• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଥମୁନି ଆତଙ୍କୀ ଆକ୍ରମଣ । ସୁରକ୍ଷାକର୍ମୀଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ । ଜମ୍ମୁ କଶ୍ମୀରର ବାନ୍ଦିପୋରାରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ । ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଗାଡିକୁ ଟାର୍ଗେଟ କରି ଏହି ଆକ୍ରମଣ କରିଥିବାର ସୂଚନା ମିଳିଛି । ଏହି ଆକ୍ରମଣରେ ୬ ଜଣ ସାଧାରଣ ନାଗରିକ ଆହତ ହୋଇଥିବାର ଖବର ମିଳିଛି ।

ବାନ୍ଦିପୋରାର ସୁମ୍ବଲ ଅଞ୍ଚଳରେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଆତଙ୍କବାଦୀ ଗ୍ରେନେଡ୍ ଫିଙ୍ଗିଥିବା କଥା ସ୍ଥାନୀୟ ଲୋକେ କହିଛନ୍ତି । ସୁମ୍ବଲରେ ଥିବା ସୁମୋ ଟାକ୍ସି ଷ୍ଟାଣ୍ଡରେ ଏହି ବିସ୍ଫୋରଣଟି ଘଟିଛି । ଆତଙ୍କବଦୀଙ୍କ ଏହି ହମଲାରେ ଏଥିରେ କେତେକ କାରର କାଚ ମଧ୍ୟ ଭାଙ୍ଗି ଯାଇଥିବାର ଚିତ୍ର ସାମ୍ନାକୁ ଆସିଛି । ୬ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଚିକିତ୍ସା ପାଇଁ ଶ୍ରୀନଗର ପଠାଯାଇଛି ।

ଜମ୍ମୁ କଶ୍ମୀରରେ ଆତଙ୍କୀ ବିରୋଧୀ ଅପରେସନ ଜାରି ରହିଛି । ହେଲେ ୩ଦିନ ଧରି କୌଣସି ଆତଙ୍କବାଦୀ ଆକ୍ରମଣ ହୋଇନଥିବା ବେଳେ ଆଜି ପୁଣି ଥରେ ଆତଙ୍କୀ ହମଲା ଆରମ୍ଭ ହୋଇଯାଇଛି । ଆତଙ୍କବାଦୀମାନେ ଅତୀତରେ ଅଣ କାଶ୍ମୀରବାସୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । ଏଥିରେ ୟୁପି-ବିହାରରୁ ସେଠାରେ କାର୍ଯ୍ୟ କରୁଥିବା କିଛି ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା ।

ଏନେଇ କାଶ୍ମୀରରେ ରହୁଥିବା ବାହାରର ଶ୍ରମିକଙ୍କୁ ସେନା କିମ୍ବା ପୋଲିସ ସୁରକ୍ଷାରେ ଥିବା ଶିବିରକୁ ସ୍ଥାନାନ୍ତର କରାଯାଇଥିଲା । ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଛି ବୋଲି ଜାମ୍ମୁ ଓ କାଶ୍ମୀର ପୋଲିସ ମୁଖ୍ୟ ବିଜୟ କୁମାର କହିଥିଲେ । ବିହାର ଓ ଉତ୍ତରପ୍ରଦେଶ ଭଳି ଅନ୍ୟ ରାଜ୍ୟରୁ ଆସି ଶ୍ରମିକ ଭାବେ କାମ କରୁଥିବା ଲୋକଙ୍କୁ ତୁରନ୍ତ ସୁରକ୍ଷିତ ଶିବିରକୁ ନେବା ଲାଗି ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।

ପୂର୍ବରୁ କୁଲଗାମ୍ ଓ୍ୱାନପୋରେ ଆତଙ୍କୀଙ୍କ ଗୁଳିମାଡ଼ରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ, ଜଣେ ଗୁରୁତର ଆହତ ହୋଇଥିଲେ । ୨ ମୃତକଙ୍କ ନାଁ ରାଜା ରେଶି ଦେବ ଓ ଯୋଗୀନ୍ଦର ରେଶି ଦେବ ଏବଂ ଆହତଙ୍କ ନାଁ ଚୁନଚୁନ୍ ରେଶି ଦେବ୍। ଏମାନେ ସମସ୍ତେ ବିହାରର ବୋଲି ସୂଚନା ମିଳିଥିଲା । ଗତକାଲି ପୁଲଓ୍ୱାମାରେ ବିହାରର ଏକ ଗୁପଚୁପ୍ ବାଲା ଏବଂ ଉତ୍ତରପ୍ରଦେଶର ଏକ ବଢ଼େଇଙ୍କୁ ମଧ୍ୟ ଆତଙ୍କବାଦୀ ମାନେ ହତ୍ୟା କରିଥିଲେ। ଗତ ୨ ସପ୍ତାହ ଭିତରେ ଆତଙ୍କୀଙ୍କ ଗୁଳିରେ ୧୧ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେଲାଣି।