• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ବିଜେପିକୁ କର୍ଣ୍ଣାଟକ ଅଡ଼ୁଆ

  • ୫ ବର୍ଷ ପୂରଣ କରିପାରୁନାହାନ୍ତି ନେତା

  • ଇସ୍ତଫା ଦେଇଛନ୍ତି ୟେଦ୍ୟୁରପ୍ପା

  • କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ?

କର୍ଣ୍ଣାଟକ: କେବଳ ୟେଦ୍ୟୁରପ୍ପା ନୁହେଁ ବରଂ ବିଜେପିର କୌଣସି ମୁଖ୍ୟମନ୍ତ୍ରୀ ନିଜର କାର୍ଯ୍ୟକାଳ ପୂରଣ କରିପାରିନାହାନ୍ତି। ରାଜନୀତି କାରଣ ହେଉ କିମ୍ବା ଦଳୀୟ କନ୍ଦଳ ହେଉ କୌଣସି ମୁଖ୍ୟମନ୍ତ୍ରୀ(ବିଜେପିର) କେବେ ବି ୫ ବର୍ଷ ନିଜର କାର୍ଯ୍ୟକାଳ ପୂରଣ କରିନାହାନ୍ତି। କୁହାଯାଉଛି ଦକ୍ଷିଣ ଭାରତର କର୍ଣ୍ଣାଟକ ଏମିତି ଏକ ରାଜ୍ୟ ଯେଉଁଠାରେ ବିଜେପି ସରକାର ବନାଇ ପାରିଛି। ଉତ୍ତରାଖଣ୍ଡ ପରି ବିଜେପିର କୌଣସି ମୁଖ୍ୟମନ୍ତ୍ରୀ ଏଠାରେ ମଧ୍ୟ ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳ କରିପରାଇନାହାନ୍ତି। ଇତିହାସ କୁହେ, କର୍ଣ୍ଣାଟକରେ ମାତ୍ର ୩ ଜଣ ମୁଖ୍ୟମନ୍ତ୍ରୀ ଯେଉଁମାନେ କି ନିଜର ୫ ବର୍ଷର କାର୍ଯ୍ୟକାଳ ସମୂର୍ଣ୍ଣ କରିଛନ୍ତି।

ସୂଚନା ଅନୁସାରେ, ଏସ୍‌  ନିଜଲିଙ୍ଗପ୍ପା (୧୯୬୨-୬୮),ଡ଼ି ଦେବରାଜ ଉର୍ସ (୧୭୭୨-୧୯୭୭) ଏବଂ ସିଦ୍ଧରମେୟା(୨୦୧୩-୨୦୧୮) ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏମାନେ ସମସ୍ତେ କଂଗ୍ରେସର ନେତା ଥିଲେ କିନ୍ତୁ ଜେଡ଼ିଏସ୍‌ କିମ୍ବା ବିଜେପିର କୌଣସି ନେତା ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ନିଜର କାର୍ଯ୍ୟକାଳ ସମାପନ କରିନାହାନ୍ତି। କର୍ଣ୍ଣାଟକ ବିଜେପିର ସବୁଠୁ ବଡ଼ ନେତା ୟେଦ୍ୟୁରପ୍ପା ୫ ଦଶକ ହେବ ରାଜନୀତିରେ ବେଶ୍‌ ସକ୍ରିୟ ହୋଇରହିଛନ୍ତି। କେବଳ ଏତିକି ନୁହେଁ ବରଂ ଦଳ ତାଙ୍କୁ ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ପଦରେ ଅଧ୍ୟୁଷିତ ବି କରିଛି। କିନ୍ତୁ ସବୁଥର ପରି ଏଥର ମଧ୍ୟ ସେ ନିଜର କାର୍ଯ୍ୟକାଳ ପୂରା କରିପାରିନାହାନ୍ତି। ପ୍ରଥମଥର ଲାଗି ୨୦୦୭ ମସିହା ନଭେମ୍ବର ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ କିନ୍ତୁ ବିଧାନସଭାରେ ବହୁମତ ସାବ୍ୟସ୍ତ କରିନପାରିବାରୁ ନଭେମ୍ବର ୧୯, ୨୦୦୭ରେ ଇସ୍ତଫା ଦେଇଥିଲେ।

