• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗାଜିଆବାଦ : ଖେଳ ହେଲା କାଳ । ମା’ର କୋଳଶୂନ୍ୟ କରି ଆରପାରିକୁ ଚାଲିଗଲେ ଦୁଇ ପୁଅ । ବାଲକୋନୀରେ ଖେଳୁଥିବା ସମୟରେ ୨୫ ମହଲା ଉପରୁ ଖସିପଡ଼ିଲେ ଯାଆଁଳା ଭାଇ । ଉତ୍ତରପ୍ରଦେଶର ଗାଜିଆବାଦରେ ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି । ବିଜୟନଗର ଅଞ୍ଚଳରେ ଏକ ୨୫ ମହଲା କୋଠାରୁ ଖସିପଡ଼ିବା ପରେ ଦୁଇ ଯାଆଁଳା ଭାଇଙ୍କର ମୃତ୍ୟୁ ଘଟିଛି । ଦୁଇ ପୁଅକୁ ହରାଇ ମା’ବାପା ସ୍ଥାଣୁ ପାଲଟି ଯାଇଛନ୍ତି । କେହି କିଛି କହିପାରୁ ନାହାନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଦେଇଛି । ଘଟଣାର ତଦନ୍ତ ଆରମ୍ଭ ହୋଇଛି । ୧୬-୧୭ ଅକ୍ଟୋବର ବିଳମ୍ବିତ ରାତିରେ ପ୍ରାୟ ଗୋଟାଏ ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି ।

ଗାଜିଆବାଦର ବିଜୟନଗର ଥାନା ଅଞ୍ଚଳର ସିଦ୍ଧାର୍ଥ ବିହାରରେ ୧୪ ବର୍ଷିୟ ଦୁଇ ଯାଆଁଳା ଭାଇ ସୂର୍ଯ୍ୟ ନାରାୟଣ ଏବଂ ସତ୍ୟ ନାରାୟଣ ବାପାମା’ଙ୍କ ସହ ୨୫ ମହଲା କୋଠାରେ ରହୁଥିଲେ । ଉଭୟ ନବମ ଶ୍ରେଣୀରେ ପଢ଼ୁଥିଲେ । ତେବେ ଘଟଣା ଦିନ ଉଭୟେ ମଧ୍ୟରାତ୍ରି ସମୟରେ ଫ୍ଲାଟର ବାଲକୋନୀରେ ଖେଳୁଥିଲେ । ଖେଳିବା ସମୟରେ ହଠାତ୍ ଉଭୟ ଭାଇ ବାଲକୋନିରୁ ଖସି ପଡ଼ିଥିଲେ । ଆଉ ୨୫ ମହଲା କୋଠାରୁ ଖସି ପଡ଼ିବାରୁ ଉଭୟଙ୍କର ମୃତ୍ୟୁ ହୋଇଛି ।

ପୋଲିସ ସୂଚନା ଅନୁସାରେ, ଦୁର୍ଘଟଣା ଘଟିବା ସମୟରେ ଦୁଇ ଭାଇଙ୍କ ମାଆ ଘରେ ଉପସ୍ଥିତ ଥିଲେ । ଅନ୍ୟ ଏକ କୋଠରୀରେ ବଡ଼ ଭଉଣୀ ମଧ୍ୟ ଥିଲା । ଅନ୍ୟପଟେ କାମ ସଂକ୍ରାନ୍ତରେ ଯାଆଁଳା ଭାଇଙ୍କ ବାପା ମୁମ୍ବାଇ ଯାଇଥିଲେ । ଉଭୟ ଯାଆଁଳା ଭାଇ ଭିନ୍ନ ଭିନ୍ନ ରୁମରେ ଥିଲେ । ଆଉ ରାତି ୧୨ ଟାରେ ମା’ ଶୋଇବାକୁ ଚାଲିଯାଇଥିଲେ । ଏହା ପରେ କ’ଣ ହେଲା, ଦୁଇ ଭାଇ କିପରି ରେଲିଂ ପାଖକୁ ଗଲେ ଏବଂ ପରେ ଦୁର୍ଘଟଣା ଘଟିଲା, ସେସମ୍ପର୍କରେ ମା’ ଓ ଭଉଣୀ କିଛି କହିପାରୁ ନାହାନ୍ତି । ତେବେ ଏ ସମ୍ପର୍କରେ ପଚରାଉଚରା କରାଯାଉଛି । ଦୁଇ ଭାଇଙ୍କ ମୋବାଇଲ୍ ଫୋନକୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି ।