• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଆଇ ଫୋନ୍ ବଦଳରେ ଆସିଲା ସାବୁନ

ଥିରୁଅନନ୍ତପୁରମ୍: ଅନ୍‌ଲାଇନ୍‌ ଅର୍ଡର ପଡିଲା ମହଙ୍ଗା । ଅର୍ଡର ହୋଇଥିଲା ଫୋନ୍ ହେଲେ ଆସିଛି ୫ ଟଙ୍କିଆ ସାବୁନ୍‌ । ଅନ୍‌ଲାଇନ୍‌ରେ ଅଫର ଦେଖି କେରଳର ଜଣେ ବ୍ୟକ୍ତି ଆମାଜନରୁ ଆଇଫୋନ୍ ୧୨ ଅର୍ଡର କରିଥିଲେ । ହେଲେ ତାଙ୍କ ଘରକୁ ଆଇଫୋନ୍‌ ବଦଳରେ ଆସିଛି ଏକ ସାବୁନ୍ । ଯାହାକୁ ଦେଖି ସେ ବିରକ୍ତ ହୋଇଛନ୍ତି ।

ପାର୍ବଣ ଋତୁ ଆସିଲେ ଇ-କମ୍ପାନୀମାନେ ସବୁ ଜିନିଷରେ ରିହାତି ପ୍ରଦାନ କରିଥାନ୍ତି । ଠିକ୍‌ ସେହିଭଳି ଆଗାମୀ ଦୀପାବଳି ଅବସର ପାଇଁ ଇ-କମର୍ସ କମ୍ପାନୀଗୁଡିକ ଅଧିକାଂଶ ଜିନିଷ ଉପରେ ରିହାତି ପ୍ରଦାନ କରିଛନ୍ତି । ଫଳରେ ଗ୍ରାହକମାନେ ମୋବାଇଲ୍ ଠାରୁ ଆରମ୍ଭ କରି ଟିଭି, ଫ୍ରିଜ୍, ଏସି ଏବଂ ଅନ୍ୟାନ୍ୟ ଜିନିଷକୁ ବଡ଼ ରିହାତି ସହିତ ପାଇପାରୁଛନ୍ତି । ଯଦି ଆପଣମାନେ ମଧ୍ୟ ଏହି ପାର୍ବଣ ଋତୁରେ ଅନଲାଇନ୍ ମାଧ୍ୟମରେ ମୋବାଇଲ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ସତର୍କ ହୋଇଯାଆନ୍ତୁ ।

ସୂଚନା ଅନୁସାରେ, କେରଳର ଅଲୁବା ସ୍ଥିତ ନୁରୁଲ ଆମିନ ଗତ ୧୨ ଅକ୍ଟୋବରରେ ଆମାଜନରୁ ୭୦,୯୦୦ ଟଙ୍କାର ଏକ ଆଇଫୋନ୍‌ ଅର୍ଡର କରିଥିଲେ । ସେ ଖୁବ୍‌ ଉତ୍ସାହର ସହିତ ଫୋନ୍‌ ଆସିବାର ଅପେକ୍ଷା କରିଥିଲେ । ତାଙ୍କ ଅପେକ୍ଷାର ଅନ୍ତ ଘଟିଥିଲା ଶେଷରେ ଅକ୍ଟୋବର ୧୫ ତାରିଖରେ ତାଙ୍କ ନିକଟକୁ ସେହି ଅର୍ଡରର ପାର୍ସଲ ଆସିଥିଲା । ହେଲେ ତାଙ୍କ ଘରେ କ’ଣ ପହଞ୍ଚିଲା ଦେଖି ସେ ଏବଂ ତାଙ୍କ ପରିବାର ଲୋକ ଦେଖି ବିରକ୍ତ ହୋଇଗଲେ । କାରଣ ତାଙ୍କ ଘରକୁ ଆସିଥିବା ଆଇଫୋନ୍ ବକ୍ସରେ ଆଇଫୋନ୍‌ ନଥିଲା । ଆଇଫୋନ୍‌ ବଦଳରେ ଭିମ୍ ବାର୍ ଏବଂ ପାଞ୍ଚ ଟଙ୍କିଆ କଏନ୍‌ ଥିଲା ।

