• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସ୍ୱାଧିନତା ପୂର୍ବରୁ ସ୍ୱାଧିନତା ଦିବସ ପାଳନ ନେଇ ନିଷ୍ପତି ।

  • ଜାନୁଆରୀ ୨୬ରେ ପାଳୁଥିଲେ ସ୍ୱାଧିନତା ଦିବସ ।

ଭାରତର ସ୍ୱାଧୀନତା ଦିବସ‌ ଏକ ଜାତୀୟ ଦିବସ । ୧୯୪୭ ମସିହାରେ ଭାରତ ଫିରିଙ୍ଗି ଶାସନରୁ ମୁକ୍ତ ହୋଇଥିଲା । ଆଉ ତା’ପରେ ସ୍ୱତନ୍ତ୍ର ଗଣରାଜ୍ୟରେ ପରିଣତ ହେଲା । ତେଣୁ ଏହି ଦିନକୁ ମନେପକାଇବା ପାଇଁ ପ୍ରତିବର୍ଷ ଅଗଷ୍ଟ ମାସ ୧୫ ତାରିଖକୁ ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଉଛି । ସାରା ଦେଶରେ ଏହି ଦିନ ଜାତୀୟ ପତାକା ଉତ୍ତୋଳନ କରଯିବା ସହ ଉତ୍ସବ ଅୟୋଜନ ହୋଇଥାଏ । ରାଜଧାନୀ ଦିଲ୍ଲୀରେ ଏହି ଦିନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ନିମନ୍ତେ ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି । ଏହା ସହ ଦେଶର ପ୍ରଗତି, ସମସ୍ୟା ଓ ତାହାର ସମାଧାନ ଏବଂ ଆଗକୁ ହେବାକୁ ଥିବା ବିକାଶ ସମ୍ପର୍କରେ ବଖାଣିଥାନ୍ତି । 

ସ୍ୱାଧୀନତା ପୂର୍ବରୁ ଆୟୋଜିତ ସ୍ୱାଧୀନତା ଦିବସ

ତେବେ ଇତିହାସ କହୁଛି ଦେଶ ସ୍ୱାଧୀନ ହେବା ପୂର୍ବରୁ ସ୍ୱାଧୀନତା ଦିବସ ପାଳନ କରିବା ନେଇ ସ୍ଥିର ହୋଇ ସାରିଥିଲା । ବୋଧହୁଏ ଏହା ଖୁବ୍‌ କମ୍ ଲୋକ ଜାଣିଥିବେ । ଭାରତୀୟ ଜାତୀୟ କଂଗ୍ରେସର ୧୯୨୯ ଲାହୋର ଅଧିବେଶନ ବେଳେ ପୂର୍ଣ୍ଣ ସ୍ୱାଧୀନତାର ଘୋଷଣା ହୋଇଥିଲା । ଆଉ ସେହି ଅଧିବେଶନରେ ହିଁ ସ୍ୱାଧୀନତା ଦିବସ ପାଳନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା ।

ଖାଲି ସେତିକି ନୁହେଁ ଏହି ଅଧିବେଶନରେ ଦେଶବାସୀଙ୍କୁ ବ୍ରିଟିଶ ଶାସନରେ ଅସହଯୋଗ ପ୍ରଦର୍ଶନ କରିବା ପାଇଁ ନିବେଦନ କରାଯାଇଥିଲା । ଏହାସହ ପୂର୍ଣ୍ଣ ସ୍ୱାଧୀନତା ଲାଭ ପର୍ଯ୍ୟନ୍ତ କଂଗ୍ରେସର ପ୍ରତ୍ୟେକ ନିର୍ଦ୍ଦେଶକୁ ମାନିବାକୁ ମଧ୍ୟ କୁହାଯାଇଥିଲା । ୧୯୩୦ରୁ ୧୯୪୬ ମସିହା ପର୍ଯ୍ୟନ୍ତ କଂଗ୍ରେସ ଜାନୁଆରୀ ୨୬ ତାରିଖକୁ ସ୍ୱାଧୀନତା ଦିବସ ରୂପେ ପାଳନ କରିଆସୁଥିଲା । ସାଧାରଣସଭା ଆୟୋଜନ ଦ୍ୱାରା ସେତେବେଳେ ସ୍ୱାଧୀନତା ଦିବସ ପାଳିତ ହେଉଥିଲା । ଯେଉଁଥିରେ ଯୋଗ ଦେଇଥିବା ବ୍ୟକ୍ତିମାନେ ସ୍ୱାଧୀନତାର ପ୍ରତିଜ୍ଞା ନେଉଥିଲେ ।

