• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

News Highlights

  • ଦିଲ୍ଲୀ ଉପରେ ଆକ୍ରମଣ ଆଶଙ୍କା

  • ସ୍ୱାଧୀନତା ଦିବସ ପୂର୍ବରୁ ଆକ୍ରମଣର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

  • ଦିଲ୍ଲୀ ପୁଲିସ୍‌ ପକ୍ଷରୁ ହାଇଆଲର୍ଟ ଜାରି

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଦେଶ ପାଳିବାକୁ ଯାଉଛି ଏହାର ୭୫ତମ ସ୍ୱାଧୀନତା ଦିବସ। କିନ୍ତୁ ଏହି ପବିତ୍ର ଦିବସ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀ ଉପରେ ଆକ୍ରମଣ ଆଶଙ୍କା ପ୍ରକାଶ ପାଇଛି। ପାକିସ୍ତାନରେ ସକ୍ରିୟ କିଛି ଆତଙ୍କୀ ସଂଗଠନ ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ ବଡ଼ଧରଣର ହମଲା କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଜଣାଯାଇଛି। ବିଶେଷକରି ଡ୍ରୋନ୍‌ ଦ୍ୱାରା ଆକ୍ରମଣ କରିବାକୁ ସେମାନେ ଯୋଜନା କରିଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି। ଗୁଇନ୍ଦା ବିଭାଗ ଏହି ସୂଚନା ଦେବା ପରେ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ସମଗ୍ର ରାଜଧାନୀରେ ହାଇଆଲର୍ଟ ଜାରି କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଦିଆଯାଇଛି।

ଗୁଇନ୍ଦା ବିଭାଗର ସୂଚନା ଅନୁଯାୟୀ, ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଚଳିତ ମୌସୁମୀ ଅଧିବେଶନ ସମୟରେ ଦିଲ୍ଲୀରେ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକ ଉପରେ ଆକ୍ରମଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଆକ୍ରମଣ କରି ସେମାନେ ଅଗଷ୍ଟ ୧୫ ପୂର୍ବରୁ ଦେଶରେ ହିଂସାର ପରିବେଶ ସୃଷ୍ଟି କରିବାକୁ ଚାହୁଁଛନ୍ତି।

ବିଶେଷକରି ଆତଙ୍କବାଦୀଙ୍କ ଟାର୍ଗେଟରେ ଅଗଷ୍ଟ ୫ ରହିଛି। ୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରାଯାଇଥିଲା। ଏନେଇ ଏହାକୁ ବିରୋଧ କରୁଥିବା ପାକିସ୍ତାନ ଓ କିଛି ଆତଙ୍କୀ ସଂଗଠନ ଅଗଷ୍ଟ ୫ରେ ଭାରତର ରାଜଧାନୀ ଦିଲ୍ଲୀରେ ଆକ୍ରମଣ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଆକ୍ରମଣ ବ୍ୟତୀତ ଜାତୀୟ ରାଜଧାନୀରେ ବିଭିନ୍ନ ପ୍ରକାରର ଅଶାନ୍ତି ସୃଷ୍ଟି କରିବାକୁ ମଧ୍ୟ ଆତଙ୍କୀମାନେ ଯୋଜନା କରୁଛନ୍ତି। ସେମାନେ ଦିଲ୍ଲୀରେ ଅପରେସନ ‘ଜେହାଦ’ ଆରମ୍ଭ କରିବାକୁ ମସୁଧା କରିଥିବା ଗୁଇନ୍ଦା ବିଭାଗ କହିଛି।

ନିକଟରେ ଜମ୍ମୁରେ ଥିବା ବାୟୁସେନା ବେସ୍‌ ଉପରେ ଆତଙ୍କୀମାନେ ଡ୍ରୋନ୍‌ ଦ୍ୱାରା ଆକ୍ରମଣ କରିଥିଲେ। ଦିଲ୍ଲୀରେ ମଧ୍ୟ ସେହିପରି ଡ୍ରୋନ୍‌ ଦ୍ୱାରା ଆକ୍ରମଣ ହେବାର ଆଶଙ୍କା ରହିଛି। ପୂର୍ବରୁ ହିଁ ବିପଦକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଅଗଷ୍ଟ ୧୬ ଯାଏ ଡ୍ରୋନ୍‌ ଉଡ଼ାଣ ଉପରେ କଟକଣା ଲଗାଯାଇଛି। ଏବେ ଗୁଇନ୍ଦା ବିଭାଗ ଆକ୍ରମଣର ଆଶଙ୍କା ଥିବା କହିବା ପରେ ଦିଲ୍ଲୀ ପୁଲିସ୍‌ କମିଶନର ବାଲାଜୀ ଶ୍ରୀବାସ୍ତବ ଆକ୍ସନ ମୋଡକୁ ଚାଲି ଆସିଛନ୍ତି। ସେ ଡିସିପି, ଯୁଗ୍ମ ସିପି ଓ ସମସ୍ତ ଜିଲ୍ଲାର ଅନ୍ୟ ଗୁଇନ୍ଦା ଅଧିକାରୀମାନଙ୍କୁ ଆଲର୍ଟରେ ରହିବାକୁ କହିଛନ୍ତି। ବିଶେଷକରି ଡ୍ରୋନ୍‌ ଉପରେ ନଜର ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ସମସ୍ତ ଷ୍ଟେସନ୍‌ ହାଉସ୍‌ ଅଫିସର୍‌ମାନେ କଣ୍ଟ୍ରୋଲ୍‌ ରୁମ୍‌କୁ ଡ୍ରୋନ୍‌ ସମ୍ପର୍କରେ ତଥ୍ୟ ମିଳିବା ମାତ୍ରେ ଏହାର ଯାଞ୍ଚକରି ସମ୍ଭାବ୍ୟ ବିପଦ ବାବଦରେ ତଥ୍ୟ ହାସଲ କରିବେ। ଡ୍ରୋନ୍‌ ବିପଦ ପାଇଁ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଗୋଟିଏ ସ୍ୱତନ୍ତ୍ର କଣ୍ଟ୍ରୋଲ୍‌ ରୁମ୍‌ ମଧ୍ୟ ତିଆରି କରାଯାଇଛି। ଐତିହାସିକ ଲାଲକିଲ୍ଲାରେ ୪ଟି ଆଣ୍ଟି ଡ୍ରୋନ୍‌ ସିଷ୍ଟମ୍‌ ଖଞ୍ଜଯାଇଛି। ଦିଲ୍ଲୀ ପୁଲିସ୍‌ ଓ ଅନ୍ୟ ସୁରକ୍ଷାକର୍ମୀଙ୍କୁ ପ୍ରଥମଥର ପାଇଁ ଡ୍ରୋନ୍‌ ସହ ଲଢ଼େଇ କରିବାର ଟ୍ରେନିଂ ମଧ୍ୟ ଦିଆଯାଇଛି।