ମାତ୍ର ୫ ଦିନ ସିଏମ ରହିଥିଲେ ୟେଦ୍ୟୁରପ୍ପା। ଆଉ ଏହାପରେ କର୍ଣ୍ଣାଟକରେ ଲାଗୁ ହୋଇଥିଲା ରାଷ୍ଟ୍ରପତି ଶାସନ। ଏହାପରେ ପୁଣି ଥରେ ୨୦୦୮ ମସିହାରେ ସାଧାରଣ ନିର୍ବାଚନରେ ୟେଦ୍ୟୁରପ୍ପାଙ୍କ ନେତୃତ୍ୱରେ ବିଜେପି ସଂଖ୍ୟା ଗରିଷ୍ଠତା ପାଇଥିଲା। ଏହାପରେ ପୁଣି ଥରେ ମେ ୩୦, ୨୦୦୮ରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ୟେଦ୍ୟୁରପ୍ପା। କିନ୍ତୁ ଦଳରେ ବିବାଦ ଲାଗି ମାତ୍ର ୩ ବର୍ଷ ପରେ ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଥିଲେ ଏହାପରେ ବିଜେପିରୁ ମଧ୍ୟ ମୁହଁ ଫେରାଇ ନେଇଥିଲେ। ଏହାପରେ ସଦାନନ୍ଦ ଗୌଡ଼ା ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ପାଇଥିଲେ। ସେ ୨୦୧୧ ମସିହା ଅଗଷ୍ଟ ୪ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ କିନ୍ତୁ ସିଏ ବି ମାତ୍ର ୧ବର୍ଷ ନପୂରୁଣୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଜଗଦିଶ୍ ସେଟ୍ଟାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଜୁଲାଇ ୧୨, ୨୦୧୨ ମସିହାରେ ସେ ଶପଥ ନେଇଥିଲେ। ଏହାପରେ ରାଜନୈତିକ ଅସ୍ଥିରତା ଯୋଗୁଁ ସେ ମଧ୍ୟ ମେ ୧୨, ୨୦୧୩ ମସିହାରେ ଇସ୍ତଫା ଦେଇ ଦେଇଥିଲେ।

ପରେ କଂଗ୍ରେସ କ୍ଷମତାକୁ ଫେରିଥିଲା।ଆଉ ସିଦ୍ଧ ରମେୟା ମୁଖ୍ୟମନ୍ତ୍ରୀ ହୋଇଥିଲେ। କେବଳ ମୁଖ୍ୟମନ୍ତ୍ରୀ ହୋଇଥିଲେ ତାହା ନୁହେଁ ବରଂ ପୂରା ୫ ବର୍ଷ ନିଜର କାର୍ଯ୍ୟକାଳକୁ ସୂଚାରୁ ରୂପେ ସମାପନ କରିଥିଲେ। କିନ୍ତୁ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ଥରେ ୟେଦ୍ୟୁରପ୍ପା ବିଜେପିରେ ମିଶିଥିଲେ। ଏହା ପରେ ଦଳ ତାଙ୍କୁ ରାଜ୍ୟ ଅଧ୍ୟକ୍ଷ ପଦରେ ବସାଇଥିଲା। ୨୦୧୮ରେ ବିଜେପି କର୍ଣ୍ଣାଟକରେ ନିଜର ଦବଦବା ଜାହିର କରିଥିଲା ସତ କିନ୍ତୁ ବହୁମତଠାରୁ ଦୂରେଇ ରହିଥିଲା। ଆଉ ଏହାରି ମଧ୍ୟରେ ୟେଦ୍ୟୁରପ୍ପା ତୃତୀୟ ଥର ଲାଗି ୧୭ ମଇ ୨୦୧୮ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ କିନ୍ତୁ ପୁଣି ଥରେ ବହୁମତ ସାବ୍ୟସ୍ତ କରିନପାରିବାରୁ ୨୩ ମେ’ରେ ନିଜେ ଇସ୍ତଫା ଦେଇଥିଲେ।

ଆଉ ଏହାପରେ ପୁଣି ଥରେ କଂଗ୍ରେସ-ଜେଡ଼ିଏସ୍‌ ସରକାର ଗଠନ କରିଥିଲେ କିନ୍ତୁ ୟେଦ୍ୟୁରପ୍ପା ନିଜର ରାଜନୈତିକ ଗୋଟି ଚାଳନା କରି ୨୬ ଜୁଲାଇ ୨୦୧୯ରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ପୁଣି ଥରେ ମାତ୍ର ୨ ବର୍ଷ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ୟେଦ୍ୟୁରପ୍ପା। ସେ ଯାହା ବି ହେଉ, ବିଜେପିର କୌଣସି ନେତା କର୍ଣ୍ଣାଟକରେ ୫ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହୋଇନଥିବା ଘଟଣାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି।