• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମହାମାରୀ ଠାରୁ ବି ଭୟଙ୍କର ବେକାରୀ ସମସ୍ୟା

  • ଅଗଷ୍ଟ ମାସରେ ଚାକିରି ହରାଇଛନ୍ତି ୧୫ ଲକ୍ଷ ଲୋକ

  • CMIE ରିପୋର୍ଟରୁ ସୂଚନା

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଉତ୍କଟ ହେଉଛି ବେକାରୀ ସମସ୍ୟା । ମହାମାରୀ ଠାରୁ ବି ଭୟଙ୍କର । ଗୋଟିଏ ପଟେ କରୋନା ତଳିତଳାନ୍ତ କରୁଥିବା ବେଳେ ଅନ୍ୟପଟେ ବେକାରୀ ସମସ୍ୟା ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗି ଦେଲାଣି । କୋରୋନାର ଦ୍ୱିତୀୟ ଲହରୀ ଲୋକଙ୍କ ଜୀବନ ଜୀବିକା ଛଡ଼ାଇ ନେଇଛି । ପିଲାମାନେ ଟଙ୍କା ଖର୍ଚ୍ଚ କରି ପାଠ ପଢ଼ୁଛନ୍ତି, ହେଲେ ନିଯୁକ୍ତି ମିଳୁନଥିବାରୁ ଅଭିଭାବକଙ୍କ ଉପରେ ବୋଝ ପଡ଼ୁଛି । ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି ।

ଅଗଷ୍ଟ ମାସରେ ଦେଶରେ ବ୍ୟବସାୟର ସ୍ଥିତି ମନ୍ଥର ଥିବାବେଳେ ଉଭୟ ଆନୁଷ୍ଠାନିକ ତଥା ଅଣଆନୁଷ୍ଠାନିକ କ୍ଷେତ୍ରର ୧୫ ଲକ୍ଷରୁ ଅଧିକ ଲୋକ ବେକାର ହୋଇପଡିଛନ୍ତି । ଜୁଲାଇରେ କାର୍ଯ୍ୟରତ ଲୋକଙ୍କ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଛି । ଜୁଲାଇରେ ୩୯୯.୩୮ ମିଲିୟନ ଲୋକ କାମ କରୁଥିବା ବେଳେ ଅଗଷ୍ଟରେ ଏହି ସଂଖ୍ୟା ହ୍ରାସ ପାଇ ୩୯୭.୩୮ରେ ପହଞ୍ଚିଥିବା ଭାରତୀୟ ଅର୍ଥନୀତିର ମନିଟରିଂ କେନ୍ଦ୍ରର ରିପୋର୍ଟରୁ ଜଣାପଡ଼ିଛି । କେବଳ ଗୋଟିଏ ମାସରେ ଭାରତର ଗ୍ରାମାଞ୍ଚଳରେ ପ୍ରାୟ ୧୩ ଲକ୍ଷ ଲୋକ ଚାକିରୀ ହରାଇଛନ୍ତି ।

CMIE ରିପୋର୍ଟ ଅନୁଯାୟୀ ଜାତୀୟ ବେକାରୀ ହାର ୬.୯୫ ପ୍ରତିଶତରୁ ୮.୩୨ ପ୍ରତିଶତକୁ ବୃଦ୍ଧି ପାଇଛି । ଆକଳନ ଅନୁସାରେ ଜୁଲାଇରେ ୮.୩ ପ୍ରତିଶତ, ଜୁନରେ ୧୦.୦୭ ପ୍ରତିଶତ, ମେ ରେ ୧୪.୭୩ ପ୍ରତିଶତ ଏବଂ ଏପ୍ରିଲରେ ୯.୭୮ ପ୍ରତିଶତ ଥିଲା ବେକାରୀ ହାର । କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଭାରତକୁ ପ୍ରବେଶ କରିବା ପୂର୍ବରୁ ମାର୍ଚ୍ଚ ମାସରେ ସହରୀ ବେକାରୀ ହାର ପ୍ରାୟ ୭.୨୭ ପ୍ରତିଶତ ଥିଲା ।

ଜାତୀୟ ବେକାରୀ ହାର ଆକଳନରୁ ସ୍ପଷ୍ଟ ଜଣାପଡ଼ୁଛି ଅଗଷ୍ଟରେ ନିଯୁକ୍ତି ହାରରେ ହ୍ରାସ ଘଟିଛି । ତେବେ ଏହି ମାସରେ କର୍ମଚାରୀଙ୍କ ଭାଗିଦାରୀ ହାରରେ ସାମାନ୍ୟ ବୃଦ୍ଧି ଘଟିଛି । CMIE ରିପୋର୍ଟ ଅନୁସାରେ ଅନେକ ସଂଖ୍ୟକ ଲୋକ ଚାକିରି ବଜାରରେ ପ୍ରବେଶ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଜୁଲାଇରେ ପ୍ରାୟ ୩୦ ମିଲିୟନ୍ ଲୋକ କାମ ଖୋଜୁଥିବାବେଳେ ଅଗଷ୍ଟରେ ୩୬ ମିଲିୟନ ଲୋକ କାମ ଖୋଜୁଛନ୍ତି ।