• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ବୁଧବାର ଅନୁଷ୍ଠିତ ହେବାକୁ ଯାଉଛି ଆଫଗାନିସ୍ତାନ ସମ୍ମିଳନୀ । ଇଣ୍ଡିଆନ ନ୍ୟାସନାଲ ସିକ୍ୟୁରିଟି କାଉନସିଲ୍ ଦ୍ୱାରା ଏହି ସମମ୍ମିଳନୀର ଆୟୋଜନ କରାଯାଉଛି । ଏହି ସମ୍ମିଳନୀରେ ଯୋଗ ଦେବେ ନାହିଁ ଚୀନ୍ ଓ ପାକିସ୍ତାନ । ତେବେ ସମ୍ମିଳନୀକୁ ଆସୁନଥିଲେ ମଧ୍ୟ ଏହି ଦୁଇ ରାଷ୍ଟ୍ର ଭାରତକୁ ତାଲିବାନ ବିରେଧୀ ଦର୍ଶାଇବା ଲାଗି ଭରପୁର ଉଦ୍ୟମ କରୁଛନ୍ତି । ତାଲିବାନକୁ ବିରୋଧ ନୁହେଁ ବରଂ ଆଫଗାନିସ୍ତାନରେ କିଭଳି ରାଜନୈତିକ ଓ ଅର୍ଥନୈତିକ ସ୍ଥିରତା ଆସିବ ସେଇ ଲକ୍ଷ୍ୟରେ ସମ୍ମିଳନୀର ଆୟୋଜନ କରାଯାଇଥିବା ଭାରତ ପକ୍ଷରୁ କୁହାଯାଇଛି ।

ପୁଣି ସାମ୍ନାକୁ ଆସିଲା ଚୀନ୍ ଓ ପାକିସ୍ତାନର ଦୋମୁହାଁ ନୀତି । ବୁଧବାର ନୂଆଦିଲ୍ଲୀରେ ହେବାକୁ ଯାଉଥିବା ଆଫଗାନିସ୍ତାନ ସମ୍ମିଳନୀରେ ଯୋଗ ଦେବେନି ଏହି ଦୁଇ ରାଷ୍ଟ୍ର । ତେବେ ଏହି ସମ୍ମିଳନୀରେ ଋଷିଆ, ଇରାନ, କିର୍ଗିଜସ୍ତାନ, ତୁର୍କମେନିସ୍ତାନ, କାଜାକିସ୍ତାନ୍, ଉଜେବକିସ୍ତାନ୍ ଓ ତାଜାକିସ୍ତାନ୍ ଭଳି ଆଫଗାନିସ୍ତାନର ପଡୋଶୀ ରାଷ୍ଟ୍ର ଆସିବାକୁ ସମ୍ମତି ଦେଇଛନ୍ତି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ନେତୃତ୍ୱାଧୀନ ଇଣ୍ଡିଆନ ନ୍ୟାସନାଲ ସିକ୍ୟୁରିଟି କାଉନସିଲ୍ ସମ୍ମିଳନୀର ଆୟୋଜନ କରିଛି ।

ଆଫଗାନିସ୍ତାନରେ କିଭଳି ଆର୍ଥିକ ଓ ରାଜନୈତିକ ସ୍ଥିରତା ଆସିବ, ସେଇ ପ୍ରସଙ୍ଗରେ ସମ୍ମିଳନୀରେ ମୁଖ୍ୟତଃ ଆଲୋଚନା ହେବ ବୋଲି ସୂଚନା ମିଳିଛି । ତାଲିବାନକୁ ବିରୋଧ ଲାଗି ସମ୍ମିଳନୀର ଆୟୋଜନ କରାଯାଇନି ବୋଲି ନୂଆଦିଲ୍ଲୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହାସତ୍ତ୍ୱେ ଚୀନ୍ ଓ ପାକିସ୍ତାନ, ଭାରତକୁ ତାଲିବାନ ବିରୋଧୀ ଦର୍ଶାଇବା ସହ ସମ୍ମିଳନୀକୁ ଭଣ୍ଡୁର କରିବା ଲାଗି ଉଦ୍ୟମ ଚଳାଇଛନ୍ତି । ଆଫଗାନିସ୍ତାନ ବିଶୃଙ୍ଖଳା ପାଇଁ ପାକିସ୍ତାନ ଜାତୀୟ ସୁରକ୍ଷା ପରାମର୍ଶଦାତା ମୋଇଦ୍ ୟୁସୁଫ୍ ଖୋଲାଖୋଲି ଭାରତକୁ ଦାୟୀ କରିବା ସହ ତାଙ୍କ ଦେଶ ସମ୍ମିଳନୀରେ ସାମିଲ ହେବନି ବୋଲି କହିଛନ୍ତି । ଅନ୍ୟପକ୍ଷରେ ଚୀନ୍ ପକ୍ଷରୁ ଏଯାଏଁ କୌଣସି ସୂଚନା ଆସିନଥିବାରୁ ବେଜିଂର ଆଭିମୁଖ୍ୟ ସ୍ପଷ୍ଟ ହୋଇଯାଇଛି ।

