• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବିଏସଏଫ୍ ଅଳଙ୍କରଣ ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଘୋଷଣା

  • କହିଲେ ଅନୁପ୍ରବେଶ ରୋକିବାକୁ ୨୦୨୨ ଆଗରୁ ପୂରା ହେବ ବର୍ଡର୍ ଫେନ୍ସିଂ କାମ

ନୂଆଦିଲ୍ଲୀ : ଦେଶର ସୁରକ୍ଷା ପାଇଁ ଖୁବଶୀଘ୍ର ମୁତୟନ ହେବ ସ୍ୱଦେଶୀ ଆଣ୍ଟିଡ୍ରୋନ୍ ଟେକ୍ନୋଲଜି । ବିଏସ୍ଏଫ୍ ଅଳଙ୍କରଣ ସମାରୋହରେ ଏହି ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଜାମ୍ମୁ ଏୟାରବେସରେ ହୋଇଥିବା ଡ୍ରୋନ୍ ଆକ୍ରମଣ ପରେ ଗୃହମନ୍ତ୍ରୀ ଅମିତ ଶାହା ଏପରି ବଡ଼ ବୟାନ୍ ଦେଇଛନ୍ତି । ସେ କହିଛନ୍ତି ଡ୍ରୋନ୍ ବିରୋଧୀ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ପ୍ରସ୍ତୁତ କରିବା ସରକାର ଓ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ର ପ୍ରମୁଖ ପ୍ରାଥମିକତା ।

ଜମ୍ମୁ ଏୟାରଷ୍ଟେସନରେ ଆକ୍ରମଣ ପରେ ସୀମା ନିକଟରେ ବାରମ୍ବାର ଡ୍ରୋନ୍ ଉଡ଼ୁଥିବା ଦେଖିବାକୁ ମିଳୁଛି । ଏସବୁ ପାକିସ୍ତାନ ପଟୁ ଆସୁଥିବା ଆଶଙ୍କା କରାଯାଉଛି । ତେଣୁ ଏହାର ମୁକାବିଲା ପାଇଁ ଆଣ୍ଟି-ଡ୍ରୋନ୍ ଟେକ୍ନୋଲୋଜି ଉପରେ DRDO ଓ ଅନ୍ୟ ଅନେକ ସଂସ୍ଥାମାନେ କାର୍ଯ୍ୟ କରୁଛନ୍ତି । ଖୁବ ଶୀଘ୍ର ଏହା ଉପଲବ୍ଧ ହେବ ବୋଲି ଶାହ କହିଛନ୍ତି । 'ଟେକ୍ନୋଲୋଜି ଭିତ୍ତିକ ସମାଧାନ ହେଉଛି ଭାରତର ସୁରକ୍ଷା ରଣନୀତିର ଭବିଷ୍ୟତ । ଏହି ପରିପ୍ରେକ୍ଷୀରେ ସରକାର ସମସ୍ତ ଅନୁସନ୍ଧାନ ଏବଂ ବିକାଶ ପ୍ରକଳ୍ପକୁ ଅନୁମୋଦନ ମଧ୍ୟ କରିଛନ୍ତି । ଏଥିସହ ୨୦୨୨ ପୂର୍ବରୁ ବର୍ଡର୍ ଫେନ୍ସିଂ ବା ଦେଶର ସୀମାରେ ତାର ବାଡ଼ ନିର୍ମାଣ କାମ ସମ୍ପୂର୍ଣ୍ଣ ହେବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।

ଏହାଦ୍ୱାରା ଅନୁପ୍ରବେଶ ସହିତ ଡ୍ରଗ୍ସ, ହତିଆର ଓ ବିସ୍ଫୋରକ ଚୋରାଚାଲଣ ଆଦି ଦେଶ ବିରୋଧୀ କାର୍ଯ୍ୟକୁ ରୋକା ଯାଇପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଗୁଇନ୍ଦା ମୁଖ୍ୟ ଅରବିନ୍ଦ କୁମାର, ର ହେଡ୍ ସାମନ୍ତ ଗୋଏଲ, ବିଏସ୍ଏଫ୍ ଡିଜି ରାକେଶ ଅସ୍ଥାନା ପ୍ରମୁଖ ଏହି ସମାରୋହରେ ଯୋଗ ଦେଇଥିଲେ ।ଏହି ଅବସରରେ ସେ ବିଏସଏଫର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ପଦକ ପ୍ରଦାନ କରିଥିଲେ ।

ସୂଚନାଯୋଗ୍ୟ ଡ୍ରୋନ୍ ଗୁଡ଼ିକର ଆକାରରେ ଚଢେଇ ଠାରୁ ବି କ୍ଷୁଦ୍ର, ମାତ୍ର ଆକ୍ରମଣ କ୍ଷମତା ଅତି ଘାତକ । ଅତି ଗୋପନୀୟ ଭାବେ ଗତି କରିପାରୁଥିବା ଡ୍ରୋନ୍ ଗୁଡିକୁ ସାଧାରଣ ରାଡାରରେ ଧରିବା ସମ୍ଭବ ନୁହେଁ। ଏଗୁଡିକୁ ଠାବ କରିବା ଲାଗି ସ୍ୱତନ୍ତ୍ର ଧରଣର ରାଡାର ଆବଶ୍ୟକ ହୁଏ । ତେବେ ସ୍କାଏ ଫେନ୍ସ, ଡ୍ରୋନ ଗନ୍, ଆଥେନା, ଡ୍ରୋନ କ୍ୟାଚର ଓ ସ୍କାଏ ଓ୍ୱାଲ୍ ଭଳି ଅତ୍ୟାଧୁନିକ ବ୍ୟବସ୍ଥା ଦ୍ୱାରା ଡ୍ରୋନଗୁଡିକୁ ଚିହ୍ନଟ କରି ଅଚଳ କିମ୍ବା ନଷ୍ଟ କରିଦେଇ ହେବ । ଘାତକ ଡ୍ରୋନ୍ ଆକ୍ରମଣରୁ ବର୍ତ୍ତିବା ଲାଗି ଦେଶର ସୁରକ୍ଷା ପାଇଁ ନିୟୋଜିତ ପ୍ରତିଟି ଅନୁଷ୍ଠାନକୁ ତତ୍ପର ହେବାକୁ ପଡିବ । ତାସହିତ ଗୁରୁତ୍ୱପୂର୍ଣ୍ଣ ସାମରିକ ପ୍ରତିଷ୍ଠାନକୁ ଡ୍ରୋନ ଆକ୍ରମଣରୁ ସୁରକ୍ଷିତ ରଖିବା ଲାଗି ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ ହେବ। ଏଥିଲାଗି ଆବଶ୍ୟକ ସମସ୍ତ ଜ୍ଞାନକୌଶଳ ଏବଂ ଉପକରଣ ନିୟୋଜିତ କରିବାକୁ ପଡିବ । ସମ୍ଭାବ୍ୟ ବିପଦକୁ ଦେଖି ତୁରନ୍ତ ବିହିତ ବ୍ୟବସ୍ଥା କରିବାକୁ ସରକାରଙ୍କୁ ପୂର୍ବରୁ ପରାମର୍ଶ ଦେଇଥିଲେ ପ୍ରତିରକ୍ଷା ବିଶେଷଜ୍ଞ ।