• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ନକଲି କରୋନା ଟିକାକୁ ସାବଧାନ

  • ବିଶ୍ୱ ବଜାରରେ ମିଳୁଛି ନକଲି କରୋନା ଟିକା

  • ଭାରତର ବିଭିନ୍ନ ସ୍ଥାନରୁ ବି ଆସୁଛି ନକଲି ଟିକା ଖବର

ନୂଆଦିଲ୍ଲୀ: କରୋନାର ମୁକାବିଲା ପାଇଁ ସାରା ବିଶ୍ୱରେ ଟିକାକରଣ ଚାଲିଥିବା ବେଳେ ଏବେ ନକଲି ଟିକାକୁ ନେଇ ଲୋକମାନେ ଅଡୁଆରେ ପଡିଛନ୍ତି । ଦକ୍ଷିଣ-ପୂର୍ବ ଏସିଆ ଓ କେତେକ ଆଫ୍ରିକୀୟ ଦେଶରେ ଠାବ ହୋଇଛି ନକଲି କୋଭିସିଲ୍ଡ ଟିକା । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରିଛି । ଅନ୍ୟକ୍ଷରେ କେନ୍ଦ୍ର ସରକାର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଚିଠି ଲେଖି ଅସଲି ଟିକା ନିଶ୍ଚିତ କରିବାକୁ କହିଛନ୍ତି । ଏଥିସହ ଅସଲି ଟିକା କିପରି ଚିହ୍ନିହେବ ସେ ନେଇ ଜାରି ହୋଇଛି ଗାଇଡଲାଇନ୍ ।

ନକଲି କରୋନା ଟିକାକୁ ସାବଧାନ। ବିଶ୍ୱ ବଜାରରେ ମିଳୁଛି ନକଲି କରୋନା ଟିକା। ଭାରତର ବିଭିନ୍ନ ସ୍ଥାନରୁ ବି ଆସୁଛି ନକଲି ଟିକା ଖବର। ତେବେ ଦକ୍ଷିଣ-ପୂର୍ବ ଏସିଆ ଓ କେତେକ ଆଫ୍ରିକୀୟ ଦେଶରେ ନକଲି କୋଭିସିଲ୍ଡ ଟିକା ଠାବ ହେବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରିବା ପରେ, ଅସଲି ଟିକା ଚିହ୍ନଟ ପଦ୍ଧତି ସଂପର୍କରେ ସବୁ ରାଜ୍ୟକୁ ଅବଗତ କରାଇଛନ୍ତି କେନ୍ଦ୍ର ସରକାର । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଚିଠି ଲେଖି, ଟିକା ଦେବା ପୂର୍ବରୁ ଏହା ଅସଲି ବୋଲି ସୁନିଶ୍ଚିତ କରିବାକୁ କୁହାଯାଇଛି ।

ଏବେ ଭାରତରେ କୋଭିସିଲ୍ଡ, କୋଭାକ୍ସିନ୍ ଓ ସ୍ପୁଟନିକ-ଭି ଟିକା ଦିଆଯାଉଛି । ତେଣୁ ଅସଲି ଓ ନକଲି ଟିକାକୁ ଚିହ୍ନିବା ପାଇଁ ଏହି ତିନି ଟିକାର ଉତ୍ପାଦନକାରୀଙ୍କ ସହାୟତାରେ କେନ୍ଦ୍ରସରକାରଙ୍କ ପକ୍ଷରୁ ବିସ୍ତୃତ ତଥ୍ୟ ପଠାଯାଇଛି । ଏଥିରେ ଟିକାର ଲେବଲ, ରଂଗ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ ସଂପର୍କରେ ସୂଚନା ଦିଆଯାଇଛି ଏବଂ ଜାତୀୟ କୋଭିଡ୍ ଟିକାକରଣ ଅଭିଯାନର ପ୍ରୋଗ୍ରାମ୍ ମ୍ୟାନେଜର୍ ଓ ସର୍ଭିସ୍ ପ୍ରୋଭାଇଡରଙ୍କୁ ଏସବୁ ଅବଗତ କରାଇବାକୁ କୁହାଯାଇଛି । ସେପଟେ ନକଲି ଟିକା ଅଭିଯୋଗ ମାମଲା ଗୁଡ଼ିକୁ କେନ୍ଦ୍ର ସରକାର ଗୁରୁତର ସହ ନେଇ, ବିଧିବଦ୍ଧ ତଦନ୍ତ ଆରମ୍ଭ କରିଛନ୍ତି । ଯଦି ଏନେଇ ପ୍ରମାଣ ମିଳେ ତେବେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଚେତାବନୀ ଦେଇଛନ୍ତି ।

