• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ଭେଟିଛନ୍ତି କ୍ୟାପଟେନ୍ ଅମରିନ୍ଦର ସିଂହ ।

  • NSA ଅଜିତ୍ ଡୋଭାଲ୍‌ଙ୍କୁ ସାକ୍ଷାତ କରିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ।

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହଙ୍କ ପରେ ଅଜିତ ଡୋଭାଲଙ୍କୁ ଭେଟି, ପଞ୍ଜାବ ଅଭିମୁଖେ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ । ସେ ଦିଲ୍ଲୀ ବିମରନବନ୍ଦରେ ପହଞ୍ଚି ସାରିଛନ୍ତି । ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ସେ ମୋଦିଙ୍କୁ ଭେଟି ନାହାନ୍ତି । ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଭେଟିବା ପରେ ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟି ସେ ସିଧାସଳଖ ପଞ୍ଜାବ ଅଭିମୁଖେ ବାହାରିଛନ୍ତି । ତେବେ ଶାହଙ୍କୁ ଭେଟିବା ପରେ ଚର୍ଚ୍ଚା ହେଉଥିଲା ଯେ, ଅମରିନ୍ଦର ବିଜେପିରେ ମିଶିପାରନ୍ତି । କିନ୍ତୁ ଏହି କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସେ ବିଜେପିରେ ଯୋଗ ଦେଉନାହାନ୍ତି ବୋଲି ସ୍ପଷ୍ଟ କରିଥିଲେ ।

ଆଜି ପୂର୍ବାହ୍ନରେ ନୂଆଦିଲ୍ଲୀରେ NSA ଅଜିତ୍ ଡୋଭାଲ୍‌ଙ୍କୁ ସାକ୍ଷାତ କରିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ । ଉଭୟଙ୍କ ମଧ୍ୟରେ ବେଶ କିଛି ସମୟ ଆଲୋଚନା ହୋଇଛି । ତେବେ କେଉଁ ପ୍ରସଙ୍ଗରେ ନିର୍ଦ୍ଦିଷ୍ଟ ଭାବେ ଆଲୋଚନା ହୋଇଛି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବି କ୍ୟାପଟେନ୍ ଭେଟି ପାରନ୍ତି । ଗତ ତିନି ଦିନ ଧରି ସେ ଦିଲ୍ଲୀରେ ଡେରା ପକାଇଛନ୍ତି । ଗତକାଲି ଶାହଙ୍କୁ ଭେଟିଥିଲେ । ତେବେ ଚାଷୀଙ୍କ ସମସ୍ୟା ନେଇ କେନ୍ଦ୍ରଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କହିଥିଲେ ।

 

ସେପଟେ ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣ ସିଂହ ଚନ୍ନିଙ୍କୁ ଭେଟିବେ ନବଜ୍ୟୋତ ସିଂ ସିଦ୍ଧୁ । ଦିଲ୍ଲୀ ସ୍ଥିତ ପଞ୍ଜାବ ଭବନରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବ । ସିଦ୍ଧୁଙ୍କ ମାନଭଞ୍ଜନ କରିପାରନ୍ତି ଚନ୍ନି ।

ତେବେ କଂଗ୍ରେସକୁ ଲାଗିପାରେ ବଡ଼ ଝଟକା । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଦଳ ଛାଡ଼ିବା ନେଇ ଜାତୀୟ ଗଣମାଧ୍ୟମରେ ଜୋର ଧରିଲା ଚର୍ଚ୍ଚା। ପଞ୍ଜାବରେ ଚାଲିଥିବା ରାଜନୈତିକ ଡ୍ରାମାର ଖୁବ୍‌ଶୀଘ୍ର ଅନ୍ତ ହୋଇପାରେ । କ୍ୟାପଟେନ୍‌ ସ୍ପଷ୍ଟ କରିଛନ୍ତି ଯେ ସେ ଆଉ ଦଳରେ ରହିବେ ନାହିଁ । କିନ୍ତୁ କେଉଁ ଦଳରେ ଯୋଗ ଦେବେ ସେନେଇ କୌଣସି ସ୍ପଷ୍ଟ କରିନାହାନ୍ତି ।

ଅମରିନ୍ଦର ସିଂ କହିଛନ୍ତି ଯେ ମୁଁ ମୋର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି । କୌଣସି ପ୍ରକାର ଅପମାନକୁ ସହ୍ୟ କରିପାରିବି ନାହିଁ । ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କ୍ୟାପଟେନ ଅମରିନ୍ଦର ସିଂ କହିଥିଲେ ଯେ, ପାର୍ଟିର ବୈଠକକୁ ମତେ ଡ଼କାଯାଇନଥିଲା କି ଖବର ବି ଦିଆଯାଇନଥିଲା । ଏହାସହ ଦଳ ଅଣଦେଖା ମଧ୍ୟ କରିଥିଲା । ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ନେଇ ସ୍ପଷ୍ଟ ମଧ୍ୟ କରିଥିଲି । ମୁଁ ଯେଉଁ ନିଷ୍ପତ୍ତି ନେଇଛି ତାହା ପୂର୍ବରୁ ଅନେକ ଥର ଭାବିଛି । ଏହାସହ ସେ କହିଛନ୍ତି ଯଦି ମୋ ଉପରେ ଦଳର ବିଶ୍ୱାସ ନାହିଁ, ତେବେ ମୁଁ ଏ ଦଳରେ କାହିଁକି ରହିବି ବୋଲି କ୍ୟାପଟେନ୍‌ ପ୍ରଶ୍ନ କରିଥିଲେ ।