• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆରମ୍ଭ ହେଲା ତାଲିବାନୀ ଶାସନ । ୨୦ ବର୍ଷ ପରେ ପୁଣିଥରେ ଆଫଗାନିସ୍ତାନକୁ ଦଖଲ କରିଛି ତାଲିବାନ । ପ୍ରତି ମୁହୂର୍ତ୍ତରେ ଆଫଗାନିସ୍ତାନରୁ ଆସୁଛି ହୃଦୟ ବିଦାରକ ଫୁଟେଜ । ଜୀବନ ବଞ୍ଚାଇବାକୁ କିଏ ବିମାନବନ୍ଦରକୁ ଧାଉଁଛି ତ ଆଉ କିଏ ନିବୁଜ କୋଠରୀରେ ଦିନ କାଟୁଛି । ଏକବିଂଶ ଶତାବ୍ଦୀରେ ଏଭଳି ଛାତିଥରା ଦୃଶ୍ୟ ବିଶ୍ୱ ସମୁଦାୟକୁ ଚକିତ କରିଛି । ଆଉ ଏଭଳି ସ୍ଥିତିରେ ନିଜ ଦେଶଠୁ ଦୂରରେ ରହି ପରିବାର ପାଇଁ ଚିନ୍ତିତ ଅଛନ୍ତି ଆଫଗାନ ଛାତ୍ର ଓ ନାଗରିକ ।

ସେମିତି ଜଣେ ଛାତ୍ର ହେଉଛନ୍ତି ଏହସାନ୍ ଉଲ୍ଲା ନୁରି । ଘର କାବୁଲ୍‌ରେ । ଉତ୍କଳ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସରେ ଏମ୍.ଏସ୍‌.ସି କରୁଛନ୍ତି । ଏବେ କିନ୍ତୁ ନିଜ ଜନ୍ମମାଟିର ସ୍ଥିତିକୁ ନେଇ ରାତିରେ ଶୋଇପାରୁ ନାହାଁନ୍ତି । ଏପରି ସ୍ଥିତିରେ ତାଙ୍କୁ ସାହସ ଦେବା ପାଇଁ ଆଗେଇ ଆସିଛି ଉତ୍କଳ ବିଶ୍ୱବିଦ୍ୟାଳୟ । ତାଙ୍କର ସମସ୍ତ ଦାୟିତ୍ୱ ବିଶ୍ୱବିଦ୍ୟାଳୟ ତୁଲାଇବ ବୋଲି କହିଛନ୍ତି କୁଳପତି । ତାଙ୍କ ଭଳି ଆହୁରି ଅନେକ ଛାତ୍ରଛାତ୍ରୀ ଓଡିଶାରେ ରହି ଉଚ୍ଚଶିକ୍ଷା ଲାଭ କରୁଛନ୍ତି । ସେମାନଙ୍କ ଅବସ୍ଥା ବି ସମାନ । ପରିବାର ସଦସ୍ୟଙ୍କ ସହ ଫୋନ୍ ଯୋଗେ କଥା ହେଉଛନ୍ତି ସତ, ହେଲେ ଭୟ ପିଛା ଛାଡୁନି । ସମସ୍ତଙ୍କ ମତ ତାଲିବାନ ଶାସନ ବିପକ୍ଷରେ ।

ଆଫ୍‌ଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଭାରତରେ ଥିବା ଶରଣାର୍ଥୀମାନେ ବି ଚିନ୍ତାରେ । ତାଲିବାନ ଭୟରେ ନିଜ ଦେଶ ଛାଡି ଭାରତ ଆସି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏମାନେ ବ୍ୟବସାୟ କରି ଚଳିଆସୁଛନ୍ତି । ହେଲେ ପୁଣିଥରେ ତାଲିବାନୀ ଶାସନ ଫେରିବା ଏମାନଙ୍କ ମନରେ ବି ଭୟ ସଞ୍ଚାର କରିଛି ।

 

ସେପଟେ ଆଇଆଇଟି ବମ୍ବେ ଆଫ୍‌ଗାନ୍‌ ଛାତ୍ରଛାତ୍ରୀଙ୍କୁ ଫେରିଆସି ଭାରତରେ ପାଠ ପଢା ଜାରି ରଖିବାକୁ ଅନୁମତି ଦେଇଛି । ଅନ୍ୟପଟେ ଜେଏନ୍‌ୟୁରେ ପାଠ ପଢା ସାରିଥିବା ବହୁ ଛାତ୍ରଛାତ୍ରୀ ଏବେ ଦେଶକୁ ଫେରିବାକୁ ଡରୁଛନ୍ତି ।