ନୁରୁଲଙ୍କ ଅଭିଯୋଗ ଅନୁସାରେ, ତାଙ୍କ ପାର୍ସଲ ହାଇଦ୍ରାବାଦରୁ ବାହାରି କୌଣସି ଏକ କାରଣରୁ ସାଲେମରେ ରହିଥିଲା ବୋଲି ସେ ଟ୍ରାକିଂରୁ ଜାଣିପାରିଥିଲେ । ଯେଉଁଥିରୁ ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇ ଥିଲା । ନୁରୁଲ ଆମାଜନ୍‌ର ରେଗୁଲାର୍‌ କଷ୍ଟମର ଥିଲେ, ତେଣୁ ସେ ଜାଣିଥିଲେ ହାଇଦ୍ରାବାଦରୁ କୋଚି ପର୍ଯ୍ୟନ୍ତ ପାର୍ସଲ ଆସିବାକୁ ମାତ୍ର ଦୁଇ ଦିନ ଲାଗିଥାଏ । ହେଲେ ତାଙ୍କ ପାର୍ସଲକୁ ଆସିବା ପାଇଁ ପ୍ରାୟ ୩ ଦିନର ସମୟ ଲାଗିଥିଲା ।

ନୁରୁଲ ସନ୍ଦେହ ଘେରରେ ରହିଥିବା ହେତୁ ଠକାମୀରୁ ବଞ୍ଚିତ ହେବା ପାଇଁ ସେ ଡେଲିଭରୀ ବୟେ ସମ୍ମୁଖରେ ହିଁ ପାର୍ସଲଟିକୁ ଖୋଲିଲେ । ସେହିସମୟରେ ସେ ଏକ ଭିଡିଓ ମଧ୍ୟ ରେକର୍ଡ କରିଥିଲେ । ପାର୍ସଲକୁ ଖୋଲିବା ମାତ୍ରେ ସେଥିରେ ଭିମ୍ ବାର୍ ଏବଂ ପାଞ୍ଚ ଟଙ୍କିଆ କଏନ୍‌ ବ୍ୟତୀତ କୌଣସି ଆଇଫୋନ୍‌ ନଥିଲା । ଯାହାକୁ ଦେଖି ସେ ଜାଣିପାରିଲେ ଯେ, ସେ ଠକାମୀର ଶିକାର ହୋଇଛନ୍ତି ।

ଘାଟାରେ ପଡିବା ପରେ ସେ ଆମାଜୋନ୍‌ର କଷ୍ଟମର କେୟାର ସହ ଯୋଗାଯୋଗ କରି ତାଙ୍କୁ ଅଭିଯୋଗ କରିଥିଲେ । ପରେ ଘଟଣାକୁ ନେଇ ସେ ପୋଲିସ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ । ଯେଉଁଥିରୁ ସେ ଜାଣିବାରୁ ପାଇଥିଲେ ଯେ ସେ ଅର୍ଡର କରିଥିବା ଆଇଫୋନ୍‌କୁ ଗତ ୨୫ ସେପ୍ଟେମ୍ୱରରୁ ଝାଡଖଣ୍ଡରେ କେହିଜଣେ ବ୍ୟବହାର କରୁଛନ୍ତି । ହେଲେ ନୁରୁଲ ଅକ୍ଟୋବର ୧୨ ତାରିଖରେ ହିଁ ଫୋନ୍‌କୁ ଅର୍ଡର କରିଥିଲେ ।

 

ନୁରୁଲଙ୍କ ଅଭିଯୋଗ ପରେ ପୋଲିସ ଘଟଣାକୁ ନେଇ ଆମାଜନ ଅଧିକାରୀ ତଥା ତେଲେଙ୍ଗାନାର ଡିଲରଙ୍କୁ ପଚରାଉଚରା କରିଥିଲା । ବହୁ ପଚରାଉଚରା ପରେ ପୋଲିସ୍ ଜାଣିବାକୁ ପାଇଥିଲା ଯେ ନୁରୁଲ ଯେଉଁ ଫୋନ୍ ଅର୍ଡର କରିଛନ୍ତି ତାହା ଷ୍ଟକ୍‌ରେ ନାହିଁ । ତେଣୁ ନରୁଲଙ୍କ ଟଙ୍କାକୁ ତାଙ୍କୁ ଫେରାଇ ଦିଆଯିବ ।