• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ହେବ ହାଇପ୍ରୋଫାଇଲ୍‌ ମିଟିଂ । ଏହାକୁ ଲିଡ୍‌ କରିବେ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ । ଆଫ୍‌ଗାନିସ୍ତାନରେ ତାଲିବାନ ଶାସନ ଓ ଆଫଗାନିସ୍ତାନର ସୁରକ୍ଷା ବ୍ୟବସ୍ଥା ନେଇ ଏହି ବୈଠକ ଆୟୋଜନ କରାଯାଇଛି ।

ଆସନ୍ତାମାସରେ ଭାରତ ପକ୍ଷରୁ ନୂଆଦିଲ୍ଲୀରେ ଆଫଗାନିସ୍ତାନ ସ୍ଥିତି ନେଇ ଏକ ଉଚ୍ଚସ୍ତରୀୟ ବୈଠକ ହେବାକୁ ଯାଉଛି । ଏହି ବୈଠକରେ ପାକିସ୍ତାନକୁ ମଧ୍ୟ ଆମନ୍ତ୍ରଣ କରାଯିବ । ଖାଲି ସେତିକି ନୁହେଁ ଏହି ବୈଠକରେ ଚୀନ୍‌ ଓ ଋଷ ଭଳି ଦେଶକୁ ଯୋଗଦେବା ପାଇଁ ମଧ୍ୟ କୁହାଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନାନୁସାରେ ୧୦ ଓ ୧୧ ନଭେମ୍ବରରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ବୈଠକରେ ମୁଖ୍ୟତଃ ଆଫଗାନିସ୍ତାନର ସୁରକ୍ଷା ବ୍ୟବସ୍ଥା ଉପରେ ଚର୍ଚ୍ଚା ହେବ ବୋଲି କୁହାଯାଉଛି ।

ଅଜିତ ଡୋଭାଲ ଏହି ବୈଠକର ଅଧ୍ୟକ୍ଷତା କରିବେ । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବୈଠକକୁ ଆଫଗାନିସ୍ତାନର ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ, ଇରାନ, ତାଜିକିସ୍ତାନ, ଉଜ୍ଜବେକିସ୍ତାନ ଓ ଋଷ, ଚୀନ ଭଳି ପ୍ରମୁଖ ଦେଶମାନଙ୍କୁ ନିମନ୍ତ୍ରଣ କରାଯାଇଛି । ୟୁରୋପୀୟ ସଂଘ ଫ୍ରାନ୍ସ, ଜର୍ମାନୀ ଓ ୟୁକେ, ଆମେରିକା ଓ ସଂଯୁକ୍ତ ରାଷ୍ଟ୍ରର ପ୍ରତିନିଧିଙ୍କୁ ମଧ୍ୟ ଏହି ବୈଠକରେ ସାମିଲ ହେବା ପାଇଁ ଡାକରା ଦିଆଯାଇଛି । ସବୁଠାରୁ ବଡ଼ କଥା ହେଲା, ତାଲିବାନ ପ୍ରତିନିଧିଙ୍କୁ ଏହି ବୈଠକରେ ସାମିଲ କରାଯିବ କି ନାହିଁ ସେନେଇ କୌଣସି ନିଷ୍ପତ୍ତି ହୋଇନାହିଁ ।

ପାକିସ୍ତାନର ଏନ୍‌ଏସ୍‌ଏ ମୋଇଦ ୟୁସୁଫଙ୍କୁ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବା ପାଇଁ ଆମନ୍ତ୍ରଣ କରାଯାଇଛି । ଯଦି ସେ ବୈଠକରେ ଯୋଗଦିଅନ୍ତି ତେବେ ୨୦୧୬ ପରେ ଏହା କୌଣସି ପାକିସ୍ତାନୀ ଅଧିକାରୀଙ୍କ ପ୍ରଥମ ଉଚ୍ଚସ୍ତରୀୟ ଭାରତ ଗସ୍ତ ହେବ । ଏହା ପୂର୍ବରୁ ଡୋଭାଲ ତାଜିକିସ୍ତାନର ରାଜଧାନୀ ଦୁଶାଂବେରେ ଆୟୋଜିତ ସଂଘାଇ ସହଯୋଗ ସଂଗଠନର ସଦସ୍ୟ ରାଷ୍ଟ୍ରଙ୍କ ଏକ ଉଚ୍ଚସ୍ତରୀୟ ସୁରକ୍ଷା ଅଧିକାରୀଙ୍କ ବୈଠକରେ ସାମିଲ ହୋଇଥିଲେ । ଏହି ବୈଠକରେ ପାକିସ୍ତାନୀ ଏନ୍‌ଏସ୍‌ଏ ମଧ୍ୟ ଉପସ୍ଥିତ ଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଦୁଇ ଦେଶର ଅଧିକାରୀଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇନଥିଲା ।

ମେ’ରେ ହେବାର ଥିଲା ବୈଠକ

ସୂଚନାଯୋଗ୍ୟ, ଏମିତି ଏକ ବୈଠକ ୨୦ ଅକ୍ଟୋବରରେ ଋଷରେ ମଧ୍ୟ ଆୟୋଜନ କରାଯାଇଛି । ସେଥିରେ ଉଭୟ ତାଲିବାନ ଏବଂ ଭାରତକୁ ଆମନ୍ତ୍ରିତ କରାଯାଇଛି । କିନ୍ତୁ ଭାରତ ଏବେ ତାଲିବାନ ସହ କୌଣସି ବୈଠକକୁ ଏଡ଼ାଇବାକୁ ଚାହୁଁଛି ।

ଅନ୍ୟପଟେ ଭାରତ ଚଳିତ ବର୍ଷ ମେ’ରେ ମଧ୍ୟ ଏମିତି ଏକ ବୈଠକ ନେଇ ପ୍ରସ୍ତାବ ରଖିଥିଲା । କିନ୍ତୁ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତ ଗତିରେ ମାଡ଼ି ଚାଲିଥିବାରୁ ଏହି ବୈଠକକୁ ବାତିଲ କରାଯାଇଥିଲା । ଏହି ବୈଠକରେ ମଧ୍ୟ ପାକିସ୍ତାନ ଏନ୍‌ଏସ୍‌ଏଙ୍କୁ ଆମନ୍ତ୍ରିତ କରାଯାଇଥିଲା ।