• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଭାରତକୁ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ୍

  • ୭ ପଦକ ବିଜୟ ସହ ଭାରତର ସର୍ବକାଳୀନ ରେକର୍ଡ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ସହ ଲଣ୍ଡନ ଅଲିମ୍ପିକ୍ସ ସଫଳତାକୁ ପଛରେ ପକାଇଛନ୍ତି ଭାରତୀୟ ଯୁବ ଖେଳାଳି। ତେବେ ମେଡାଲ୍ ମାରିବାର ସୁଯୋଗ ଥିବା ସୁଟିଂ ଓ ତୀରନ୍ଦାଜୀର ଫଳାଫଳ ଆଶାନୁରୂପ ହୋଇଥିଲେ ପଦକ ସଂଖ୍ୟା ହୁଏତ ଦୁଇ ଅଙ୍କ ଟପି ଥାଆନ୍ତା। ସେହିପରି ମହିଳା ହକି ଓ ଗଲ୍ଫରେ ପଦକ ଅଳ୍ପକେ ହାତଛଡ଼ା ହେବା ବି କିଛିଟା ନିରାଶା ଆଣିଛି। ତେବେ ବିଶ୍ୱ କ୍ରୀଡ଼ାଙ୍ଗନରେ ନିଜକୁ ପ୍ରତିଷ୍ଠିତ କରିବା ଲାଗି ଚାଲିଥିବା ପ୍ରୟାସ ଆଗାମୀ ଦିନରେ ସଫଳତା ଆଣିବା ବୋଲି ଆଶା କରାଯାଉଛି।

ଭାରତୀୟ କ୍ରୀଡ଼ା ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ରହିବ ଅଗଷ୍ଟ ୭। ୨୦୨୧ ଯୁବ ଜାଭଲିନ ଥ୍ରୋଅର ନୀରଜ ଚୋପ୍ରା ଟୋକିଓ ଅଲମ୍ପିକ୍ସରେ ଯେଉଁ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ତାକୁ ଦେଶ ସଦାସର୍ବଦା ମନେ ରଖିବ। ନୀରଜ କେବଳ ଇତିହାସ ସୃଷ୍ଟି କରିନାହାନ୍ତି, ତାଙ୍କ ସଫଳତା ଯୁବ କ୍ରୀଡ଼ାବିତ୍‌ଙ୍କୁ ଲାଗି ପ୍ରେରଣାଦାୟୀ ବି ହେବ ଆଥ୍ଲେଟିକ୍ସରେ ପ୍ରଥମ ପଦକ ଜିଣି ନୀରଜ ବିଶ୍ୱ ଦରବାରରେ ଭାରତର ଜୟଯାତ୍ରାର ମୂଳଦୁଆ ପକାଇଛନ୍ତି । ତାସହିତ ବିଶ୍ୱ କ୍ରୀଡ଼ା ଦରବାରରେ ଭାରତକୁ ପ୍ରତିଷ୍ଠିତ କରାଇବା ଲାଗି ଆରମ୍ଭ ହୋଇଥିବା ଉଦ୍ୟମକୁ ନୀରଜଙ୍କ ସଫଳତା ବଳ ଯୋଗାଇବ ବୋଲି କୁହାଯାଉଛି। ଏପଟେ ଟୋକିଓରେ ଦେଶପାଇଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି ଦେଶର ଯୁବ କ୍ରୀଡ଼ାବିତ୍ ୱେଟ୍ ଲିଫଟର ମୀରାବାଇ ଚାନୁ ଓ କୁସ୍ତିରେ ରୌପ୍ୟ ଜିତି ରବି କୁମାର ଦହିୟା ପ୍ରମାଣିତ କରିଦେଇଛନ୍ତି ଯେ ଭାରତୀୟ ଆଥଲେଟ୍ ଅନ୍ୟମାନଙ୍କଠୁ କୌଣସି ଗୁଣରେ କମ୍ ନୁହନ୍ତି । ଡବଲ ଅଲମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ, ବକ୍ସିଂ ଷ୍ଟାର ଲଭ୍ଲିନା ବୋରଗୋହେନ୍, ରେସଲର ବଜଗଙ୍ଗ ପୁନିଆ ବ୍ରୋଞ୍ଜ ଜିଣି ଭାରତୀୟ କ୍ରୀଡ଼ାକୁ ନୂଆ ଉଚ୍ଚତାକୁ ନେଇଥିବା ବେଳେ ୪୧ ବର୍ଷ ପରେ ହକି ପଦକ ଜିଣି ହୃତ ଗୌରବ ଫେରାଇ ଆଣିଛି ଭାରତୀୟ ପୁରୁଷ ହକି ଦଳ।

ଟୋକିଓରେ ସର୍ବଶ୍ରେଷ୍ଠ ପ୍ରଦର୍ଶନସତ୍ତ୍ୱେ ଭାରତୀୟ ଟିମକୁ ଆଶାନୁରୂପ ସଫଳତା ମିଳିନି। କାରଣ ଯେଉଁ ଇଭେଣ୍ଟରେ ଭାରତୀୟ ଖେଳାଳୀଙ୍କ ଦବଦବା ରହିଛି ଓ ବିଶ୍ୱ ରାଙ୍କିଂରେ ଟପ୍ ପୋଜିସନରେ ରହିଛନ୍ତି। ସେଭଳି କିଛି ଇଭେଣ୍ଟରେ ପ୍ରଦର୍ଶନ ଅତି ନୈରାଶ୍ୟଜନକ ରହିଛି। ସୁଟିଂରେ ମନୁ ଭାକର ଓ ଓ୍ୱଣ୍ଡରବୟ ଭାବେ ପରିଚିତ ସୌରଭ ଚୌଧୁରୀଙ୍କ ବିଫଳତା ଖେଳପ୍ରେମୀଙ୍କୁ ମର୍ମାହତ କରିଛି। ସେହିପରି ତୀରନ୍ଦାଜୀରେ ଦୀପିକା କୁମାରୀ ଓ ଅତନୁ ଦାସ୍ ନିଶ୍ଚିତ ପଦକ ଜିତିବେ ବୋଲି ଆଶା ରହିଥିବା ବେଳେ ଅଲିମ୍ପିକ୍ସରେ ଏମାନେ ପୁଣି ଥରେ ଆଶାନୁରୂପ ପ୍ରଦର୍ଶନ ଦେବାରେ ଫେଲ୍ ମାରିଛନ୍ତି। ତେବେ ମହିଳା ହକି ଟିମ୍ ଓ ଗଲଫର ଅଦିତି ଅଶୋକଙ୍କ ଚମତ୍କାର ପ୍ରଦର୍ଶନ କିଛି ମାତ୍ରାରେ ସାନ୍ତ୍ୱନାଦାୟୀ ହୋଇଛି। ତେବେ ୨୦୨୪ ପ୍ୟାରିସରେ ଅଲମ୍ପିକ୍ସରେ ଯେଭଳି ତ୍ରୁଟିର ପୁନରାବୃତ୍ତି ନହେବ ସେଥିଲାଗି ଏବେଠାରୁ ଅଭିଯାନ ଆରମ୍ଭ କରାଯିବା ଦରକାର ବୋଲି କ୍ରୀଡ଼ା ସମୀକ୍ଷକ ମତ ଦେଇଛନ୍ତି।

ଟୋକିଓରେ ୩୯ଟି ସ୍ୱର୍ଣ୍ଣ ସହ ମୋଟ୍ ୧୧୩ଟି ମେଡାଲ୍ ଜିତି ଆମେରିକା ପ୍ରଥମ ସ୍ଥାନରେ ରହି ନିଜ ଦବଦବା ଜାହିର କରିଥିବା ବେଳେ ୩୮ ସ୍ୱର୍ଣ୍ଣ ସହ ଚୀନ୍ ଦ୍ୱିତୀୟ ଏବଂ ଆୟୋଜକ ଜାପାନ ୨୭ ସ୍ୱର୍ଣ୍ଣ ପଦକ ଜିତି ତୃତୀୟ ସ୍ଥାନ ଅଧିକାର କରିଛି।