ଆଫଗାନିସ୍ତାନରେ ସ୍ଥିରତା ଆସିବା ସାରା ବିଶ୍ୱ ପାଇଁ ମଙ୍ଗଳକାରୀ ସାବ୍ୟସ୍ତ ହେବ । କାରଣ ଏଠାରେ ଅରାଜକତା ଲାଗି ରହିଲେ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱପ୍ରତି ବିପଦ ବଢିବ ବୋଲି କୁହାଯାଇଛି । ISIS ଖୋରାସାନ୍ ଏଠାରେ ହିଂସାର ତାଣ୍ଡବ ସୃଷ୍ଟି କରିଥିବା ବେଳେ ଅଲକାଏଦା ବି ମୁଣ୍ତ ଟେକିବାକୁ ଆରମ୍ଭ କରିଛି । ତେବେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସମର୍ଥିତ ତାଲିବାନ ଶାସନ ପ୍ରହସନରେ ପରିଣତ ହୋଇଛି । ହକାନି ନେଟଓ୍ୱର୍କ ଓ ମୁଲ୍ଲା ୟାକୁବ୍ ଗୋଷ୍ଠୀ ମଧ୍ୟରେ ବିବାଦ ତୀବ୍ର ହୋଇଥିବା ବେଳେ ନାଁକୁ ମାତ୍ର ଶାସନ ଚାଲିଛି ଆଇନକାନୁନର ନାଁ । ମହିଳାଙ୍କ ଉପରେ ଅତ୍ୟାଚାର ବଢିଚାଲିବା ସହ ମାନାବାଧିକାର ଉଲ୍ଲଙ୍ଘନ ସାଙ୍ଗକୁ ଏଠାରେ ବଞ୍ଚିବା ମୁସ୍କିଲ ହୋଇପଡିଛି । କାବୁଲ ହସପିଟାଲ ଆକ୍ରମଣ ଭଳି ଆତଙ୍କବାଦୀ ଘଟଣା ବଢି ଚାଲିଥିବା ବେଳେ ତାଲିବାନ ଲଢାକୁଙ୍କୁ କେବଳ ଆମେରିକା ନିର୍ମିତ ଅତାଦୁନିକ ଅସ୍ତ୍ରଶସ୍ତ୍ର ଧରି ବୁଲିବାର ଦେଖିବାକୁ ମିଳୁଛି ।

ଆଫଗାନିସ୍ତାନ ସ୍ଥିତି ଏତେ ସଙ୍ଗୀନ ରହିଛି ଯେ ପାକିସ୍ତାନ ସ୍ଥଳ ସେନା ମୁଖ୍ୟ ଜେନେରାଲ କମର ଜାଭେଦ୍ ବାଜଓ୍ୱା ବି ଉଦବେଗ୍ ପ୍ରକାଶ କରିଛନ୍ତି । କାରଣ ଦୁଇ ଦେଶର ସୀମା ଢେଇଁ ମୌଳବାଦୀ ପାକିସ୍ତାନରେ ହିଂସାକାଣ୍ଡ ଘଟାଇବାର ଆଶଙ୍କା ବଢିଯାଇଛି । ତେବେ ଇମ୍ରାନ ଖାନ୍ ସରକାର ସବୁ ଜାଣି ଅଜଣା ହେଉଛି, କାରଣ ଇମ୍ରାନ ସରକାରକୁ ଏବେବି ବିଶ୍ୱାସ ରହିଛି ଯେ କାଶ୍ମୀର ପ୍ରସଙ୍ଗକୁ ଉଦଜିବୀତ ରଖିବାକୁ ହେଲେ ଆଫଗାନିସ୍ତାନ ମୌଳବାଦୀ ଗୋଷ୍ଠୀ ହିଁ ଏକମାତ୍ର ବିକଳ୍ପ । ଏହାକୁ ନେଇ ପାକିସ୍ତାନ ଆର୍ମି ଓ ସରକାର ମଧ୍ୟରେ ଟଣାଓଟରା ଆରମ୍ଭ ହେବାରେ ଲାଗିଲାଣି । ତେବେ ଲେଫ୍ଟନାଣ୍ଟ ଜେନେରାଲ ନଦୀମ୍ ଅଞ୍ଜୁମ ଆସନ୍ତା ୨୦ ତାରିଖରେ ଆଇଏସଆଇର ମୁଖ୍ୟ ଭାବେ ଦାୟିତ୍ୱ ନେବା ପରେ ସ୍ଥିତିରେ କି ପରିବର୍ତ୍ତନ ଆସୁଛି ତାହା ସନ୍ଦେହ ଘେରରେ ରହିଛି ।

