• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଲାଞ୍ଚ ନେଇଥିବା ଅଭିଯୋଗ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଆର୍ଥିକ ଦୁର୍ନୀତି ମାମଲାରେ ଓକିଲ ଆନନ୍ଦ ଡାଗାଙ୍କ ପରେ ସିବିଆଇ ବର୍ତ୍ତମାନ ନିଜର ଜଣେ ଅଧିକାରୀଙ୍କୁ ଗିରଫ କରିଛି । ସିବିଆଇ ସବ୍-ଇନ୍ସପେକ୍ଟର ଅଭିଷେକ ତିୱାରୀ ଲାଞ୍ଚ ନେଇ ପ୍ରାଥମିକ ତଦନ୍ତ ରିପୋର୍ଟ ଲିକ୍ କରିଥିବା ଅଭିଯୋଗ ହୋଇଛି । ଅଭିଷେକ ତିୱାରୀ ବର୍ତ୍ତମାନ ସିବିଆଇରେ ଅଟକ ଅଛନ୍ତି ।

ଅନୀଲ ଦେଶମୁଖଙ୍କୁ କଥିତ ରୂପେ କ୍ଲିନ୍ ଚିଟ୍ ଦେବା ସମ୍ମନ୍ଧରେ ପ୍ରାଥମିକ ଅନୁସନ୍ଧାନର ରିପୋର୍ଟ ଶନିବାର ଦିନ ଲିକ୍ ହୋଇଛି । ତେବେ ରିପୋର୍ଟ ଲିକ୍ ହେବା ପରେ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା ସିବିଆଇ ।  ଏଥିରେ ଦେଶମୁଖଙ୍କ ଟିମ୍, ଏଜେନ୍ସିର ଜଣେ ଉପ ନୀରିକ୍ଷକ ଅଧିକାରୀଙ୍କୁ କଥିତ ରୂପରେ ଲାଞ୍ଚ ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା । ଗତ ବୁଧବାର ଦିନ ସିବିଆଇ ଅନୀଲ ଦେଶମୁଖଙ୍କ ଜ୍ୱାଇଁ ଗୌରବ ଚତୁର୍ବେଦୀ ଏବଂ ଓକିଲ ଆନନ୍ଦ ଡାଗାଙ୍କୁ ପଚରାଉଚରା କରିଥିଲେ । ପରେ ଉଭୟ ବିରୋଧରେ ମାମଲା ରୁଜୁ କରି ଗିରଫ କରାଯାଇଥିଲା ।

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ଅନୀଲ ଦେଶମୁଖଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ବଟି ଆଦାୟ ଅଭିଯୋଗ ଆଣିଥିଲେ । ତେବେ ଏହି ଅଭିଯୋଗର ତଦନ୍ତ ପାଇଁ କୋର୍ଟ ତଦନ୍ତକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ନେଇ ବିଭିନ୍ନ ଆଲୋଚନା ହେବା ପରେ ଅନୀଲ ଦେଶମୁଖ ମହାରାଷ୍ଟ୍ରର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତେବେ ଦେଶମୁଖ ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲେ ।

ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ବାହାରେ ଥିବା ଏକ ଏସୟୁଭିରୁ ବିସ୍ଫୋରକ ସାମଗ୍ରୀ ମିଳିବା ଘଟଣାର ଅନୁସନ୍ଧାନ ବେଳେ ଆସିଷ୍ଟାଣ୍ଟ ପୋଲିସ ଇନ୍ସପେକ୍ଟର ସଚିନ ୱାଜେଙ୍କ ଭୂମିକା ସାମ୍ନାକୁ ଆସିଥିଲା। ଏହା ପରେ ପରମବୀର ସିଂଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଥିଲା । ସଚିନ ୱାଜେଙ୍କୁ ମଧ୍ୟ ସେବାରୁ ବରଖାସ୍ତ କରାଯାଇଥିଲା । ପୋଲିସ କମିଶନର ପଦରୁ ହଟାଇବା ପରେ ପରମବୀର ସିଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଲେଖିଥିଲେ । ମୁମ୍ବାଇର ବାର ଏବଂ ରେଷ୍ଟୁରାଣ୍ଟରୁ ମାସକୁ ୧୦୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିବାକୁ କହିଛନ୍ତି ଅନୀଲ ଦେଶମୁଖ ନିର୍ଦ୍ଦେଶ ଦେଇଥିବା ସେ ପତ୍ରରେ ଲଖିଥିଲେ।