• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୁଆହାଟି: ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ୍ ବିପିନ ରାୱତ ଶନିବାର କହିଛନ୍ତି ଯେ, ଭାରତର ପଡ଼ୋଶୀ ଦେଶରେ ଯେଭଳି ଅସ୍ଥିରତା ଦେଖାଦେଇଛି । ତାହାର ପରିଣାମରୁ ରକ୍ଷା ପାଇବା ପାଇଁ ଭାରତକୁ ପ୍ରସ୍ତୁତ ରହିବାକୂ ହେବ । ଏମିତି ପରିଣାମ ସହ ଲଢ଼ିବା ଭାରତକୁ ନିଷ୍ପତି ନେବାକୁ ହେବ । ସେ ଏହା ମଧ୍ୟ କହିଛନ୍ତି ଯେ, ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିବା ପରେ ସେଠାରେ ଯେଉଁଭଳି ଭୟାବହ ପରିସ୍ଥିତି ରହିଛି ତାହାର ପ୍ରଭାବ ଜାମ୍ମୁ କାଶ୍ମୀର ତଥା ଉତ୍ତର-ପୂର୍ବ ଅଞ୍ଚଳରେ ମଧ୍ୟ ପଡ଼ିବାର ସମ୍ଭାବନା ରହିଛି । ଏହି ଅଞ୍ଚଳ ପ୍ରତି ବିପଦ ମୁଣ୍ଡ ଉପରେ ଝୁଲୁଛି । କିନ୍ତୁ ଏହି ଘଟଣାକୁ ଗୁରୁତ୍ୱର ସହ ନେଲେ ଏବଂ ଆଭ୍ୟନ୍ତରୀଣ ନିରୀକ୍ଷଣ ଦ୍ୱାରା ବିପଦକୁ ଏଡ଼ାଇ ଦିଆଯାଇପାରିବ ।

ସିଡିଏସ୍‌ ଜେନେରାଲ ବପିନ୍‌ ରାୱତ କହିଛନ୍ତି, ଭାରତ ଚାରିପଟେ ଥିବା ଉପମହାଦେଶ ଗୁଡ଼ିକରେ ଅସ୍ଥିରତା ଦେଖାଦେଇଛି । ସେଠାକାର ଏଭଳି ପରିସ୍ଥିତି ଯୋଗୁଁ ଭାରତର ଜାତୀୟ ସୁରକ୍ଷା ଉପରେ ପ୍ରବଳ ଚାପ ରହିଛି । ତେଣୁ ଆମେ ପାଖ ଏବଂ ଦୂର ପଡ଼ୋଶୀଙ୍କ ପରିସ୍ଥିତି ସମ୍ବନ୍ଧରେ ଭଲ ଭାବେ ଅବଗତ ହେବାକୁ ପଡ଼ିବ । ଏମିତିକି ସେହି ପରିସ୍ଥିତି ସହ ମୁକାବିଲା କରିବା ପାଇଁ ଭାରତକୁ ପ୍ରସ୍ତୁତ ରହିବାକୁ ହେବ । ଆଉ ଏହାକୁ ପ୍ରାଥମିକତା ଦୃଷ୍ଟିରୁ ଗୁରୁତ୍ୱ ଦେବାକୁ ହେବ ।

ବିପିନ୍‌ ରାୱତ କହିଛନ୍ତି, 'ଏଥିପାଇଁ ଆମକୁ ପ୍ରସ୍ତୁତ ହେବା ଆବଶ୍ୟକ । ଆମର ସୀମାକୁ ସିଲ୍ କରିବା ଏବଂ ତିକ୍ଷ୍ନ ନଜର ରଖିବା ଏବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ବାହାରୁ ଆସୁଥିବା ଲୋକଙ୍କ ଉପରେ ଆମକୁ ନଜର ରଖିବାକୁ ହେବ । ଖାଲି ସେତିକି ନୁହେଁ ଯାଞ୍ଚ ମଧ୍ୟ କରାଯିବା ଆବଶ୍ୟକ ।

ସିଡିଏସ୍ ରାୱତ ଏହା ମଧ୍ୟ କହିଛନ୍ତି ଯେ, ଜାମ୍ମୁ କାଶ୍ମୀରରେ କଡା ଯାଞ୍ଚ ହେତୁ ସ୍ଥାନୀୟ ଲୋକ ତଥା ପର୍ଯ୍ୟଟକଙ୍କୁ ସେଠାରେ ଅନେକ ଅପଦସ୍ତ ହେବାକୁ ପଡ଼ୁଛି । କିନ୍ତୁ ସେମାନଙ୍କୁ ଏସବୁ ବୁଝିବାକୁ ହେବ ଯେ, ଏସବୁ କେବଳ ସେମାନଙ୍କ ସୁରକ୍ଷା ପାଇଁ କରାଯାଉଛି । ଦେଶର ପ୍ରତ୍ୟେକ ନାଗରିକଙ୍କୁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବିଷୟରେ ସଚେତନ ହେବାକୁ ପଡ଼ିବ ବୋଲି ସିଡିଏସ୍‌ ରାୱତ କହିଛନ୍ତି ।

ତାଙ୍କ ଦୃଷ୍ଟିକୋଣରୁ, 'ଆମକୁ ସୁରକ୍ଷା ଦେବାକୁ କେହି ଆସିବେ ନାହିଁ । ଆମକୁ ନିଜ ସୁରକ୍ଷା ନିଜେ କରିବାକୁ ପଡିବ । ଆମ ଲୋକଙ୍କୁ ଆମେ ହିଁ ସୁରକ୍ଷା ଦେବା । ଆମ ସମ୍ପତ୍ତିର ସୁରକ୍ଷା ଆମକୁ କରିବାକୁ ପଡ଼ିବ । ଆଭ୍ୟନ୍ତରୀଣ ସୁରକ୍ଷା ଆମ ପାଇଁ ଏକ ବଡ଼ ଚିନ୍ତାର ବିଷୟ । ପ୍ରତିରକ୍ଷା ଦୃଷ୍ଟିରୁ, ମୁଁ ଭାବୁଛି ଆମ ଲୋକଙ୍କୁ ଆଭ୍ୟନ୍ତରୀଣ ସୁରକ୍ଷା ବିଷୟରେ ଶିକ୍ଷା ଦେବାକୁ ପଡିବ ।