ତାଲିବାନ କାବୁଲରେ କ୍ଷମତା ଦଖଳ କରିବା ପରେ କିର୍ଗିଜସ୍ତାନ, ତୁର୍କମେନିସ୍ତାନ, କାଜାକିସ୍ତାନ୍, ଉଜେବିକିସ୍ତାନ୍ ଓ ତାଜାକିସ୍ତାନ ଭଳି ରାଷ୍ଟ୍ରଙ୍କ ସୁରକ୍ଷା ନେଇ ଋଷିଆ ଚିନ୍ତାରେ ଥିବା ବେଳେ ଉଭୟ ଆଫଗାନିସ୍ତାନ ଓ ପାକିସ୍ତାନରେ ସଂଖ୍ୟାଲଘୁ ସିହା ସଂପ୍ରଦାୟର ଲୋକଙ୍କୁ ହତ୍ୟା କରାଯାଉଥିବାରୁ ଚିନ୍ତାରେ ରହିଛି ଇରାନ୍ । ଅନ୍ୟପକ୍ଷରେ ଆଫଗାନିସ୍ତାନରୁ ହିଁ ଏକାଧିକ ଆତଙ୍କ ସଂଗଠନ ଭବିଷ୍ୟତରେ ମୁଣ୍ଡ ଟେକିପାରନ୍ତି ବୋଲି ଆଶଙ୍କା ରହିଛି ।

ତେବେ ଚୀନ୍ ନିଜ ସ୍ୱାର୍ଥ ପାଇଁ ତାଲିବାନ ସହ ସାଲିସ କରି ନୀରବ ରହୁଥିବାର ଦେଖିବାକୁ ମିଳିଛି । ଆଫଗାନିସ୍ତାନରେ ଥିବା ହଜାର ହଜାର ଆତଙ୍କୀ ସିନିଜିୟାଙ୍ଗ ପ୍ରଦେଶର ଉଇଗୁରୁ ଆତଙ୍କବାଦୀଙ୍କ ସହ ଯେପରି ସଂପର୍କ ସ୍ଥାପନ ନକରିବେ, ସେଥିଲାଗି ତାଲିବାନଠାରୁ ଗ୍ୟାରେଣ୍ଟି ମାଗିଛି ଚୀନ୍ । ତାସହିତ ଆଫଗାନିସ୍ତାନ ଦେଇ ଯାଉଥିବା ବେଲ୍ଟ ରୋଡ୍ ପ୍ରକଳ୍ପ କାମରେ କିଭଳି ବାଧା ସୃଷ୍ଟି ନହେବ ଏବଂ ପାକିସ୍ତାନ ତାଲିବାନ ଭଳି ସୁନ୍ନି ଦେଓବନ୍ଦୀ ଗୋଷ୍ଠୀଙ୍କ ଆକ୍ରମଣରୁ କିଭଳି ପ୍ରକଳ୍ପକୁ ସୁରକ୍ଷା ଦେଇ ହେବ । ସେଇ ଲକ୍ଷ୍ୟରେ ତାଲିବାନ ସହ ଯୋଗସୂତ୍ରରେ ରହିଛି ବେଜିଂ।

ଆଫଗାନିସ୍ତାନ ସ୍ଥିତି କିଭଳି ନିୟନ୍ତ୍ରଣ ବାହାରକୁ ନଯିବ, ସେଥିଲାଗି ଉଦ୍ୟମ କରୁଛି ଭାରତ । ସେଥିଲାଗି ଚୀନ୍ ଓ ପାକିସ୍ତାନର ନକାରାତ୍ମକ କୌଶଳକୁ କାଉଣ୍ଟର ଲାଗି ଭାରତ ଏଠାକାର ରାଜନୈତିକ ଓ ଅର୍ଥନୈତିକ ସ୍ଥିରତା ଫେରାଇ ଆଣିବା ଲାଗି ତତ୍ପରତା ଦେଖାଉଛି । ଆଫଗାନିସ୍ତାନ ଅର୍ଥନୀତି ଭୁଶୁଡି ପଡିଥିବା ବେଳେ ଲକ୍ଷ ଲକ୍ଷ ପାଇଁ ଭାରତ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଭାରତର ଏଭଳି ଆଭିମୁଖ୍ୟ ଆଫଗାନିସ୍ତାନବାସୀଙ୍କ ହୃଦୟ ଜିତିବାରେ ସହାୟକ ହେବ ବୋଲି ନୂଆଦିଲ୍ଲୀ ଆଶା ରଖିଛି ।