• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ରଣଜିତ ସିଂହ ହତ୍ୟା ମାମଲାରେ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

  • ସିବିଆଇର ସ୍ୱତନ୍ତ୍ର କୋର୍ଟରେ ହେଲା ଦଣ୍ଡାଦେଶ

ରାମ ରହିମଙ୍କୁ ଆଜୀବନ କାରାଦଣ୍ଡାଦେଶ । ରଣଜିତ ସିଂହ ହତ୍ୟା ମାମଲାରେ ଆଜୀବନ ସଜା ଶୁଣାଇଛନ୍ତି କୋର୍ଟ । ଏହା ବ୍ୟତୀତ ଅନ୍ୟ ଚାରିଜଣଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ୨୦୦୨ରେ ପୂର୍ବତନ ଡେରା ମ୍ୟାନେଜର ରଣଜିତ ସିଂଙ୍କ ହତ୍ୟା ମାମଲାରେ ରାମ ରହିମ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଅକ୍ଟୋବର ୮ରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ପ୍ରାୟ ୧୯ ବର୍ଷ ପରେ ଏହି ମାମଲାରେ ଆଜି କୋର୍ଟ ରାୟ ଶୁଣାଇଛନ୍ତି । ଦଣ୍ଡ ଘୋଷଣା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ହରିୟାଣାର ପଞ୍ଚକୁଲା ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଥିଲା ।

ଅଗଷ୍ଟ ୨୦୧୭ ର ହିଂସାକୁ ଦୃଷ୍ଟିରେ ରଖି ରାମ ରହିମଙ୍କ ସହ ଜଡିତ କୌଣସି ବି ମାମଲାରେ ଶୁଣାଣି କିମ୍ବା ଦଣ୍ଡ ଘୋଷଣା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଏ । ୨୦୧୭ରେ ରାମ ରହିମ ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ପରେ ହିଂସାରେ ୩୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାସହ ଗତ ଶୁଣାଣି ସମୟରେ ସିବିଆଇ କୋର୍ଟରୁ ଡେରା ମୁଖ୍ୟଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ଦାବି କରାଯାଇଥିଲା । ତେବେ ଏହି ମାମଲାର ରାମ ରହିମ ନିଜେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋହତକ ଜେଲରୁ ଦୟା ଭିକ୍ଷା କରିଥିଲେ । ଦୁଇ ଅନୁଗାମୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ରାମ ରହିମ ୨୦ ବର୍ଷର ସଜା କାଟୁଛନ୍ତି । ରାମ ରହିମ କୋର୍ଟରେ ଦୟା ଭିକ୍ଷା କରିବା ସମୟରେ ରକ୍ତଚାପ, ଆଖି ଏବଂ କିଡନୀ ସମ୍ବନ୍ଧୀୟ ରୋଗ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।

ସିବିଆଇ ଡେରା ମୁଖ୍ୟଙ୍କ ଆବେଦନକୁ ବିରୋଧ କରିଥିଲେ । ପୀଡିତା ତାଙ୍କୁ ଭଗବାନ୍ ମାନୁଥିବ ବେଳେ ଅଭିଯୁକ୍ତ ତାଙ୍କ ବିଶ୍ୱାସରେ ବିଷ ଦେବା ସହ ଅପରାଧ କରିଥିଲେ ବୋଲି ସିବିଆଇ ପକ୍ଷରୁ କୁହାଯାଇଥିଲା । ଏଭଳି ପରିସ୍ଥିତିରେ ଆଇପିସିର ଧାରା ୩୦୨ ଅନୁଯାୟୀ ରାମ ରହିମଙ୍କ ବିରୋଧରେ ସିବିଆଇ ସର୍ବାଧିକ ଦଣ୍ଡ ଦାବି କରିଥିଲା ।

ଗୁରୁମିତ ରାମ ରହିମ ବର୍ତ୍ତମାନ ରୋହତକ ଜିଲ୍ଲାର ସୁନାରିଆ ଜେଲରେ ଅଛନ୍ତି । ୨୦୧୭ ଅଗଷ୍ଟ ୨୫ରେ ପଞ୍ଚକୁଲାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଦୁଇଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ କାରାଦଣ୍ଡରେ ତାଙ୍କୁ ଦଣ୍ଡିତ କରିଥିଲେ । ୨୦୧୯ ଜାନୁଆରୀ ୧୭ରେ ଉକ୍ତ ସିବିଆଇ କୋର୍ଟ ତାଙ୍କୁ ସିରସା ଭିତ୍ତିକ ସାମ୍ବାଦିକ ରାମ ଚାନ୍ଦ ଛତ୍ରପତିଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।