• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ରବିଙ୍କ ପାଇଁ ଜୀବନ ଭିକ୍ଷା ମାଗିଲେ ସ୍ତ୍ରୀ କୁନି

  • ପରିବାର ପାଇଁ ପଢା ଛାଡିଲେ ଦୁଇ ନାବାଳିକା ଝିଅ

  • ଦୁଇ ଶିଶୁଙ୍କୁ ପର ଘରେ ମୁଲ ଲାଗିବା ସହ ଛେଳି ଚରାଇବା ପାଇଁ ପରିସ୍ଥିତି ବାଧ୍ୟ କଲା

କାମାକ୍ଷାନଗର(ବିଦ୍ୟାଧର ବରାଳ) : ଦାରୁଣ ଦୁଃଖ ଦେଉଛି କିଡନୀ ରୋଗ । ଅସହ୍ୟ ଯନ୍ତ୍ରଣାରେ ଛଟପଟ୍ ହେଉଛି ପରିବାରର ଏକମାତ୍ର ରୋଜଗାରିଆ ମଣିଷ । ବାପାଙ୍କ ପାଇଁ ପାଠପଢ଼ା ଛାଡ଼ି ପର ଘରେ ମୂଳ ଲାଗୁଛନ୍ତି ଦୁଇ କୁନି ଝିଅ । ଆଉ ସ୍ୱାମୀର ଜୀବନ ଭିକ୍ଷା କରୁଛି ଅଭାଗିନୀ ସ୍ତ୍ରୀ । ଭବିଷ୍ୟତ ଉଜ୍ଜ୍ୱଳ କରିବ ବୋଲି ବେଶ ଆଦରରେ ବାପା ମାଆ ପୁଅର ନାଁ ରଖିଥିଲେ ରବି । ହେଲେ ଅନ୍ୟକୁ ଆଲୋକ ଦେଖାଇବା ବଦଳରେ ସେ ଆଜି କିଟି କିଟି ଗାଢ଼ ଅନ୍ଧାର ଭିତରେ ଘାଣ୍ଟି ହେଉଛନ୍ତି । ଦାରିଦ୍ର୍ୟତା ସାଙ୍ଗକୁ ଶରୀରର ବ୍ୟାଧି ସବୁ କିଛିକୁ ଓଲଟ ପାଲଟ କରି ଦେଇଛି ।

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ ରଙ୍ଗମାଟିଆ ଗାଁ । ଏହି ଗାଁରେ ବାସ କରନ୍ତି ରବି ମହାନ୍ତ ଏବଂ ତାଙ୍କର ସ୍ତ୍ରୀ କୁନି ମହାନ୍ତ । ଦୁଇ ଝିଅ ମନ୍ଦଦୋରୀ ଓ ସରସ୍ୱତୀକୁ ନେଇ ତାଙ୍କର ପରିବାର । ରବି ପେଷାରେ ହେଉଛନ୍ତି ଜଣେ ଦିନ ମଜୁରିଆ । ଦୈନିକ ରୋଜଗାର ହିଁ ତାଙ୍କ ପରିବାରର ଗୁଜୁରାଣକୁ ମେଣ୍ଟାଇଥାଏ । ଯେଉଁଦିନ କାମ ନମିଳିବ ସେଦିନ ପେଟରେ ଓଦାକନା ଦେଇ ଶୋଇବାକୁ ପଡ଼େ ।

ହେଲେ ଏହାରି ଭିତରେ ବିଧାତା ରବିଙ୍କ ପରିବାର ଉପରେ ସତେ ଯେପରି ଦାଉ ସାଜିଲା । ସେ କିଡନୀ ରୋଗରେ ଆକ୍ରାନ୍ତ ହେଲେ । ଆଜକୁ ୪ ବର୍ଷ ଧରି କଟକ ବଡ଼ ମେଡ଼ିକାଲକୁ ଯାଇ ଯାଇ ସବୁ କିଛି ହରେଇ ସାରିଲେଣି, ତଥାପି ରୋଗ ଭଲ ହେଉନି । ଅର୍ଥାଭାବରୁ ବର୍ଷେ ହେବ ମେଡ଼ିକାଲ ଯାଇପାରୁ ନାହାନ୍ତି , କେବଳ ଭଗବାନଙ୍କ ଭରଷାରେ ଘରେ ପଡ଼ି ରହିଛନ୍ତି । ଯାହା କିଛି ଜମିବାଡ଼ି ଥିଲା ତାହା ଚିକିତ୍ସା ପାଇଁ ବିକ୍ରି ହୋଇ ସାରିଛି । ଏପରିକି ଚିକିତ୍ସା ପାଇଁ ଘରେ ଥିବା ଗାଈଗୋରୁ ସବୁ ବିକା ସରିଛି । କେବଳ ନିଜର ବାପା ଅଜାଙ୍କର ସେହି ଭିଟାମାଟିର ଘର ଖଣ୍ଡିକ ପଡିଛି । କିଏ ଜାଣେ ସେ ଖଣ୍ଡକ ବି କେଉଁ ଦିନ ଚାଲିଯିବ ।

ରବିଙ୍କ ରୋଜଗାର ବନ୍ଦ ହେବା ପରେ ସ୍ତ୍ରୀ କୁନି ପର ଘରେ ମୁଲ ଲାଗି ପରିବାର ଚଳାଉଛନ୍ତି । କେବଳ ସେତିକି ନୁହେଁ ବାପାଙ୍କ କଷ୍ଟକୁ ସହି ନପାରି ଦୁଇ ନାବାଳିକା ଝିଅ ମନ୍ଦଦୋରୀ ଓ ସରସ୍ୱତୀ ପର ଘରେ ମୂଲ ଲାଗୁଛନ୍ତି । ମନ୍ଦଦୋରୀ ଗାଁ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ସରସ୍ୱତୀ ଷଷ୍ଠ ଶ୍ରେଣୀର ଛାତ୍ରୀ । ହେଲେ ଏବେ ପାଠପଢ଼ା, ସ୍କୁଲ , ଖାତା କଲମ ସବୁ ମନରୁ ପାସୋରି ସାରିଲେଣି । ପର ପାଖରେ ମୁଲ ଲାଗି ହେଉ ଅବା କାହାର ଛେଳି ଚରାଇ ପେଟ ପୋଷିବାକୁ ପଡୁଛି । ଥରେ ସେମାନଙ୍କ ନିରୀହ ଆଖିକୁ ଦେଖିଲେ ଆପଣଙ୍କ ହୃଦୟ ବି ତରଳି ଯିବ । କୁନି ମୁଣ୍ଡରେ ଏବେ ପରିବାରର ବୋଝ । ବାପାଙ୍କ ଚିକିତ୍ସା ପାଇଁ ସରକାରଙ୍କୁ ଅଳି କରିଛନ୍ତି ଦୁଇ ଝିଅ ।

ତେବେ ଏ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ କହିଛନ୍ତି । ଜୀବନ ଓ ନିଜ ପରିବାର ପାଇଁ ଲଢେଇ କରୁଥିବା ରବିଙ୍କୁ ସରକାରଙ୍କ ସହଯୋଗ ଏକାନ୍ତ ଲୋଡ଼ା ହୋଇ ପଡିଛି । ଏଥି ନେଇ ପ୍ରଶାସନ କେଉଁ ପଦକ୍ଷେପ ଗ୍ରହଣ କରୁଛି ତାହାକୁ ହିଁ ଅପେକ୍ଷା ।