ଅନ୍ୟପଟେ ୧୯୪୬ ବେଳକୁ ବ୍ରିଟେନର ଲେବର ସରକାର ୨ୟ ବିଶ୍ୱଯୁଦ୍ଧରେ ବ୍ୟସ୍ତ ଥିଲେ । ବିଦେଶୀ ସହଯୋଗ ତଥା ଭାରତୀୟ ସେନା ସହଯୋଗରେ ମାତିଉଠିଥିବା ଭାରତୀୟଙ୍କୁ ଦମନ କରିବାର ଆଶା ସେମାନଙ୍କର କ୍ଷୀଣ ହୋଇସାରିଥିଲା । ଏଣୁ ସେମାନେ ଭାରତରେ ଫିରିଙ୍ଗି ଶାସନର ଅନ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ । 

କେମିତି ଆସିଲା ଫିରିଙ୍ଗି ଶାସନ

ଭାରତରେ ବିନିଯୋଗ ଓ ବ୍ୟବସାୟର କାହାଣୀ ୧୬୦୦ ଦଶକରେ ଆରମ୍ଭ ହୋଇଥିଲା । ଇଷ୍ଟ ଇଣ୍ଡିଆ କମ୍ପାନୀ ନାଁରେ ବ୍ରିଟିଶ୍‌ମାନେ ଭାରତରେ ପ୍ରବେଶ କରିଥିଲେ । ଆଉ ଏହାପରେ ସେମାନେ ଧିରେ ଧିରେ ବ୍ୟବସାୟ ନାଁରେ ଚାରିଆଡ଼େ ନିଜ ପତିଆରା ବିସ୍ତାର କରିବାକୁ ଲାଗିଲେ । ଭାରତରେ ବାଣିଜ୍ୟ କରିବାକୁ ଆସିଥିବା ବଣିକମାନେ ଧିରେ ଧିରେ ସାମରିକ ଏବଂ ପ୍ରଶାସନିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଆରମ୍ଭ କଲେ । କାରଣ ସେମାନଙ୍କ ପାଖରେ ବିପୁଳ ପରିମାଣର ସୈନ୍ୟବଳ ଓ ଅସ୍ତ୍ରଶସ୍ତ୍ର ଥିଲା । ସେ ବିଭିନ୍ନ ଦେଶ ଉପରେ ବଳ ପ୍ରୟୋଗ କରି ସେମାନଙ୍କୁ ନିଜ ଅଧୀନକୁ ନେବାକୁ ଚେଷ୍ଟା କଲେ । ଖାଲି ସେତିକି ନୁହେଁ ଦୁର୍ବଳ ଥିବା ଦେଶଗୁଡ଼ିକୁ ଯୁଦ୍ଧରେ ପରାସ୍ତ କରି ସେଠାକାର ଶାସନ ଡୋରି ନିଜ ହାତକୁ ନେଲେ । ୧୭୫୭ ସୁଦ୍ଧା, ସେମାନେ ଦେଶର ଅନେକ ସ୍ଥାନରେ ନିଜର ପତିଆରା ସ୍ଥାପନ କରିସାରିଥିଲେ ।

ଇଂରେଜ ସରକାରର ଏଭଳି ଅନ୍ୟାୟ ଧିରେ ଧିରେ ଦେଶର ଲୋକଙ୍କ ମନରେ ଅସନ୍ତୋଷର ଦାନା ବାନ୍ଧିଥିଲା । ସ୍ଥାନୀୟ ଜନସାଧାରଣ ସେମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିବାକୁ ଲାଗିଲେ । ପ୍ରଥମ ସଂଗଠିତ ବିଦ୍ରୋହ ୧୮୫୭ ମସିହାରେ ବ୍ରିଟିଶ ଶାସନ ବିରୁଦ୍ଧରେ ହୋଇଥିଲା । ଭାରତୀୟ ସୈନିକମାନଙ୍କର ଏକ ଦଳ ମିରଟରେ ବ୍ରିଟିଶ ମାନ୍ୟତା ବିରୁଦ୍ଧରେ ବିଦ୍ରୋହ କରିଥିଲେ । ଯାହାକୁ ସିପାହୀ ବିଦ୍ରୋହ କୁହାଗଲା । ଏହା ସ୍ୱାଧୀନତା ସଂଗ୍ରାମକୁ ଏକ ନୂଆ ରୂପ ଦେଇଥିଲା । ଆଉ ଧିରେ ଧିରେ ସାରା ଭାରତ ବର୍ଷରେ ଆରମ୍ଭ ହୋଇଥିଲା ଫିରିଙ୍ଗିଙ୍କ ବିରୋଧରେ ସ୍ୱାଧୀନତା ସଂଗ୍ରାମ ।