କେମିତି ଚିହ୍ନିବେ ନକଲି ଟିକା? ସେରମ୍ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ପ୍ରସ୍ତୁତ କୋଭିସିଲଡ୍ ଟିକାର ଲେବଲ ଓ ଆଲୁମିନିୟମ ଠିପି ଘନ ସବୁଜ ରଂଗର । ଟିକା ଉପରେ ଟ୍ରେଡମାର୍କ ଓ ବ୍ରାଣ୍ଡ୍ର ନାଁ ଲେଖାଯାଇଛି । ଅଧିକ ସ୍ପଷ୍ଟ ଓ ପଢିବା ପାଇଁ ଅକ୍ଷର ଗୁଡିକୁ ଧଳାକାଳିରେ ଲେଖାଯାଇଛି । ଟିକାର ଜେନେରିକ୍ ନେମକୁ ବୋଲଡ୍ ଅକ୍ଷରରେ ଲେଖାଯାଇନାହିଁ । ଏଥିରେ ସିଜିଏସ୍ ନଟ୍ ଫର୍ ସେଲ୍ ବୋଲି ଲେଖାଯିବା ସହ ଏସ୍ଆଇଆଇ ଲୋଗୋକୁ ସ୍ୱତନ୍ତ୍ର ଭାବେ ଲେଖାଯାଇଛି । ପୁରା ଲେବଲରେ ଏକ ମହୁଫେଣା ଭଳି ଡିଜାଇନ୍ ରହିଛି, ଯାହାକି କେବଳ ଏକ ନିର୍ଦ୍ଦିଷ୍ଟ କୋଣରୁ ଦେଖାଯାଏ ।

ଅନ୍ୟପକ୍ଷରେ କୋଭାକ୍ସିନ ଟିକାର ଲେବଲରେ ଏକ କୁଣ୍ଡଳୀ ବା ଡିଏନ୍ଏ ସଂରଚନା ଭଳି ଅଦୃଶ୍ୟ ଚିତ୍ର ରହିଛି, ଯାହାକି କେବଳ ଅତିବାଇଗଣୀ ବା ଅଲ୍ଟ୍ରାଭାଓଲେଟ୍ ଆଲୋକରେ ଦେଖାଯାଏ । ଏହା ଖାଲି ଆଖିରେ ଦେଖାଯିବ ନାହିଁ । କୋଭାକ୍ସିନ୍ ଲେଖା ଉପରେ ହୋଲୋଗ୍ରାଫିକ୍ ଇଫେକ୍ଟ ଓ ଏହାର କେବଳ ଏକ୍ସ୍ ଅକ୍ଷରରେ ଗ୍ରୀନ୍ ଫଏଲ୍ ଇଫେକ୍ଟ ରହିଛି। ସ୍ପୁଟନିକ-ଭି କୋଭିଡ ଟିକାର କାର୍ଟୋନ୍ ବା ପେଟିରେ କେବଳ ସାମ୍ନା ଓ ପଛ ପଟେ ଇଂରାଜୀରେ ଲେଖାଯାଇଛି । ଅନ୍ୟସବୁ ସ୍ଥାନରେ ଋଷୀୟ ଲିପିରେ ଲେଖା ରହିଛି । ଏହା ୨ଟି ସ୍ଥାନରେ ଉତ୍ପାଦନ ହେଉଥିବାରୁ କେବଳ ନିର୍ମାତା କଂପାନୀ ନାଁ ବ୍ୟତୀତ ଆଉ ସବୁ ସମାନ ସୂଚନା ଲେଖାରହିଥାଏ । ତେବେ ଏପରି ଭାବରେ ଟିକା ଅସଲି କି ନକଲି ଜାଣିପାରିବେ।