• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ସଲାମ୍‌ ପ୍ରଖର

  • ଅଙ୍ଗ ଦାନ କଲେ, ବାପାଙ୍କ ଜୀବନ ବଂଚାଇଲେ

ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି । ସେଠାରେ ରହୁଥିବା ଜଣେ ସ୍ଥାନୀୟ ବାସିନ୍ଦାଙ୍କର ଆଭ୍ୟନ୍ତରୀଣ ଅଙ୍ଗ ଶରୀରର ବିପରୀତ ପାର୍ଶ୍ୱରେ ରହିଛି। କୁହାଯାଇଛି ଯେ, ଏହା ହେଉଛି ବିଶ୍ୱର ଷଷ୍ଠ ମାମଲା ଏବଂ ଦେଶରେ ଚତୁର୍ଥ ମାମଲା। କିନ୍ତୁ ନିଜର ଏପରି ଅବସ୍ଥା ପରେ ନିଜ ବାପାଙ୍କ ଜୀବନ ବଂଚାଇ ଚର୍ଚ୍ଚାରେ ଏହି ଯୁବକ।

ମୋହୋରେ ରହୁଥିବା ୨୭ ବର୍ଷୀୟ ପ୍ରଖର କୌଶଲ ହାଇଦ୍ରାବାଦର ଏକ ଘରୋଇ ଆଇଟି କମ୍ପାନୀରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ପିତା ପ୍ରଦୀପ କୁମାର କୌଶଲ ସେନାର ଜଣେ ପ୍ରତିରକ୍ଷା ବିଶେଷଜ୍ଞ। ୫୯ ବର୍ଷୀୟ ପ୍ରଦିପ କୌଶଲ ଲିଭର୍ ସିରୋସିସ୍ ରୋଗରେ ପୀଡିତ ଥିଲେ। କିନ୍ତୁ ସୌଭାଗ୍ୟର କଥା ତାଙ୍କ ପୁଅ ଅର୍ଥାତ୍‌ କୌଶଲଙ୍କ ଲିଭର୍‌ ତାଙ୍କ ଶରୀରରେ ପ୍ରତ୍ୟାରୋର୍ପଣ ହୋଇପାରିବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ଏହାପରେ ଚୋଇଥ୍ରାମ ହସ୍ପିଟାଲରେ ପରୀକ୍ଷାନିରିକ୍ଷା ବେଳେ ସାମ୍ନାକୁ ଯେଉଁ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଥିଲା, ତାହା ସମସ୍ତଙ୍କୁ ତାଜୁବ କରିଥିଲା। କାରଣ ପ୍ରଖରଙ୍କ ଲିଭର୍ ଡାହାଣ ପାର୍ଶ୍ୱ ବଦଳରେ ବାମ ପାର୍ଶ୍ୱରେ ଥିବାର ଜଣାଯାଇଥିଲା। କେବଳ ଏତିକି ନୁହେଁ ବରଂ ତାଙ୍କ ହାର୍ଟ ସମେତ ଅନେକ ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକ ମଧ୍ୟ ବିପରୀତ ପାର୍ଶ୍ୱରେ ରହିଥିବାର ଜଣାପଡ଼ିଥିଲା ।

ଚୋଇଥ୍ରାମ ହସ୍ପିଟାଲର ଲିଭର ଟ୍ରାନ୍ସପ୍ଲାଣ୍ଟ ବିଶେଷଜ୍ଞ ଡଃ ସୁଦେଶ ସାର୍ଦାଙ୍କ କହିବା ଅନୁଯାୟୀ ପ୍ରଖରଙ୍କ ଶରୀର ଭିତରେ ଥିବା ଆଭ୍ୟନ୍ତରୀଣ ଅଙ୍ଗଗୁଡିକର ସ୍ଥିତିକୁ ସାଇଟସ୍ ଇନଭର୍ସ ଟୋଟାଲିସ୍ କୁହାଯାଏ। ଏଭଳି ମାମଲାରେ ଦୁନିଆରେ କେବଳ ପାଞ୍ଚ ଜଣ ଲିଭର୍ ଦାତା ରହିଛନ୍ତି। ସେଥିମଧ୍ୟରୁ ତିନୋଟି ଭାରତରେ ଓ ଦୁଇଟି ଜାପାନରେ ଦେଖିବାକୁ ମିଳିଛି। ଇନ୍ଦୋରର ଏହି ମାମଲାକୁ ବିଶ୍ୱର ଷଷ୍ଠ ମାମଲା ବୋଲି କୁହାଯାଉଛି।

ସାଧାରଣତଃ ସାଇଟସ୍ ଇନଭର୍ସ ଟୋଟାଲିସ୍ କ୍ଷେତ୍ରରେ ବ୍ୟକ୍ତିର ଶରୀରର ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକ ବିପରୀତ ପାର୍ଶ୍ୱରେ ରହିଥାଏ। କିନ୍ତୁ ଏହି କାରଣରୁ ବ୍ୟକ୍ତିଙ୍କର କୌଣସି ଅସୁବିଧା ହୁଏ ନାହିଁ ଏବଂ ସେ ଜଣେ ସୁସ୍ଥ ବ୍ୟକ୍ତି ପରି ମଧ୍ୟ ଜୀବନଯାପନ କରିଥାଆନ୍ତି। ସାଧାରଣ ଭାବରେ ଲିଭର୍ ଟ୍ରାନ୍ସପ୍ଲାଂଟ୍‌ ଅସ୍ତ୍ରୋପଚାର ଚାରିରୁ ପାଞ୍ଚ ଘଣ୍ଟା ସମୟ ଲାଗେ ଏବଂ ଏହି ଘଟଣାରେ ଅସ୍ତ୍ରୋପଚାର ପ୍ରାୟ ୧୨ ଘଣ୍ଟା ଧରି ଚାଲିଥିଲା। ପ୍ରଖରଙ୍କ ମା ସାନ୍ଧ୍ୟା କୌଶଲ କହିଛନ୍ତି ଯେ ପୁଅ ଆରମ୍ଭରୁ ଲିଭର୍ ଦାନ କରିବାକୁ ପ୍ରସ୍ତୁତ ଥିଲେ ମଧ୍ୟ ମୁଁ ଚିନ୍ତିତ ଥିଲି। କାରଣ ପୁଅର ଅଙ୍ଗ ଗୁଡ଼ିକ ବିପରୀତ ପାର୍ଶ୍ୱରେ ରହିଥିଲା। ଆଉ ଏପରି କ୍ଷେତ୍ରରେ ଅଙ୍ଗ ପ୍ରତ୍ୟାରୋର୍ପଣ ହୋଇପାରିବ କି ନାହିଁ ସେନେଇ ଆମେ ଚିନ୍ତାରେ ଥିଲୁ। କିନ୍ତୁ ଡାକ୍ତରମାନେ ଅକ୍ଲାନ୍ତ ପରିଶ୍ରମ କରି ଏହାକୁ ସମ୍ଭବ କରି ଦେଖାଇଛନ୍ତି ତେଣୁ ସେମାନଙ୍କୁ ହୃଦୟରୁ ଧନ୍ୟବାଦ। ଟ୍ରାନ୍ସପ୍ଲାଣ୍ଟ ସଫଳ ହେବା ସହ ପ୍ରଖର ତାଙ୍କ ବାପାଙ୍କର ଜୀବନ ବଞ୍ଚାଇ ପାରିଥିଲେ। ଯାହାକୁ ନେଇ ପୂରା ଦେଶରେ ଏବେ ଚର୍ଚ୍ଚା ଚାଲିଛି।