• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ୩ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

  • କ୍ୟାବିନେଟ ମଞ୍ଜୁରୀ ନେଇ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସୂଚନା

  • କ୍ୟାବିନେଟ ମଞ୍ଜୁରୀ ପରେ ସଂସଦରେ ଆସିବ ପ୍ରତ୍ୟାହାର ପ୍ରସ୍ତାବ

  • ପୂର୍ବରୁ ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ

ନୂଆଦିଲ୍ଲୀ: ୩ କୃଷି ଆଇନ୍ ପ୍ରତ୍ୟାହାର ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । କ୍ୟାବିନେଟ ମଞ୍ଜୁରୀ ନେଇ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । କ୍ୟାବିନେଟ ମଞ୍ଜୁରୀ ପରେ ସଂସଦରେ ପ୍ରତ୍ୟାହାର ପ୍ରସ୍ତାବ ଆସିବ । ପୂର୍ବରୁ ୩ କୃଷି  ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ । ଯାହାକୁ ଆଜି କେନ୍ଦ୍ର କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛି ।

ପୂର୍ବରୁ କୃଷକଙ୍କ ପାଇଁ କେନ୍ଦ୍ର ସରକାର ୩ଟି ନୂଆ କୃଷି ଆଇନ୍ ଆଣିଥିଲେ । ପ୍ରବଳ ବିରୋଧ ସତ୍ତ୍ୱେ ଚାଷୀଙ୍କୁ ଅହରହ ବୁଝାଇବାକୁ ଉଦ୍ୟମ କରିଥିଲେ । ହେଲେ ବର୍ଷେ ହେଲା ଏହି ଉଦ୍ୟମରେ ସରକାର ସଫଳ ହୋଇପାରୁନଥିଲେ । ଫଳରେ କୃଷି ଆଇନକୁ ବିରୋଧ କରି ତେଜିଥିଲା ଆନ୍ଦୋଳନ, ବିକ୍ଷୋଭ ଓ ପ୍ରତିବାଦ । ଗତ  ୧୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଆଇନ୍‌କୁ ପ୍ରତ୍ୟାହାର ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଦେଶରେ ବିଭିନ୍ନ ସ୍ଥାନରେ ଚାଷୀମାନେ ଖୁସି ହୋଇ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ । ବର୍ଷେ ହେଲା ଆନ୍ଦୋଳନ କରୁଥିବା ଚାଷୀଙ୍କ ମୁହଁରେ ଶେଷରେ ଫୁଟିଥିଲା ହସ । ଏହାସହ ସମସ୍ତେ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ ମଧ୍ୟ କରିଥିଲେ ।

ପ୍ରତ୍ୟାହାର କରାଯାଇଥିବା ୩ଟି କୃଷି ଆଇନ୍

କୃଷି ଆଇନ୍-୧: କୃଷି ଉତ୍ପାଦନ ବ୍ୟାପାର ଏବଂ ଏହି ଆଇନ୍ ଅନୁସାରେ ଚାଷୀ ନିଜ ଇଛା ମୁତାବକ ଯେକୌଣସି ସ୍ଥାନରେ ନିଜ ଫସଲ ବିକ୍ରି କରିପାରିବ ।

କୃଷି ଆଇନ୍-୨: କୃଷକ ସଶକ୍ତୀକରଣ ଓ ସଂରକ୍ଷଣ । ଫସଲ ନଷ୍ଟ ହେଲେ କ୍ଷତିର ଭରଣା ଚାଷୀ ବଦଳରେ ଏଗ୍ରିମେଂଟ କରିଥିବା ପକ୍ଷ ବା କମ୍ପାନୀ କରିବାକୁ ଏହି ଆଇନରେ ଥିଲା ବ୍ୟବସ୍ଥା ।

କୃଷି ଆଇନ୍-୩: ଆବଶ୍ୟକ ବସ୍ତୁ ଅଧିନିୟମ । ଏହି ଆଇନ୍ ଅନୁସାରେ ଅସାଧାରଣ ସ୍ଥିତିକୁ ବାଦ ଦେଲେ ବ୍ୟବସାୟ ପାଇଁ ଚାଉଳ, ଡାଲି, ତେଲ ଏବଂ ପିଆଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଷ୍ଟକ୍ ଲିମିଟ୍ ହଟାଇ ଦିଆଯାଇପାରିବ ।

ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ଏହି ୩ଟି ନୂଆ ଆଇନ ବିରୋଧରେ ତେଜିଥିଲା ପ୍ରତିବାଦ । ବିରୋଧୀଙ୍କ ହୋହାଲ୍ଲା ଭିତରେ ଉକ୍ତ ୩ଟି ଯାକ କୃଷି ବିଲ୍ ପାର୍ଲାମେଣ୍ଟରେ ପାସ୍ ହୋଇଥିଲା । ୨୦ ସେପ୍ଟେମ୍ବର ୨୦୨୦ରେ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିଥିଲା । ଶେଷରେ କୃଷି ବିଲ୍ ଆଇନ୍‌ରେ ପରିଣତ ହୋଇଥିଲା । ହେଲେ ମଣ୍ଡି ବାହାରେ କୃଷି ଉତ୍ପାଦ ବିକ୍ରି ଓ ଏମ୍ଏସ୍‌ପି ପ୍ରସଙ୍ଗକୁ ନେଇ ଚାଷୀମାନେ ଜୋରଦାର ବିରୋଧ କରିଥିଲେ ।

୨୬ ନଭେମ୍ବର ୨୦୨୦ରେ ଚାଷୀମାନେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଦେଲେ । ପଞ୍ଜାବ ଓ ହରିୟାଣା ସମେତ ଦେଶର ବିଭିନ୍ନ ଅଞ୍ଚଳର ଚାଷୀ ଦିଲ୍ଲୀ ସୀମା ସିଂଘୁରେ କ୍ୟାମ୍ପ ପକାଇ ଧାରଣା ମଧ୍ୟ ଦେଲେ । ସରକାରଙ୍କ ସହ ବାରମ୍ବାର ଆଲୋଚନା ହେଲା । ହେଲେ ସମାଧାନର ବାଟ ବାହାରି ପାରିନଥିଲା । ୧୨ ଜାନୁଆରୀ ୨୦୨୧ରେ ସୁପ୍ରିମକୋର୍ଟ ତିନିଟି ଯାକ ଆଇନ୍‌କୁ ସ୍ଥଗିତ ରଖିବା ସହ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଆଇନ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଲେ । ଏହାସତ୍ତ୍ୱେ ଚାଷୀ ଆନ୍ଦୋଲନ ଥମି ନଥିଲା । ୩ଟି ଯାକ ଆଇନ୍‌କୁ ଉଚ୍ଛେଦ ଦାବିରେ ଅଡି ରହିଥିଲେ ଚାଷୀ ।