• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଦୁଇ ପୋଲିସ କନେଷ୍ଟବଳଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ଲସ୍କରର ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ମୁସ୍ତାକ୍‌ ଖାଣ୍ଡେ ଆଜି ଯବାନ ଗୁଳିରେ ନିହତ ହୋଇଛି । ପୁଲୱାମାର ପାମ୍ପୋର ଇଲାକାରେ ଆତଙ୍କବାଦୀଙ୍କ ସହ ହୋଇଥିବା ଗୁଳିବିନିମୟରେ ଦୁଇ ଲସ୍କର ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । କାଶ୍ମୀରର ଆଇଜି ବିଜୟ କୁମାର କହିଛନ୍ତି ଯେ, ସାଧାରଣ ନାଗରିକଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ପରେ ମୋଟ ୯ଟି ଅପରେସନ୍‌ରେ ୧୩ ଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି । ସେ ଆହୁରି କହିଛନ୍ତି ଗତ ୨୪ ଘଣ୍ଟାରେ ୩ ଜଣ ଆତଙ୍କ‍ବାଦୀଙ୍କୁ ସୁରକ୍ଷାକର୍ମୀମାନେ ଏନ୍‌କାଉଣ୍ଟର କରିଛନ୍ତି ।

ଜାମ୍ମୁ-କାଶ୍ମୀର ପୋଲିସର କହିବାନୁଯାୟୀ, ଏବେ ସୁଦ୍ଧା ଦୁଇ ଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି । ସୁରକ୍ଷା ବାହିନୀ ବିପୁଳମାତ୍ରାରେ ଅସ୍ତଶସ୍ତ୍ର ତଥା ଗୋଳାବାରୁଦ ଜବତ କରିଛନ୍ତି । ଏହାସହ ଆତଙ୍କବାଦୀଙ୍କଠାରୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ସ୍ଥାନୀୟ ପୋଲିସ ଏବେ ବି ଛାନ୍‌ଭିନ୍‌ ଜାରି ରଖିଛି ।

ପୋଲିସର କହିବାନୁଯାୟୀ, ମୃତ ଆତଙ୍କବାଦୀ ମୁସ୍ତାକ ଖାଣ୍ଡେ ଶ୍ରୀନଗରର ବଘାଟରେ ଦୁଇ ପୋଲିସ କର୍ମଚାରୀ ମହମ୍ମଦ ୟୁସୁଫ୍‌ ଓ ସିଟି ସୁହେଲଙ୍କୁ ସେହି ସମୟରେ ହତ୍ୟା କରିଥିଲା ଯେତେବେ ସେମାନେ ପାମ୍ପୋରର ଦଗ୍ରବଲରେ ଚା’ ପିଉଥିଲେ । ଏହାସହ ଦୁଇ ଆତଙ୍କବାଦୀ ଅନ୍ୟ ଅପରାଧିକ ମାମଲାରେ ମଧ୍ୟ ସାମିଲ ଥିଲେ ।

ପୋଲିସ କହିଛି ଯେ, ପାମ୍ପୋରରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଛାନ୍‌ଭିନ୍‌ କରାଯାଇଥିଲା । ପୁରା ଅଞ୍ଚଳକୁ ଘେରାବନ୍ଦୀ କରି ଖାନ୍‌ ତଲାସି କରିଥିଲା ପୋଲିସ । ସୁରକ୍ଷାବଳ ପହଞ୍ଚିବା ମାତ୍ରେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚଳାଇଥିଲେ । ଏହାର ଜବାବରେ ସୁରକ୍ଷାବଳ ମଧ୍ୟ ପାଲଟା ଆକ୍ରମଣ କରିଥିଲା ।

ଏହାପୂର୍ବରୁ କାଶ୍ମୀର ଜୋନ୍‌ ଆଇଜି ବିଜୟ କୁମାର ଟ୍ୱିଟ୍ କରି ସୂଚନା ଦେଇଥିଲେ ଯେ, ପାମ୍ପୋର ଇଲାକାରେ ଟପ୍‌ଟେନ୍‌ ୧୦ ଆତଙ୍କବାଦୀ ଉମର ମୁସ୍ତାକ ଫଶି ରହିଛି ।