• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: କରୋନା ଟିକାକରଣରେ ଭାରତର ଐତିହାସିକ ମାଇଲଖୁଣ୍ଟ। ଆଜି ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ପୂରଣ ହୋଇଛି। ଏଥିପାଇଁ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ୧୦୦ କୋଟି ଡୋଜ ଟିକାକରଣ ଅବସରରେ ଭାରତର ଐତିହାସିକ କୋଠାଗୁଡ଼ିକ ତିରଙ୍ଗା ରଙ୍ଗରେ ସଜାଯାଇଛି । ଐତିହାସିକ ତାଜମହଲକୁ ବି ତିରଙ୍ଗା ଆଲୋକରେ ସଜ୍ଜିତ କରାଯାଇଛି । ତାଜମହଲ ସମେତ ଦିଲ୍ଲୀର ଲାଲକିଲ୍ଲା ଓ କୁତବ୍‌ ମିନାର୍‌, ତେଲେଙ୍ଗାନାର ରାମପ୍ପା ମନ୍ଦିର, ତ୍ରିପୁରା ରାଜନଗରର ଭୁବନେଶ୍ୱରୀ ମନ୍ଦିର, ହାଇଦ୍ରାବାଦର ଚାର୍‌ମିନାର୍ ଆଦିକୁ ତିରଙ୍ଗା ଆଲୋକରେ ସଜ୍ଜା ଯାଇଛି ।

Taj MahalTaj Mahal

ଦେଶରେ ୧୦୦ କୋଟି ଟିକାକରଣକୁ ନେଇ ସେଲିବ୍ରେସନ୍ କରିଛି ସ୍ପାଇସଜେଟ ଏୟାରଲାଇନ୍ସ । ବିମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଫଟୋ ଲଗାଯାଇଛି । ଏତେ କମ୍ ମାସ ଭିତରେ ୧୦୦ କୋଟି ଟୀକାକରଣ ସମ୍ଭବ ହୋଇଥିବାରୁ ସ୍ପାଇସଜେଟ ପକ୍ଷରୁ ଏଭଳି ନିଆରା ପ୍ରୟାସ କରାଯାଇଛି । ବିମାନ ବାହାରେ ଠିଆ ହୋଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ, ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାଓ୍ୱାର ଏବଂ ସ୍ପାଇସଜେଟ ସିଏମଡି ଅଜୟ ସିଂ ବିଜୟ ସଙ୍କେତ ଦେଇଛନ୍ତି ।

Spice JetSpice Jet

ମହାମାରୀ କରୋନା ବିରୋଧୀ ଲଢ଼େଇରେ ଭାରତକୁ ବୃହତ୍ ସଫଳତା । କୋଭିଡ୍ ଟିକାକରଣରେ ଶହେ କୋଟି ମାଇଲଖୁଣ୍ଟ ଅତିକ୍ରମ କରିଛି ଦେଶ । ମାତ୍ର ୨୭୯ ଦିନରେ ଦେଶବାସୀଙ୍କୁ ଦିଆସରିଛି ୧ ବିଲିୟନ୍ ବା ୧୦୦ କୋଟି ଡୋଜ୍ ଟିକା । ଅନ୍ୟପଟେ ରାଜ୍ୟରେ ଶିଶୁମାନଙ୍କ ଟିକାକରଣ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଆସନ୍ତାକାଲି ସବୁ ରାଜ୍ୟର ଅଧିକାରୀଙ୍କୁ ଭର୍ଚୁଆଲ ମୋଡ୍‌ରେ ପ୍ରଶିକ୍ଷଣ ଦିଆଯିବ । ଏହାପରେ ରାଜ୍ୟ ସରକାର ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବେ । ଶିଶୁଙ୍କୁ କୋଭାକ୍ସିନ୍ ଟିକା ଦେବା ପାଇଁ କେବଳ ଏକ୍ପପର୍ଟ କମିଟି ଅନୁମୋଦନ କରିଛି । ଏହାପରେ DCGIର ଅନୁମୋଦନକୁ ଅପେକ୍ଷା କରାଯାଇଛି । ତେବେ ୨ରୁ ୧୮ ବର୍ଷ ବୟସର ସବୁ ପିଲାଙ୍କୁ ଟିକା ଦିଆଯିବ କି କିଛି ନିର୍ଦ୍ଦିଷ୍ଟ ବର୍ଗଙ୍କୁ ଦିଆଯିବ ସେନେଇ ସ୍ପଷ୍ଟ ହୋଇନଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

ଭାରତର ଐତିହାସିକ ସଫଳତା ପରେ ପ୍ରଧାନମନ୍ତ୍ରୀ ଡାକ୍ତର, ସ୍ବାସ୍ଥ୍ୟକର୍ମୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ନୂଆଦିଲ୍ଲୀ ସ୍ଥିତ ରାମ ମନୋହର ଲୋହିଆ ହସ୍ପିଟାଲ ଯାଇ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ହାତ ହଲାଇ ପ୍ରଶଂସା କରିଛନ୍ତି । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଭ୍ୟାକ୍ସିନ୍ ନିର୍ମାତା, ଡାକ୍ତରୀ ଟିମ୍, ସ୍ବାସ୍ଥ୍ୟ କର୍ମୀ ଓ ଟିକା ନେଇଥିବା ଦେଶବାସୀଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ଭାରତର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଚଳିତ ବର୍ଷ ଜାନୁଆରୀ ୧୬ରେ ଦେଶରେ କୋଭିଡ୍ ଟିକାକରଣ ଆରମ୍ଭ ହୋଇଥିବା ବେଳେ ୧୦୦ କୋଟି ଡୋଜ୍ ଟିକାକରଣ ଲାଗି ଭାରତକୁ ଲାଗିଛି ପ୍ରାୟ ୯ ମାସ । ଆଉ ଏହି ରେକର୍ଡ ହାସଲରେ ଭାରତ ବିଶ୍ୱର ଦ୍ୱିତୀୟ ଦେଶ । ଭାରତ ବ୍ୟତୀତ କେବଳ ଚୀନ୍ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛି । ଦେଶର ପ୍ରତି ୪ ବୟସ୍କଙ୍କ ମଧ୍ୟରୁ ୩ ଜଣ ବା ୭୫ ପ୍ରତିଶତ ଅତିକମରେ ଗୋଟିଏ ଡୋଜ୍ ଟିକା ନେଇସାରିଛନ୍ତି । ସେହିପରି ପାଖାପାଖି ୩୧ ପ୍ରତିଶତ ଉଭୟ ଡୋଜ୍ ଟିକା ନେଇଛନ୍ତି । ୧୦୦ କୋଟି ଡୋଜ୍ ଟିକାକରଣ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ତଭିଆ ଏହି ଗୀତ ଲଂଚ୍ କରିଛନ୍ତି ।

Lal QilaLal Qila

ସେହିଭଳି ଦେଶରେ ୧୦୦ କୋଟି ଟିକାକରଣକୁ ନେଇ ବାଲିରେ ଚିତ୍ର ଆଙ୍କିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ବାଲିରେ ଏକ ସୁନ୍ଦର ଚିତ୍ର କରି ପ୍ରଧାନମନ୍ତ୍ରୀଙ୍କ ସମେତ ପୂରା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବାଲିରେ ଭାରତର ମାନଚିତ୍ର କରି ଟିକା ଦେବାର ନିଖୁଣ ଚିତ୍ର ଆଙ୍କିଛନ୍ତି ସୁଦର୍ଶନ ପଟ୍ଟନାୟକ ।

Sudarsan Pattnaik Sand ArtSudarsan Pattnaik Sand Art