୍ତି । ସେ ସିଦ୍ଧୁଙ୍କ ସହ କଥା ହେବା ସହ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି । ଏଥିସହ ସେ ଯେଉଁ ସବୁ ପ୍ରସଙ୍ଗ ଉଠାଇଛନ୍ତି, ତାର ସମାଧାନ କରିବାକୁ ଚନ୍ନି ରାଜି ଥିବା ମଧ୍ୟ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଆଜି କ୍ୟାବିନେଟ ବୈଠକ ପରେ ଚନ୍ନି କହିଛନ୍ତି, ଯଦି କୌଣସି ନିଯୁକ୍ତିକୁ ନେଇ କାହାର ଆପତ୍ତି ରହିଛି, ତାହେଲେ ଏହାକୁ ବଦଳାଇବାକୁ ମୁଁ ରାଜି ଅଛି । ସବୁ ପ୍ରସଙ୍ଗକୁ କଥାବାର୍ତ୍ତା ଦ୍ୱାରା ସାମାଧାନ କରିହେବ ବୋଲି ସେ କହିଛନ୍ତି ।