• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ୟୁପି ଖେରିରେ ଆନ୍ଦୋଳନରତ ଚାଷୀଙ୍କ ସହ ଘଟିଥିବା ଦୁର୍ଘଟଣାକୁ ନେଇ ରାଜନୀତି ଥମିବାର ନାଁ ଧରୁନି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଘଟଣାସ୍ଥଳରେ ପହଞ୍ଚି ମୃତ ଚାଷୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ବୋଲି ଘୋଷଣା କରିଛନ୍ତି । ଏହାସହ ମୃତ ସାମ୍ବାଦିକଙ୍କ ପରିବାରକୁ ମଧ୍ୟ ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ସେ କହିଛନ୍ତି । ରାହୁଲ ଗାନ୍ଧିଙ୍କ ସହ ଏହି ଦୁଇ ନେତା ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ସେମାନେ କେନ୍ଦ୍ରରେ ଥିବା ବିଜେପି ସରକାର ଉପରେ ପ୍ରବଳ ବର୍ଷିଛନ୍ତି ।

ସୂଚନାଯୋଗ୍ୟ, ଏହି ଘଟଣା ଏବେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଦେଶର କୋଣ ଅନୁକୋଣରୁ ନେତାମାନେ ଏଠାକୁ ଆସି କେନ୍ଦ୍ର ଉପରେ ବର୍ଷିଛନ୍ତି । କଂଗ୍ରେସ ବିଧାୟକ ସମେତ ଆପ୍‌ ଦଳର ନେତାମାନେ ମଧ୍ୟ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ।

ତେବେ ଆଜି ରାହୁଲ ଗାନ୍ଧୀ ଖେରି ଅଭିମୁଖେ ବାହାରିଥିବା ବେଳେ ତାଙ୍କୁ ଲକ୍ଷ୍ନୌ ବିମାନବନ୍ଦରରେ ଅଟକ ରଖାଯାଇଥିଲା । ଖେରିକୁ ଯିବାକୁ ତାଙ୍କୁ ଅନୁମତି ଦେଇନଥିଲା ସ୍ଥାନୀୟ ପ୍ରଶାସନ । ଏହାପରେ ପୋଲିସ ଓ ସୁରକ୍ଷା କର୍ମୀଙ୍କ ସହ ରାହୁଲଙ୍କର ଅନେକ ଯୁକ୍ତିତର୍କ ହୋଇଥିଲା । ପରେ ତାଙ୍କୁ ଛଡ଼ାଯାଇଥିଲା । ରାହୁଲଙ୍କ ସହ ତାଙ୍କ ଭଉଣୀ ପ୍ରିୟଙ୍କା ମଧ୍ୟ ଲକ୍ଷିମପୁର ଯାଇଛନ୍ତି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍, ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି, କଂଗ୍ରେସ ସାଧାରଣ ସଂପାଦକ କେ.ସି. ବେଣୁଗୋପାଳ ଏବଂ ଦଳୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟୋୱାଲା ମଧ୍ୟ ଲଖିମପୁର ଯାଉଥିଲେ ।

ସମସ୍ତ ରାଜନୈତିକ ଦଳକୁ ଆଜିଠାରୁ ଲଖିମପୁର ଯିବା ପାଇଁ ଉତ୍ତରପ୍ରଦେଶ ସରକାର ଅନୁମତି ଦେବା ପରେ ଆଜି ରାହୁଲ ଦିଲ୍ଲୀରୁ ବିମାନ ଯୋଗେ ଲକ୍ଷ୍ନୌରେ ପହଞ୍ଚିଥିଲେ । ସେଠାରେ ସରକାରୀ ଗାଡ଼ିରେ ନଯାଇ ନିଜ ଗାଡ଼ିରେ ଯିବାକୁ ଜିଦ୍ ଧରିବାରୁ ପୋଲିସ ସହ ବେଶ୍ କିଛି ସମୟ ଯୁକ୍ତିତର୍କ ହୋଇଥିଲା । ଏହାପରେ କଂଗ୍ରେସ ନେତାମାନେ ଧାରଣାରେ ବସିବାରୁ ସେମାନଙ୍କୁ ନିଜ ଗାଡ଼ିରେ ଯିବାକୁ ଅନୁମତି ଦିଆଯାଇଥିଲା । ଅନ୍ୟପକ୍ଷରେ ଏଭଳି ଏକ ସମ୍ବେଦନଶୀଳ ଘଟଣାରୁ କଂଗ୍ରେସ ରାଜନୈତିକ ଫାଇଦା ନେବାକୁ ହୀନ ପ୍ରୟାସ କରୁଛି ବୋଲି କଟାକ୍ଷ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।

ସେପଟେ ଲଖିମପୁର ଖେରି ଘଟଣା ପରେ ଆଜି ପ୍ରଥମ ଥର ପାଇଁ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା । ତେବେ ତାଙ୍କ ଇସ୍ତଫା ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନଥିବା ସୂଚନା ମିଳିଛି । ଏଭିତରେ ଉତ୍ତରପ୍ରଦେଶ ଅଆଇନଶୃଙ୍ଖଳା ଏଡିଜି କହିଛନ୍ତି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ । କୌଣସି ଦୋଷୀଙ୍କୁ ଛଡ଼ାଯିବନି । ତେବେ ଭାଇରାଲ୍ ହେଉଥିବା ଦୁର୍ଘଟଣା ବେଳର ଭିଡିଓର ମଧ୍ୟ ସତ୍ୟତା ଯାଞ୍ଚ ଚାଲିଛି ବୋଲି ସେ କହିଛନ୍ତି । ଘଟଣା ସମ୍ପର୍କରେ ପୋଲିସ ପାଖରେ ଅନେକ ଭିଜୁଆଲ ରହିଛି । ସେଥିରୁ ଘଟଣା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଏଡିଜି, ଆଇନ ଶୃଙ୍ଖଳା କହିଛନ୍ତି । ଏଥିସହ ଘଟଣା ସମ୍ପର୍କରେ ଯଦି କାହା ପାଖରେ ମୂଳ ଭିଜୁଆଲ ରହିଥାଏ, ତେବେ ତାହା ପୋଲିସ ନିକଟରେ ଦାଖଲ କରିବାକୁ ସେ ଅପିଲ କରିଛନ୍ତି । ସ୍ଥାନୀୟ ଅତିରିକ୍ତ ଏସପିଙ୍କ ନେତ୍ରୁତ୍ୱରେ ଏକ କମିଟି ମଧ୍ୟ ଘଟଣାର ତଦନ୍ତ କରୁଥିବା ସେ କହିଛନ୍ତି ।