• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କାବୁଲ୍‌ରେ ତାଲିବାନୀ ସଫେଦ୍ ଝଣ୍ଡା ଉଡ଼ିଲା ।

  • ଉତ୍ସାହିତ ହେଲେ ବିଭିନ୍ନ ଆତଙ୍କୀ ସଂଗଠନ ।

  • ସତେ ଯେମିତି ସେମାନଙ୍କୁ ମିଳିଯାଇଛି ନୂଆ ଭୂସ୍ୱର୍ଗ ।

କାବୁଲ୍‌ରେ ତାଲିବାନୀ ସଫେଦ୍ ଝଣ୍ଡା ଉଡ଼ିବା ପରେ, ଉତ୍ସାହିତ ବିଭିନ୍ନ ଆତଙ୍କୀ ସଂଗଠନ । ସତେ ଯେମିତି ସେମାନଙ୍କୁ ମିଳିଯାଇଛି ନୂଆ ଭୂସ୍ୱର୍ଗ । ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ତାଲିବାନ୍‌ର ବିଜୟ ଉତ୍ସବ ପାଳିଛି ଭାରତ ବିରୋଧୀ ଆତଙ୍କୀ ଗତିବିଧିରେ ଲିପ୍ତ ଜୈସ୍-ଇ-ମହମ୍ମଦ ଓ ଲସ୍କର୍-ଏ-ତୋଇବା । ଶହ ଶହ ଆତଙ୍କୀଙ୍କ ଉତ୍ସାହ ଏହାହିଁ ସୂଚାଉଛି ଯେ, ଆଗକୁ ଭାରତ ଆଡ଼କୁ ବି ବିପଦ ଘନେଇବାର ଯଥେଷ୍ଟ ଆଶଙ୍କା ରହିଛି ।

ହେଲେ ଏଭଳି ବିପଦର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଭାରତ । ଆଫଗାନିସ୍ତାନ ଆଡ଼ୁ କୌଣସି ଆତଙ୍କୀ କାର୍ଯ୍ୟକଳାପ ଭାରତ ମୁହାଁ ହେଲେ, ଏହାର କଡ଼ା ଜବାବ୍ ଦିଆଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତ୍ । ଦିଲ୍ଲୀରେ ଭାରତ ଓ ଆମେରିକା ଭାଗିଦାରୀ ସଂପର୍କିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜେନେରାଲ୍ ରାଓ୍ୱତ୍ କହିଛନ୍ତି, ‘ଆଫଗାନିସ୍ତାନରେ ଯାହା ଘଟିବ ବୋଲି ଆକଳନ କରୁଥିଲୁ ତାହା ହିଁ ଘଟିଲା । ତେବେ ଏହା ଏତେ ଶୀଘ୍ର ଘଟିବା ଆମକୁ ଚକିତ କରିଛି ।’

ସେପଟେ କାବୁଲ୍‌ରେ ବହୁ ସଂଖ୍ୟକ ଆଫ୍‌ଗାନୀ ପାସ୍‌ପୋର୍ଟ ଓ ଷ୍ଟାମ୍ପ୍ ଲାଗିଥିବା ଭାରତୀୟ ଭିସା ଲୁଟ୍ ଘଟଣା, ଆତଙ୍କୀଙ୍କ ଦ୍ୱାରା ସେଗୁଡ଼ିକର ଅପବ୍ୟବହାର ଆଶଙ୍କାକୁ ବଢ଼ାଇଛି । ଅଗଷ୍ଟ ୧୫ରେ, ଅର୍ଥାତ୍ ତାଲିବାନ କାବୁଲ ଦଖଲ କରିବା ପରଦିନ ଏକ ଭାରତୀୟ ଭିସା ଆଉଟ୍‌ସୋର୍ସିଂ ଏଜେନ୍ସିଂ କାର୍ଯ୍ୟାଳୟରୁ ଏହି ଲୁଟ୍ ହୋଇଛି । ଦୁର୍ବୃତ୍ତମାନେ ଉର୍ଦ୍ଦୁ ଭାଷାଭାଷି ହୋଇଥିବାରୁ, ପାକିସ୍ତାନୀ ଆତଙ୍କୀଙ୍କ ଦ୍ୱାରା ପାସ୍‌ପୋର୍ଟ ଜାଲିଆତି ହେବାର ଆଶଙ୍କା ରହିଛି । ଘଟଣା ସାମ୍ନାକୁ ଆସିବା ପରେ, କେନ୍ଦ୍ର ପକ୍ଷରୁ ସମସ୍ତ ଇମିଗ୍ରେସନ୍ ଏଜେନ୍ସିକୁ ରେଡ୍ ଆଲର୍ଟ ଜାରି କରାଯିବା ସହ, ଆଫ୍‌ଗାନ ନାଗରିକଙ୍କୁ ପୂର୍ବରୁ ଦିଆଯାଇଥିବା ସମସ୍ତ ଭିସା ରଦ୍ଦ କରାଯାଇଛି । ଭାରତ ଆସୁଥିବା ସମସ୍ତ ଆଫ୍‌ଗାନୀଙ୍କ ଏଣିକି ଇ-ଭିସା ବାଧ୍ୟତାମୂଳକ ବୋଲି ଘୋଷଣା କରିଛି ଗୃହ ମନ୍ତ୍ରାଳୟ ।

ଅନ୍ୟପକ୍ଷରେ ତାଲିବାନ୍ କାଶ୍ମୀର ଜିତି ଆମକୁ ଦେବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ ଦଳର ଜଣେ ନେତ୍ରୀ ଗଣମାଧ୍ୟମରେ କହିବା ପରେ, ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ସେପଟେ ଆଫଗାନିସ୍ତାନରେ ସରକାର ଗଠନର ସ୍ୱପ୍ନ ଦେଖୁଥିବା ତାଲିବାନର ଅସଲ ଚେହେରା କ୍ରମଶଃ ସାମ୍ନାକୁ ଆସିବାରେ ଲାଗିଛି । ତାଲିବାନୀ ଲଢ଼ାକୁ ଘରେ ଘରେ ପଶି ବାହା ହେବା ପାଇଁ ମହିଳା ଓ ଝିଅଙ୍କୁ ଖୋଜୁଥିବା, ଦେଶରୁ ଖସିଆସିଥିବା ଜଣେ ସାମ୍ବାଦିକ କହିଛନ୍ତି । ଆଫଗାନିସ୍ତାନର ପ୍ରଥମ ମହିଳା ମେୟର୍ ବି ବଖାଣିଛନ୍ତି ତାଲିବାନୀ ନୃଶଂସତାର କାହାଣୀ ।

ଏଭିତରେ ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ କହିଛନ୍ତି, ସରିଆ ନିୟମ ବିରୋଧୀ ହୋଇଥିଲେ ଆଫ୍‌ଗାନୀ କଣ୍ଠଶିଳ୍ପୀ ଓ ଫିଲ୍ମ ନିର୍ମାତାଙ୍କୁ ପେଶା ବଦଳାଇବାକୁ ପଡ଼ିବ ।