• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚଣ୍ଡିଗଡ଼ : ବିଜେପିକୁ ମିଳିଲା କି ଶିଖ୍ ଚେହେରା ? ପଞ୍ଜାବ କଂଗ୍ରେସରେ ସଙ୍କଟ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଗତକାଲି ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ଏହି ବୈଠକ ପରେ ରାଜନୈତିକ କରିଡରରେ ବିଭିନ୍ନ କଳ୍ପନାଜଳ୍ପନା କରାଯାଉଛି। ପଞ୍ଜାବରେ ଏକ ବଡ ଶିଖ ଚେହେରା ଖୋଜୁଥିବା ବିଜେପି ବର୍ତ୍ତମାନ କ୍ୟାପଟେନ ଅମରିନ୍ଦର ସିଂଙ୍କ ଉପରେ ବାଜି ଲଗାଇପାରେ ବୋଲି ଶୁଣିବାକୁ ମିଳୁଛି । ଅନ୍ୟପକ୍ଷରେ ସିଦ୍ଧୁଙ୍କ ଇସ୍ତଫା ପରେ କଂଗ୍ରେସ ହାଇକମାଣ୍ଡ କ୍ଷୁବ୍ଧ ଥିବାବେଳେ, ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି ।

କଂଗ୍ରେସର ଟାଣୁଆ ଚେହେରା କ୍ୟାପଟେନ ଅମରିନ୍ଦର ସିଂ ଦିଲ୍ଲୀରେ ଅମିତ ଶାହାଙ୍କୁ ଭେଟିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି ।  ଅମିତ ଶାହା ଏବଂ କ୍ୟାପଟେନ ଅମରିନ୍ଦର ପ୍ରାୟ ୪୫ ମିନିଟ୍ ପାଇଁ ଆଲୋଚନା କରିଛନ୍ତି । ଅମିତ ଶାହାଙ୍କ ପରେ କ୍ୟାପଟେନ ଅମରିନ୍ଦର ବର୍ତ୍ତମାନ ଜେପି ନଡ୍ଡାଙ୍କୁ ଭେଟିବାର ଯୋଜନା ରହିଛି । କ୍ୟାପଟେନଙ୍କୁ ରାଜ୍ୟସଭା ପଠାଇ ବିଜେପି ମନ୍ତ୍ରୀ କରିପାରେ ବୋଲି ଅନୁମାନ କରାଯାଉଛି। କ୍ୟାପଟେନ ଅମରିନ୍ଦର ସିଂ କୃଷି ମନ୍ତ୍ରୀ ହେବା ପାଇଁ ଅଫର ମିଳିପାରେ ବୋଲି ଶୁଣିବାକୁ ମିଳୁଛି ।

ତେବେ ଅନେକ କଳ୍ପନାଜଳ୍ପନା ମଧ୍ୟରେ କ୍ୟାପଟେନ ଅମରିନ୍ଦର ସିଂ ଏକ ଟ୍ୱିଟ୍ କରିଛନ୍ତି । କୃଷକଙ୍କ ପ୍ରସଙ୍ଗରେ ଅମିତ ଶାହାଙ୍କୁ ସାକ୍ଷାତ କରିଥିବା କହିଛନ୍ତି । କୃଷି ପ୍ରସଙ୍ଗ ହେଉ ବା ଅନ୍ୟ କିଛି କଂଗ୍ରେସକୁ ଏହି ଭେଟଘାଟ ଆଦୌ ପସନ୍ଦ ଆସିବ ନାହିଁ ବୋଲି କୁହାଯାଉଛି ।

ସେପଟେ ନବଜୋତ ସିଂ ସିଦ୍ଧୁଙ୍କ ପାଇଁ ପଞ୍ଜାବ କଂଗ୍ରେସରେ ମୁସ୍କିଲ ବଢ଼ିବାରେ ଲାଗିଛି । ସିଦ୍ଧୁଙ୍କ ଇସ୍ତଫା ଉପରେ କଂଗ୍ରେସ ହାଇକମାଣ୍ଡ କ୍ଷୁବ୍ଧ ଥିବାବେଳେ ତାଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାର ସମ୍ଭାବନା ରହିଛି । କେବଳ ଏତିକି ନୁହେଁ ଏପର୍ଯ୍ୟନ୍ତ ସିଦ୍ଧୁଙ୍କ ସହ କଥା ହୋଇନାହାଁନ୍ତି ଦଳର ନେତୃତ୍ୱ । ସେପଟେ ସିଦ୍ଧୁଙ୍କ ଇସ୍ତଫା ମଧ୍ୟ ଗ୍ରହଣ କରାଯାଇ ନାହିଁ । ପଞ୍ଜାବ ପ୍ରଭାରୀ ହରିଶ ରାୱତ ବୁଧବାର ଚଣ୍ଡିଗଡ଼ ଗସ୍ତରେ ଯିବାର ଥିଲା, କିନ୍ତୁ ବର୍ତ୍ତମାନ ତାଙ୍କ ଗସ୍ତକୁ ସ୍ଥଗିତ ରଖାଯାଇଛି । ଆଉ ଏଥିରୁ ସ୍ପଷ୍ଟ ହୋଇଯାଉଛି, ନବଜୋତ ସିଂ ସିଦ୍ଧୁଙ୍କ ମନମାନୀଙ୍କୁ ଆଇ କଂଗ୍ରେସ ହାଇକମାଣ୍ଡ ବରଦାସ୍ତ କରିବେ ନାହିଁ। ।