• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ମାନବ ସେବା ହିଁ ମାଧବ ସେବା

  • ଚର୍ଚ୍ଚାରେ ଦିଲ୍ଲୀ ମଟ୍‌କା ମ୍ୟାନ

ନୂଆଦିଲ୍ଲୀ: କଥାରେ ଅଛି, ମାନବ ସେବା ହିଁ ମାଧବ ସେବା । ବହୁ ବଦାନ୍ୟ, ସହୃଦୟ ବ୍ୟକ୍ତି ନିଜ ନିଜ ଉପାୟରେ ଜାରି ରଖିଛନ୍ତି ଜନସେବା । ସେଥିପାଇଁ ତ କୁହାଯାଉଛି ଯେ, ଆଜିର ଦୁନିଆ ଯେତେ ସ୍ୱାର୍ଥପର ହେଲେ ବି, ଏଠି ଏବେବି ମଣିଷପଣିଆ ବଞ୍ଚିଛି । ପରିଣତ ବୟସରେ ଗରିବ ଗୁରୁବାଙ୍କ ସେବା ଜାରି ରଖିଥିବା ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ଦିଲ୍ଲୀର ମଟକା ମ୍ୟାନ୍।

ଆଇରନ୍ ମ୍ୟାନ୍, ସୁପର୍ ମ୍ୟାନ୍ କି ସ୍ପାଇଡର୍ ମ୍ୟାନଙ୍କ କଥା ଆପଣ ପୂର୍ବରୁ ଶୁଣିଥିବେ ନିଶ୍ଚିତ । ସେମାନେ ରିଲର ସୁପର୍ ହିରୋ । ହେଲେ ରିୟଲ୍ ଲାଇଫର ସୁପର୍ ହିରୋ ହେଉଛନ୍ତି ମଟ୍‌କା ମ୍ୟାନ । ଦିଲ୍ଲୀ ପଞ୍ଚଶୀଳ ପାର୍କର ଏହି ବୟସ୍କଙ୍କ ନାଁ ଅଲଗ ନଟରାଜନ୍ । କିନ୍ତୁ ସମସ୍ତେ ୟାଙ୍କୁ ଜାଣନ୍ତି ମଟ୍‌କା ମ୍ୟାନ ନାଁରେ । କାରଣ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଗରିବ ଗୁରୁବାଙ୍କ ପାଇଁ ଏହିସବୁ ମଟ୍‌କା ବା ମାଠିଆରେ ପିଇବା ପାଣି ରଖନ୍ତି ଅଲଗ୍ ନଟରାଜନ । ପାଣି କିଣି ପିଇବା ପାଇଁ ଅନେକଙ୍କ ସାମର୍ଥ୍ୟ ନଥିବା ବେଳେ, ସେମାନଙ୍କ ପାଇଁ ସବୁଦିନ ସକାଳୁ ନିଜ ବୋଲେରୋ ଧରି ଛକ ଛକରେ ବୁଲି ଏହି ସବୁ ମାଟି ପାତ୍ରରେ ପାଣି ରଖିଆସନ୍ତି ସେ ।

ଏହି ୭୨ ବର୍ଷ ବୟସ୍କଙ୍କ ନାଁ ଅଲଗ୍, କାମ ବି ଅନ୍ୟମାନଙ୍କ ଠୁ ଅଲଗା । ତାଙ୍କ ଗାଡ଼ି ବି ଦେଖିବାକୁ ବେଶ୍ ଅଲଗା । ପ୍ରତିଦିନ ସକାଳ ସାଢ଼େ ୫ଟାରୁ ଉଠି ଏଇ ଗାଡ଼ି ଧରି ନିଜ କାମରେ ଲାଗିଯାଆନ୍ତି ମଟ୍‌କା ମ୍ୟାନ । ତାଙ୍କ ଗାଡ଼ିରେ ଥାଏ ପାଇପ୍, ପମ୍ପ୍ ଓ ପାଣିଟାଙ୍କି ଇତ୍ୟାଦି ଜିନିଷ । ସହୃଦୟ ବ୍ୟକ୍ତିଙ୍କ ଘରକୁ ଯାଇ କିମ୍ବା ଦିଲ୍ଲୀ ଜଳ ବୋର୍ଡକୁ ଯାଇ ପାଣି ସଂଗ୍ରହ କରି ଟାଙ୍କିରେ ପୁରାନ୍ତି । ଏହାପରେ ସେ ଆଇଆଇଟି, ଗ୍ରୀନ୍ ପାର୍କ, ଏସ୍ଡିଏ ମାର୍କେଟ୍ ଆଦି ଅଞ୍ଚଳକୁ ଯାଇ ପ୍ରାୟ ୮୦ଟି ମାଠିଆରେ ପାଣି ଭର୍ତ୍ତି କରନ୍ତି । ଏଭଳି ଜନସେବା ପାଇଁ ସେ ଦକ୍ଷିଣ ଦିଲ୍ଲୀର ପରିଚିତ ଚେହେରା ପାଲଟିଛନ୍ତି ।

 

ସେ ଜଣେ ଲଣ୍ଡନ୍ ଫେରନ୍ତା ଇଞ୍ଜିନିୟର୍ । ଜନସେବା ପାଇଁ ବିଦେଶରୁ ଭାରତକୁ ଫେରିଛନ୍ତି ମଟ୍‌କା ମ୍ୟାନ । ୩୦ ବର୍ଷ ଧରି ଜଣେ ଉଦ୍ୟୋଗୀ ଭାବେ ସେ ଥିଲେ ଲଣ୍ଡନରେ । ଅଲଗ ନଟରାଜନ ଜଣେ କ୍ୟାନସର୍‌ ବିଜୟୀ ମଧ୍ୟ । ପାଣି ଟୋପେ ପାଇଁ ଗରିବ ଲୋକମାନେ ଦୟନୀୟ ସ୍ଥିତିର ସାମ୍ନା କରୁଥିବା ଦେଖିବା ପରେ, ଏହି ଭଳି ଉପାୟରେ ମାନବ ସେବା ପାଇଁ ମନ ବଳାଇଥିଲେ । ମଟ୍‌କା ମ୍ୟାନ ସେବା ମନୋବୃତିକୁ ଦେଖି ତାଙ୍କୁ ସୁପର୍ ହିରୋ ବୋଲି କହିଛନ୍ତି ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା । ତାଙ୍କୁ ପ୍ରଶଂସା କରି ସେ ଟୁଇଟ୍ ମଧ୍ୟ କରିଛନ୍ତି ।